Unknown

 

 

 

 

 

 

 

 

 

 

 

ଖୁଣୀ ଆସାମୀ

ଶ୍ରୀ ରାମଚନ୍ଦ୍ର ଦାସ

 

ଖୁଣୀ ଆସାମୀ

 

ଜେଲରବାବୁ ସବୁ କାଗଜ ପତ୍ର ଠିକ୍ କରିସାରି ଶାନ୍ତନୁ ଦାସ ନାମରେ ଥିବା ଫାଇଲଟି ଅଲଗା କରି ରଖିଲେ । ଶାନ୍ତନୁ ଦାସ ଜେଲରବାବୁଙ୍କ ସାମନାରେ ଛିଡ଼ା ହୋଇଥାଏ । ଉଚ୍ଚା ଡେଙ୍ଗା ଲୋକ । ବୟସ ପ୍ରାୟ ୪୦ ପାଖାପାଖି । ସୁସ୍ଥ ସବଳ, ପରିଧାନ ଖଣ୍ତେ ଢିଲା ପାଇଜାମା ଓ ଖଣ୍ଡିଏ ପଞ୍ଜାବି । କିନ୍ତୁ ବେକରେ ଲଟକି ଥିବା ପିତଳ ନମ୍ବର କଇଦୀ ବୋଲି ପରିଚୟ ଦେଉଥାଏ ।

 

ଦୀର୍ଘ ୧୪ବର୍ଷ ଜେଲ୍‍ ଭିତରେ ରହି କାମ କରି କରି ସମସ୍ତଙ୍କର ପ୍ରିୟ ହୋଇଥିଲା । ସବୁ କାମରେ ମଧ୍ୟ ସେ ପାରଦର୍ଶିତା ହାସଲ କରିପାରିଥିଲା । ପୁରଷ୍କାର ସ୍ୱରୂପ ତାକୁ ସରକାରଙ୍କ ତରଫରୁ ମିଳିଥିଲା ଟ୧୫୫୮ ।

 

ଜେଲରବାବୁ ଶାନ୍ତନୁ ହାତକୁ ଥଳିଟି ବଢ଼ାଇ ଦେଉ ଦେଉ କହିଲେ, ‘‘କ’ଣ ତୁମେ ଆଜି ଯାଉଛ’’ ?

 

ଆଜ୍ଞା ହଁ–କହି ଶାନ୍ତନୁ ଦାସ ଥଳିଟି ହାତରେ ଧଇଲା । ଜେଲରବାବୁ ଶାନ୍ତନୁକୁ ଚାହୁଁ ଥାନ୍ତି । ଶାନ୍ତନୁ ନମସ୍କାରଟିଏ ପକାଇ ଟିକେଟ କାଢ଼ି ଟେବୁଲ ଉପରେ ଥୋଇଲା, କିଛି ପ୍ରତି ତା’ର ନଜର ନାହିଁ । ଯେମିତି ସେ କ’ଣ ଭାବୁଛି, କିଛି କହିବ କହିବ ବୋଲି ହେଉଛି, କିନ୍ତୁ କିଛି କହିପାରୁ ନାହିଁ ।

 

‘‘ଶାନ୍ତନୁ–ଟଙ୍କା ଗଣି ନିଅ’’–ଜେଲରବାବୁ ଖୁବ୍ କୋମଳ ସ୍ୱରରେ କହିଲେ । ‘‘ଆଜ୍ଞା, ଆପଣ ତ ଦେଖି ଦେଇ ଥିବେ ଗଣିବି ଆଉ କ’ଣ ?’’ ଶାନ୍ତନୁ ଧିରେ ଧିରେ କହିଲା । କିଛି ବାଟ ଆଗେଇ ଯାଇ ପୁଣି ପଛକୁ ଫେରି ଆସିଲା ଶାନ୍ତନୁ, ଟେବୁଲ ପାଖରେ ଠିଆ ହୋଇ ପଚାରିଲା ବାବୁ ଗୋଟିଏ କଥା ପଚାରିବି ।

 

ଜେଲରବାବୁ ଅବାକ୍ ହୋଇ ଚାହିଁ ରହିଲେ, ‘‘କ’ଣ’’ ? ଦୁଇ ତିନି ମିନିଟ୍ ଗଲା । ଦୁହେଁ ନୀରବ । କାଗଜ ଉପରୁ ମୁହଁ ଉଠାଇ ଜେଲରବାବୁ ପଚାରିଲେ ? ‘‘ଆଚ୍ଛା ଶାନ୍ତନୁ ତୁମର ମକଦ୍ଦମା ଚାଲୁଥିବାବେଳେ ତୁମେ ଜଜ୍ ସାହେବଙ୍କୁ କିଛି କହିବ କହିବ ବୋଲି ହେଉଥିଲ, କିଛି କହିଲ ନାହିଁ ତ ।’’

 

ଶାନ୍ତନୁ କିଛି ସମୟ ତଳକୁ ମୁହଁ ପୋତି ଠିଆ ହୋଇ କହିଲା, ‘‘ଆଜ୍ଞା ହଁ ।’’

 

କିନ୍ତୁ ତୁମେ ନକହି ଚୁପ୍‍ ରହିଲ କାହିଁକି ? ଏଥିରୁ ସ୍ପଷ୍ଟ ଜଣା ପଡ଼ୁଥିଲା ଯେ ମଦନବାବୁଙ୍କ ହତ୍ୟା ଜଣଙ୍କଦ୍ୱାରା ନହୋଇ ଦୁଇଜଣ କରିଥିଲେ କିନ୍ତୁ ସେ ଜଣକ କିଏ ? ତୁମେ ଭାବିଥିଲ ଯେ ତୁମକୁ ଫାସି ହୁକୁମ ହେବ, ତେଣୁ ତୁମେ ଦ୍ୱିତୀୟ ବ୍ୟକ୍ତିଟିକୁ ମଧ୍ୟ ସାଙ୍ଗରେ ନେଇ ଯିବାକୁ ଇଚ୍ଛା କରିଥିଲ; କିନ୍ତୁ ପ୍ରମାଣ ଅଭାବରୁ ତୁମକୁ ଛାଡ଼ି ଦିଆଗଲା, ଚଉଦବର୍ଷ ଜେଲ୍‍ଦଣ୍ଡ ଦିଆହୋଇ । ଯାହାହେଉ ଏଠି ତୁମର ଚାଲିଚଳନରେ ସମସ୍ତେ ସନ୍ତୁଷ୍ଟ ହୋଇ ତୁମକୁ ପୁରଷ୍କାର ସ୍ୱରୂପ ସେଇ ଟଙ୍କାତକ ଦିଆ ଯାଇଛି । ଭଗବାନ ତୁମକୁ ସୁବୁଦ୍ଧି ଦିଅନ୍ତୁ ।

 

–‘‘ଆଜ୍ଞା, ସେ ତ ସବୁ ଆପଣଙ୍କ ଦୟା’’

 

–ମୋର ବିଶ୍ୱାସ ଯେ ତୁମେ ଆଉ ଥରେ ଏ ଜେଲ୍‍ ଭିତରକୁ ଆସିବ ନାହିଁ ।

 

‘‘ଆଜ୍ଞା, ମୋର ଜେଲ୍‍କୁ ଭୟନାହିଁ । କିନ୍ତୁ ବିନା ଦୋଷରେ ଯେତେବେଳେ ମୋତେ ଏତେ ବଡ଼ ଅପରାଧରେ ଦଣ୍ଡିତ କରାଗଲା, ଭଗବାନ କ’ଣ ସେତେବେଳେ ନଥିଲେ ?’’ ଡରି ଡରି ଶାନ୍ତନୁ କହିଲା, ଆଜ୍ଞା ମୁଁ ଗୋଟିଏ କଥା ପଚାରିବି ।

 

‘‘ହଁ–ହଁ–ପଚାର କ’ଣ ଦରକାର’’–

 

‘‘ଆଜ୍ଞା ମୁଁ ଅପରାଧୀ ଥାଏ କି ନଥାଏ କିନ୍ତୁ ମଦନବାବୁଙ୍କ ହତ୍ୟାରେ ମୋତେ ଦଣ୍ଡ ମିଳିଲା । ଆଉ ଥରେ କ’ଣ ମୋ ଉପରେ ସେଇ ସଂପର୍କରେ ମକଦ୍ଦମା ଚାଲୁ ହୋଇ ପାରିବ ?

 

‘‘ନାହିଁ ଥରେ ଯାହାର ବିଚାର ହୋଇଗଲା ସେ ତ ଦଣ୍ଡ ଭୋଗିଲା । ପୁଣି କ’ଣ ? ତୁମେ ତ ପୂରା, ସଜା ଭୋଗି ସାରିଛ । କିନ୍ତୁ କଥା କଅଣ ?

 

ନାହିଁ ସେମିତି ପଚାରୁ ଥିଲି । ଆଜ୍ଞା, ନମସ୍କାର–ଯାଉଛି କହି କହି ଶାନ୍ତନୁ ଦାସ ସିଧା ସିଧା ଜେଲ୍‍ର ବଡ଼ ଫାଟକ ପାରି ହୋଇ ବଡ଼ ରାସ୍ତା ଉପରକୁ ଆସିଲା । ସେ ବର୍ତ୍ତମାନ ପୂରା ଆଜାଦ । ଏକେଲା ବୁଲି ପାରୁଛି । ସେଇ ଚଉଦବର୍ଷର ଜେଲ୍‍ଦଣ୍ତ ତାକୁ ଦେହସୁହା ହୋଇ ଯାଇଥିଲା । ରୁଟିନ ବନ୍ଧା କାମ, ବର୍ତ୍ତମାନ ତାତ ନାହିଁ । ସେ ପ୍ରଥମେ ଖଣ୍ତିଉଡ଼ା ପକ୍ଷୀଭଳି ଚାରିଆଡ଼େ ଘୂରି ବୁଲିଲା । ସେ ନିଜକୁ ନୂଆ ହୋଇ ଦେଖିଲା ଭଳି ଅନୁଭବ କଲା । ତା’ର ଖାଇବା ପିଇବାର ଚିନ୍ତା ନଥାଏ । ତା’ ପାଖରେ ବହୁତ ଟଙ୍କା ଥାଏ ।

 

ସେ ଗୁଣୁ ଗୁଣୁ ହୋଇ ଚାଲିଥାଏ । ତା’ର ଭାବନାଭିତରେ କେବଳ ଦୁଇଟି ନାଁ ଥାଏ । ‘‘ବେହାରୀ ଆଉ ଉଜିର୍‌’’ । ତା’ର ଗୋଟିଏ ଚିନ୍ତା କେଉଁଠି ସେ ସେମାନଙ୍କୁ ପାଇବ । ସେମାନେ ଅଛନ୍ତି କି ମଲେଣି ? ଯଦି ସେ ଦୁହେଁ ଜୀଇଁଥିବେ ତ ମୋର ଖଲାସ ହେବା ନିଶ୍ଚୟ ଶୁଣି ସାରିଥିବେ । ‘‘କିନ୍ତୁ କେହି ଆସିଲେ ନାହିଁ ତ, ଆଚ୍ଛା ।’’

 

ସେତେବେଳକୁ ସେ କଟକ ପାର ହୋଇ ଖରାଦିନିଆଁ ରାସ୍ତାରେ ଚାଲିଚାଲି ଚଉଦ୍ୱାରରେ ପହଞ୍ଚି ସାରିଥାଏ । ସେଠି ଥିବା ଖଣ୍ତେ ମୁଣ୍ତିଆ ଉପରକୁ ଉଠି ଚାରିଆଡ଼କୁ ଚାହିଁଲା । ସେଇ ମୁଣ୍ତିଆର ଆରପଟେ ଚଉଦ୍ୱାର ଗାଁ ଦେଖା ଯାଉଥାଏ । ଛୋଟ ଛୋଟ ଦୋକାନ କେଇଟି, ଦଶ ବାରଟି ଚାଳଘର, କଡ଼କିଆ ହୋଇ ଛୋଟ ମନ୍ଦିରଟିଏ ଆଉ ମନ୍ଦିର ପାଖରେ ଗୋଟିଏ ଧର୍ମଶାଳା । ସେ ସିଧା ଆସି ଧର୍ମଶାଳାର ଦୁଆର ପାଖରେ ଠିଆହେଲା । ଟନ୍ ଟନ୍ ଟନ୍ ଛୋଟ ଘଣ୍ଟାଟିଏ ବାଜି ଉଠିଲା । ସେ ଜାଣିଲା ବର୍ତ୍ତମାନ ରାତି ଦଶ ବାଜିଲାଣି । ଧର୍ମଶାଳାକୁ ଯିବ କି ନଯିବ ଭାବି ଭାବି ସେଇଠି ପୁଣି ୧୫ ମିନିଟ୍ ଠିଆ ହେଲା । କିନ୍ତୁ କ’ଣ ଭାବି ମନେ ମନେ ହସିବାକୁ ଲାଗିଲା । ଆସ୍ତେରୁ ବେଶି ହୋଇ ତା’ର ହସ ବିକଟାଳ ଅଟ୍ଟହାସରେ ପରିଣତ ହେଲା ।

 

ଧର୍ମଶାଳା ଭିତରକୁ ଯାଇ ପ୍ରଥମେ ଖାଇବାର ବନ୍ଦୋବସ୍ତ କଲା । ତାକୁ କିଏ ଚିହ୍ନୁଚି କି ନାହିଁ ସେଇଠି ହେଲା ତା’ର ଡର ସେ ଖଣ୍ତିଏ ଘର ପାଇବାପାଇଁ ଧର୍ମଶାଳାର ମହନ୍ତଙ୍କ ପାଖକୁଗଲା । ଖଣ୍ତିଏ ଦଶଟଙ୍କିଆ ନୋଟ ମହନ୍ତଙ୍କ ଗୋଡ଼ତଳେ ଥୋଇଦେଲା । ସାଙ୍ଗେ ସାଙ୍ଗେ ତାକୁ ଗୋଟିଏ କୋଠରୀ ମିଳିଲା । ତା’ପରେ ଘରର ଗୋଟିଏ କୋଣରେ ଯାଇ ବସିଲା । ଖାଇବାର ଆସିଲା–ଖାଇସାରି ଚା’ ଟିକିଏ ପି ନେଲା । ମନଟା ତା’ର ଶାନ୍ତି ହୋଇଗଲା । ଚା’ ଥାଳିଆରେ ୨ୟ ଥରପାଇଁ ମୁହଁ ଦେଇଛି କି ନାହିଁ ତା’ର ପଛରୁ କେହି ଆସୁଥିବାର ତାକୁ ଜଣାଗଲା । ସେ ପଛକୁ ମୁହଁ ବୁଲାଇ ଚାହିଁଲା । ପ୍ରଥମେ ଦୋ ଦୋ ଚିହ୍ନା ହେଉଥାଏ । କିନ୍ତୁ ନାଁ ମନେ ପଡ଼ୁ ନଥାଏ । ସେ ଲୋକଟି ଆସି ତାହାର ସାମନାରେ ଠିଆହେଲା । ଢିଲା ପାଇଜାମା, ସଫା କୁରୁତାଟିଏ ପିନ୍ଧିଥାଏ । ହାତରେ ଖଣ୍ତେ ଛୋଟ ସରୁଆ ବାଡ଼ି ଧରିଥାଏ ।

 

ଶାନ୍ତନୁ ପ୍ରଥମେ ପ୍ରଥମେ ବହୁତ ମନେ ପକାଇଲା । କିନ୍ତୁ କିଛି ଫଳ ହେଲାନାହିଁ । ସେ ଲୋକଟି ଶାନ୍ତନୁକୁ ବଲ୍ ବଲ୍ କରି ଚାହିଁ ତା’ର ଚାରିପାଖେ ବୁଲୁଥାଏ । କେତେବେଳକେ ସେ ବସିପଡ଼ି ଧୀରେ କହିଲା–‘‘ଶାନ୍ତନୁ ଭାଇ କିରେ’’ ।

 

ଶାନ୍ତନୁ ତା’ର ସ୍ୱର ବାରି ପାରିଲା । ଚଉଦବର୍ଷର ଅଲଗା ତାକୁ କେତେ ପୃଥକ କରି ରଖିଛି । ସେ କହିଲା, ‘‘ଉଜିର୍ ବର୍ତ୍ତମାନ କେଉଁଠି’’–

 

ଚୁପ୍ ଚୁପ୍ କହ–ଆ ସାଙ୍ଗ ହୋଇ ଚା’ ପିଇ ଆସିବା । ଦୁହେଁ ଉଠି ନିକଟରେ ଥିବା ଗୋଟିଏ ଦୋକାନ ଆଡ଼େ ଚାଲିଲେ ।

 

ଓଡ଼ିଶାର ପ୍ରସିଦ୍ଧ ଗୋଇନ୍ଦା ଶ୍ରୀ ଜୟନ୍ତ କୁମାର ନାୟକ ସାଥୀ ଦାମୋଦରକୁ ନେଇ ଚଉଦ୍ୱାରରେ ଗାଡ଼ି ଅଟକାଇଲେ । ଗାଡ଼ି ବ୍ରେକ୍ କଲାପରେ ପୁଣି ଥରେ ଷ୍ଟାଟ୍ ଦେବାରୁ ଗାଡ଼ି ଆଉ ଚାଲିଲା ନାହିଁ । ରାସ୍ତା କଡ଼ରେ ଖେଳୁଥିବା ଦୁଇଟି ପିଲା ପ୍ରଥମେ ଦେଖି ଅବାକ୍ ହୋଇ ଠିଆହୋଇ ରହିଲେ । ଶତ ଚେଷ୍ଟାରେ ମଧ୍ୟ ଗାଡ଼ି ନ ଚାଲିବାରୁ ଗୋଟିଏ ଛୋଟ ପିଲା ତାଳିମାରି ପାଟିକଲା ।

 

‘‘ହେଃ ହେଃ ଗାଲି ବନ୍ଦହୋଇ ଗଲାରେ ଆଉ ଚାଲିବ ନାହିଁ’’ ।

 

ପିଲାର ପାଟି ଶୁଣି ଦାମୋଦର ଖୁସିରେ କହିଲା–ହଉ ଦେଖ ଚାଲିବ କି ନାହିଁ । ଧୂଳି ଉଡ଼ିବ–

 

ଦାମୋଦର ବହୁତ ଚେଷ୍ଟାକଲା, କିନ୍ତୁ ବିଫଳ ହେବାରୁ ସେ ଜୟନ୍ତବାବୁଙ୍କୁ ଡାକି କହିଲା, ମୁଁ ଆଗରୁ ଆସିଲା ବେଳଠାରୁ କହୁଚି ନା ଗାଡ଼ିର କ୍ଳଚ୍‌ ଠିକ୍ ନାହିଁ । ଆମର ବର୍ତ୍ତମାନ ମହାବିନାୟକ ଯିବା ପ୍ରୋଗ୍ରାମ ବନ୍ଦ ଥାଉ । କିନ୍ତୁ ତୁମେ ସେଥିପ୍ରତି ଖିଆଲ ବି କଲ ନାହିଁ । ନିଅ ସମ୍ଭାଳ ।

 

ଜୟନ୍ତବାବୁ ମୋଟରରୁ ଓହ୍ଲାଇ ଆସିଲେ । ସନ୍ଧ୍ୟା ଆଗତ ପ୍ରାୟ । ଅନନ୍ୟୋପାୟ ହୋଇ ଦାମୋଦର ଗୋଟିଏ ପିଲାକୁ ଡାକିଲେ । ପିଲାଟି ପ୍ରଥମେ କିଛି ଶୁଣିଲା ନାହିଁ । କିନ୍ତୁ କ’ଣ ଭାବିଲା କେଜାଣି, ଧୀରେ ଧୀରେ ଆସି ପ୍ରାଏ ୧୦ ହାତ ଦୂରରେ ଠିଆ ହୋଇ ରହିଲା ।

 

‘‘ହଇରେ ପିଲା ଏଠି ମଟର ମରାମତିର ଦୋକାନ ଅଛି କିରେ’’ ପଚାରିଲେ ଦାମୋଦର ।

 

ଥରି ଥରି ପିଲାଟି ଉତ୍ତର ଦେଲା । ‘‘ନା କାରଖାନା ନାହିଁ । ଆମ ସାହିରେ ଜଗୁର ମଟର ଅଛି । ଅନେକ ବାବୁ ଏଠିକି ମଟର ନେଇ ଆସନ୍ତି ପୁଣି ଚାଲି ଯାଆନ୍ତି ।’’

 

‘‘ଆଚ୍ଛା ତୁ ଟିକିଏ ତାକୁ ଡାକି ଆଣନ୍ତୁ । ମୁଁ ତୋତେ ଚାରିଅଣା ପଇସା ଦେବି । ହଁ–ତୁ କହିବୁ ଦୁଇଜଣ ବାବୁ ଡାକୁଚନ୍ତି । ଆଚ୍ଛା ପିଲା, ଏଠି ଧର୍ମଶାଳା ଅଛି ?’’

 

‘‘ହଁ, ହେ–ସେଇଠି ଦେଖାଯାଉଛି । ମୁଁ ଯାଉଛି ଡାକି ଆଣିବି’’ କହି, ପିଲା ଦୁଇଟି ଦଉଡ଼ି ଦଉଡ଼ି ଚାଲିଗଲେ । ଜୟନ୍ତବାବୁ ମୁଣ୍ତିଆ ଉପରେ ଠିଆହୋଇ ଚାରିଆଡ଼କୁ ନିରୀକ୍ଷଣ କରୁଥାନ୍ତି । ସିରି ସିରି ମହୁଆ ପବନ ଦେହରେ ବାଜି ରୁମମୂଳ ଟାଙ୍କୁରି ଉଠୁଥାଏ । ଦଳ ଦଳ ହୋଇ ପକ୍ଷୀ ମହାନଦୀର ବକ୍ଷ ଉପର ଦେଇ ଉଡ଼ି ଯାଉଥାନ୍ତି । ପକ୍ଷୀମାନଙ୍କର କୂଜନ ଆଉ ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମା ଆଭା ଜୟନ୍ତବାବୁଙ୍କ ମନରେ ଆନନ୍ଦର ଢେଉ ଖେଳାଇ ଦେଉଥାଏ । ଦାମୋଦର କିନ୍ତୁ କାର୍ ସଜାଡ଼ିବାରେ ବ୍ୟସ୍ତ । ମଟର ସଜାଡ଼ୁ ସଜାଡ଼ୁ ଦାମୋଦର ପଚାରିଲେ, ‘‘କ’ଣ ଆଜି ଏଇଠି ରହିବା ହେବ ?’’

 

‘‘ହଁ ଆଜି ଏଇଠି ରହିଯିବା । ବର୍ତ୍ତମାନ ଆମେ ଛୁଟିରେ ଅଛୁଁ । ସେଥିରେ ପୁଣି ବୁଲି ବାହାରିଚେଁ । ରହିଗଲେ ତ କିଛି କ୍ଷତି ହେବ ନାହିଁ । ମଟର ସଜଡ଼ା ହୋଇଗଲେ ତ ଯିବା । ତା’ ପୂର୍ବରୁ ହେଉଛି କେଉଠୁଁ । ଜଗୁବାବୁ ଆସନ୍ତୁ, ମଟରର କ୍ଳଚ ଠିକ୍ କରିଦେଲେ ଯିବା’’ । ମୁଣ୍ତିଆର ଉପରକୁ ଉଠୁ ଉଠୁ ପୁଣି କହିଲେ, ଆସେ ନା ଉପରକୁ ଯିବା, ଏଇଠି ବସି ବସି କ’ଣ କରିବା । ସେ ମୁଣ୍ତିଆ ଉପରକୁ ଚଢ଼ିଲେ । ତଳର ଦୃଶ୍ୟ ବଡ଼ ମନୋରମ ଦେଖା ଯାଉଥାଏ । ଚାରିଆଡ଼େ ବୁଡ଼ନ୍ତ ସୂର୍ଯ୍ୟଙ୍କର ରକ୍ତିମା ଆଭା, ଛୋଟ ଛୋଟ ଗୁଳ୍ମଘେରା ଘରଗୁଡ଼ିକ ଉପରେ ପଡ଼ି ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଥାଏ । ପଶ୍ଚିମକୁ ଗୋଟିଏ ଛୋଟ ପୋଲ ଦେଖା ଯାଉଥାଏ । ସେଇ ପୋଲର କଡ଼ ଦେଇ ଗୋଟିଏ କଚା ସଡ଼କ ଅଦୂରବର୍ତ୍ତୀ ଗୋଟିଏ ବଙ୍ଗଳାକୁ ଲମ୍ବି ଯାଇଥାଏ । ଘରଟି ନାଲି ରଙ୍ଗର ଦୁଇମହଲା କୋଠାଘର । ତା’ର ଚାରିକଡ଼ଯାକ ବାଡ଼ ଘେରା । ସୁନ୍ଦର ବଗିଚାଟିଏ ଦେଖାଯାଉଥାଏ ।

 

ଜୟନ୍ତବାବୁ ସେଇ ଦୃଶ୍ୟ ଦେଖୁ ଦେଖୁ କହିଲେ–‘‘ଦାମୋଦର–ଦେଖ ତ ଏ ଯେଉଁ ଘର ଦେଖାଯାଉଚି, ଏ ତ ମଦନବାବୁଙ୍କର । ୧୪ ବର୍ଷ ପୂର୍ବେ ଯେଉଁ ହତ୍ୟାକାଣ୍ତ ହୋଇଥିଲା ମଦନବାବୁ ସେଇ ଘରେ ମରିଥିଲେ ନା–ଲୋକଙ୍କ ଧାରଣା ଆଜିପର୍ଯ୍ୟନ୍ତ କ’ଣ ସେଇଆ ଅଛି ଯେ ଏଠି ତାଙ୍କର ଆତ୍ମା ଘୂରି ବୁଲୁଚି । ତୋର ଧାରଣା କ’ଣ ଏଇଆ’’

 

‘‘ଯେବେ କୌଣସି ହତ୍ୟାକାଣ୍ତ ଘଟି ଥାଏ ତ ଲୋକେ ସେଇମିତି କହିଥାନ୍ତି,’’ ଉପରକୁ ଆସୁ ଆସୁ ଦାମୋଦର ଉତ୍ତର ଦେଲା ।

 

‘‘କିନ୍ତୁ ଲୋକଙ୍କର ଏପରି ଧାରଣା ମୂଳରେ ନିଶ୍ଚୟ କିଛିନା କିଛି କାରଣ ତ ଥିବ । ସେମାନେ ରାତିରେ ଏଠି କିଛି ଦେଖିଥିବେ କିମ୍ବା କିଛି ଶୁଣିଥିବେ ତ–ନଇଲେ କାହିଁକି ବା କହନ୍ତେ-।’’

 

ଦାମୋଦର ଜୟନ୍ତବାବୁଙ୍କୁ ଘୂରି ଘୂରି ଅନାଉ ଥାଏ–କହିଲା, ‘‘କ’ଣ ଘୂରିବାକୁ ଆସିଚୁ ନାଁ ଗୁଇନ୍ଦାଗିରି କରିବାକୁ ଆସିଚୁ । ବାବୁ, ବୁଲିବାକୁ ଆସି ଏମିତି କଲେ ତ ଭଲ–ଆଉ ବୁଲାଯିବ କ’ଣ ?’’

 

‘‘ନାଁ, ସେମିତି କିଛି ନାହିଁ, ତେବେ ଘରଟା ଦେଖୁ ଦେଖୁ ୧୪ ବର୍ଷ ତଳର କଥା ମନେ ପଡ଼ିଗଲା । ହଁ ମୋ ଦୁର୍‌ଭିନ୍ଦଟା ଆଣିଲୁ ଦେଖିବା ଟିକିଏ ।’’

 

ଦାମୋଦର ଦୁର୍‌ଭିନ୍ଦଟା ନେଇ ଜୟନ୍ତବାବୁଙ୍କ ହାତରେ ଦେଲା । ଜୟନ୍ତବାବୁ ନାଲି କୋଠାଆଡ଼େ ଦେଖି ଦେଖି କହିଲେ–‘‘ହଁ ଘର ଖାଲି ଥିଲାପରି ଜଣା ପଡ଼ୁଚି, କିନ୍ତୁ ଚାରିପାଖରେ ଲଗାଥିବା ଗଛଗୁଡ଼ିକରେ ଫୁଲ ଭରା ଅଛି, ନିଶ୍ଚୟ କେହି ଦେଖାଦେଖି କରୁଥିବ । ମାଳୀ ହେବ ନିଶ୍ଚୟ–ନୁହେଁକି ? ଦେଖ୍ ତ ।’’ କହି, ଦୁର୍‌ଭିନ୍ଦ ଦାମୋଦର ହାତକୁ ବଢ଼ାଇଦେଲେ ।

ଦାମୋଦର ଚାରିଆଡ଼କୁ ଦେଖୁ ଦେଖୁ ମୁଣ୍ତିଆ ତଳେ ମଟର ହର୍ଣ୍ଣ ଶୁଭିଲା । ଦୁହେଁ ତଳକୁ ଚାହିଁଲେ–ଗୋଟିଏ ଛୋଟ ମଟରରେ ଜଗୁ ଓ ସେଇ ପିଲା ଦୁଇଜଣ ବସିଥିଲେ । ପିଲା ଦୁହେଁ ମୋଟରରେ ବସି ଏମାନଙ୍କଆଡ଼କୁ ହାତ ହଲାଉଥିଲେ ।

ଜୟନ୍ତବାବୁ ଓ ଦାମୋଦର ମୁଣ୍ତିଆରୁ ଓହ୍ଲାଉ ଓହ୍ଲାଉ କହିଲେ, ଜଗୁ ହେବ ପରା ! ଦୁହେଁ ତଳକୁ ଆସିଲେ ।

ନମସ୍କାର ଆଦାନ ପ୍ରଦାନ ପରେ ଜୟନ୍ତବାବୁ କହିଲେ, ‘‘ଆପଣଙ୍କ ନାମ ଜଗୁ ।’’

‘‘ଆଜ୍ଞା ମୁଁ ଏଠି ମଟର ମରାମତି କରେ, ଆପଣଙ୍କର କ’ଣ ମଟର ଖରାପ ହୋଇଚି ।’’

‘‘ହଁ ତୁମେ ସଜାଡ଼ି ପାରିବ’’–

‘‘ଆଜ୍ଞା ହଁ କରିପାରିବି’’

ଦାମୋଦର ପଚାରିଲେ, ‘‘କେତେ ସମୟ ଲାଗିବ’’

‘‘ଆଜ୍ଞା କାମ କରିବା କଥା–କାମ କରିବି ସିନା–ସମୟ କଥା କିମିତି କହିବି’’, ହଁ ଆପଣ ଚାଲନ୍ତୁ ମୁଁ ବର୍ତ୍ତମାନ କାମ ଆରମ୍ଭ କରିଦେବି । ହେ ପିଲା, ଗୋଟିଏ ଦଉଡ଼ା ଗଲୁ ଆମ ଘରୁ ନେଇ ଆସିବୁ’’ ।

ପିଲାଟି ଦଉଡ଼ିଟିଏ ଯାଇ ଆଣି ଦେଲା । ନିଜ ମଟର ସଙ୍ଗେ ବାନ୍ଧି ମଟରକୁ ତା’ର ଘରକୁ ନେଇଗଲା । ସେଠାରେ ପହଞ୍ଚି ତା’ର ନାମ ଲେଖା ଖାତା ଆଣି ପଚାରିଲା ‘‘ଆଜ୍ଞା –ଆପଣଙ୍କର ନାମ କ’ଣ ?’’

 

‘‘ଜୟନ୍ତକୁମାର ନାୟକ’’, ଜୟନ୍ତବାବୁ ଚାରିଆଡ଼କୁ ଦେଖୁ ଦେଖୁ ଉତ୍ତର ଦେଲେ ।

 

ପିଲାଟି ସେଇଠି ଠିଆହୋଇ ସବୁ ଦେଖୁଥାଏ, ସାଙ୍ଗେ ସାଙ୍ଗେ ପକେଟରୁ ଗୋଟିଏ ଛୋଟ ଟିପା ଖାତା ବାହାର କରି କହିଲା, ‘‘ଆଜ୍ଞା ମୋର ବହିରେ ଗୋଟିଏ ଦସ୍ତଖତ କରି ଦେବେନାହିଁ ?’’

 

ଜୟନ୍ତବାବୁ ପିଲାଟିର ସରାଗ ଦେଖି ବହିଟି ତା’ର ହାତରୁ ନେଇ ନିଜେ ଦେଖିଲେ, ବହୁତ ଦସ୍ତଖତ ରହିଛି । ସେ ପିଲାର ବୁଦ୍ଧିକୁ ପ୍ରଶଂସା ନକରି ରହି ପାରିଲେ ନାହିଁ । ଏଇ ଛୋଟ ଦିନରୁ ହସ୍ତାକ୍ଷର ଝୁଙ୍କ୍ ଦେଖି ସେ ଦାମୋଦରକୁ କହିଲେ– ‘‘ହେ–ଏଠି ଗୋଟିଏ ସିଗ୍‌ନେଚର କରି ଦେ’’–ଦୁହେଁ ଦୁଇଟି ଦସ୍ତଖତ କରିଦେଲେ । ନୋଟ ବହିଟାକୁ ବଡ଼ ପିଲାଟି ନେଇ–ସାନ ପିଲାଟିର ହାତ ଧରି ନିକଟବର୍ତ୍ତୀ ଗୋଟିଏ ଛୋଟ ଏକ ମହଲା ଘରକୁ ଚାଲିଗଲା । ଜୟନ୍ତବାବୁ ଓ ଦାମୋଦର ପିଲା ଦୁଇଟିଙ୍କର ଚାଲିକୁ ଚାହିଁଥାନ୍ତି ।

 

ମଟର ସଜଡ଼ାର ବ୍ୟବସ୍ଥା କରିଦେଇ ଦୁହେଁ ଧର୍ମଶାଳା ଅଭିମୁଖେ ଯାତ୍ରା କଲେ । ଧର୍ମଶାଳାରେ ପଚାରି ବୁଝିଲେ ଗୋଟିଏ ବଖରା ଖାଲି ଅଛି । ଦୁହେଁ ସେଇଠି ସେମାନଙ୍କର ଜିନିଷପତ୍ର ରଖିଲେ । ଘରଟି ବେଶ୍ ପରିଷ୍କାର ପରିଚ୍ଛନ୍ନ ଦେଖା ଯାଉଥିଲା । ଅଳ୍ପ ଦୂରରେ ଗାଧୁଆ ଘର । ଘର ନିକଟରେ ଗୋଟିଏ ବାମ୍ଫୀ । ଧର୍ମଶାଳାର ଚାରିପାଖର ବଗିଚାରେ ସୁନ୍ଦର ସୁନ୍ଦର କେତେ ଜାତିକା ଫୁଲ ଫୁଟି ଘରଟିର ଶୋଭା ବଢ଼ାଉ ଥାଏ ।

 

ଜୟନ୍ତବାବୁ କହିଲେ–‘‘ଦାମ–ଗାଡ଼ି ଠିକ୍ ହେଉଥାଉ, ଏଠିକା ପ୍ରାକୃତିକ ଦୃଶ୍ୟ ଦେଖି ମନ ଛାଡ଼ୁ ନାହିଁ । ଦୁଇ ତିନି ଦିନ ରହିଲେ କ୍ଷତି କ’ଣ ? ସେଠି ତ ଯାଇ ରହିଥାନ୍ତେ, ଏଠି ରହିବା । ଏଠି ମହାନଦୀର କଳକଳନିନାଦ ଓ ବିରୂପାର ଆନିକଟ ଖୁବ୍ ସୁନ୍ଦର ଦେଖାଯାଉଚି । ତା’ ଛଡ଼ା’’–

 

ହଁ–ସାହେବଙ୍କର ଯାହା ହୁକୁମ୍–ଆସିଛି ଯେତେବେଳେ ମାନିବାକୁତ ବାଧ୍ୟ । କିନ୍ତୁ ଓଡ଼ିଶା ତଥା ଭାରତ ପ୍ରସିଦ୍ଧ ଗୁଇନ୍ଦା ସେମିତି ଯେମିତି ଏଠି ରହି ନାଁ ପକେଇ ନଯାନ୍ତି ।

 

ଶାନ୍ତନୁ ଓ ଉଜିର୍‍ ଦୁହେଁ ଚା’ ପିଆ ସାରି ହୋଟେଲରୁ ବାହାରକୁ ଆସିଲେ । ଚା’ ପିଇବା ସମୟରେ କେହି କାହାକୁ କିଛି କହି ନଥିଲେ । ଦୁହେଁ ସଡ଼କ ଉପରକୁ ଆସି ଅଦୂର-ବର୍ତ୍ତୀ ଜଗତ୍‍ପୁର ଷ୍ଟେସନଆଡ଼କୁ ଚାଲିବାକୁ ଆରମ୍ଭ କଲେ । ନୀରବତା ଭାଙ୍ଗି ଉଜିର୍‌ କହିଲା–

 

‘‘ବେହାରୀ ସହିତ ଦେଖାକରିବାକୁ ଚାହୁଁ ଶାନ୍ତନୁ ? ବେହାରୀ ବର୍ତ୍ତମାନ ଖୁବ୍ ଧନୀ ହୋଇଯାଇଛି, ବହୁତ ବଡ଼ ବଡ଼ ଲୋକଙ୍କ ସହିତ କାରବାର କରୁଛି ।’’

 

ଶାନ୍ତନୁ ବିରକ୍ତ ହୋଇ ଉଠିଲା । ସେ ଦାନ୍ତ ଚୋବାଇ କହିଲା, ‘‘ଦେଖ୍ ଉଜିର୍‌, ମୁଁ କିଛି ଶୁଣିବାକୁ ଚାହୁଁନି–ତୁ ଚୁପ୍‌ଚାପ୍ ଚାଲିବୁ ତ ଚାଲ’’ ।

 

ଉଜିର୍ ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲା ଶାନ୍ତନୁଆଡ଼େ । ସେ ଶାନ୍ତନୁଠାରୁ ଏହିପରି ଉତ୍ତର ଆଶା କରୁ ନଥିଲା । ଶାନ୍ତନୁର ବିରକ୍ତି ପ୍ରତି ଦୃଷ୍ଟି ନଦେଇ ଆରମ୍ଭ କଲା–‘‘ଆରେ ଭାଇ, ମୁଁ’ତ ଏପର୍ଯ୍ୟନ୍ତ ତୋରି ଅପେକ୍ଷାରେ ଥିଲି । ଆଜିପର୍ଯ୍ୟନ୍ତ ବେହାରୀ ଉପରେ କଡ଼ା ନଜର ରଖି ରଖି ଆସିଛି । ମୁଁ ତୋତେ ସାହାଯ୍ୟ କରିବାକୁ ଚାହୁଁଚି । ତାହା ମଧ୍ୟ ଜାଣେ ଯେ କିପରି ବେହାରୀକୁ ଜାଲରେ ପକାଇବାକୁ ହେବ।’’

 

‘‘ମୋର ତୋ ଉପରେ କୌଣସି ଭରସା ନାହିଁ । ମୁଁ ତୋର ସାହାଯ୍ୟ ଚାହୁଁନି । ମୁଁ ନିଜେ ତାକୁ ଖୋଜି ବାହାର କରିପାରିବି ।’’

 

କିନ୍ତୁ

 

‘‘ଚୁପ୍‌ କର–ମୁଁ ତୋର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ ।’’ କହିଲାବେଳେ ଶାନ୍ତନୁ ରାଗରେ ଲାଲପଡ଼ି ଯାଉଥାଏ । ସେ ନିଜକୁ ସମ୍ଭାଳି ନେଇ ଆଗେଇ ଚାଲିବାକୁ ଲାଗିଲା–

 

‘‘ଆରେ ଭାଇ, ଏଥର ମୁଁ ସବୁ ଭଲ ଭାବରେ ଜାଣିଛି । ମୋତେ କେହି ଏଥରକ ଧୋକା ଦେଇ ପାରିବେ ନାହିଁ । ମୁଁ ଆଜିପର୍ଯ୍ୟନ୍ତ ସବୁକଥା ଲୁଚାଇଚି । ତୁ ମୋତେ ଠକିବାକୁ ଚାହିଁଥିଲୁ କିନ୍ତୁ ବେହାରୀ ତୋତେ ଠକି ଦେଇଛି । ସେ ସବୁ ତା’ର ହାତ ମୁଠାରେ ରଖିଛି ।–ତେବେ କ’ଣ ?’’

 

‘‘ତେବେ ଏଇ’’–ରାଗିଯାଇ ଶାନ୍ତନୁ ଉଜିର୍‍ର ମୁଁହରେ ଏକ ଘୁସା ବସାଇଲା ।

 

ଉଜିର୍ ଶାନ୍ତନୁଠାରୁ ମାଡ଼ ଆଶା କରି ନଥିଲା । ତେଣୁ ସେ ସେଥିପାଇଁ ପ୍ରସ୍ତୁତ ନଥିଲା-। ସେଇ ଘୁସାରେ ତା’ର ଓଠ ଫାଟିଯାଇ ରକ୍ତ ବୋହିବାକୁ ଲାଗିଲା । ଉଜିର୍ ନିଜର ପକେଟରୁ ରୁମାଲ ବାହାର କରି ମୁହଁ ପୋଛି ପକାଇଲା । ସେଇ ମାଡ଼ରେ ତା’ର ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା ପରି ଲାଗିଲା । ସେ ମୁହଁ ପୋଛି ନେଇ ହାତ ଭରା ଦେଇ ସଡ଼କ ଉପରେ ବସି କହିଲା–

 

‘‘ତୁ ମୋତେ ମାରି କିଛି ଶାନ୍ତି ପାଇବୁ ନାହିଁ ଶାନ୍ତନୁ ମୁଁ ତୋଠାରୁ ଏପରି ଆଶା କରି ନଥିଲି । ତୁ ଭାବିଛୁ ସୁରୁଖୁରୁରେ ସବୁ କିଛି କରାଇ ନେବୁ କିନ୍ତୁ ମୋର ଆଶାର ଫଳ କ’ଣ ମୁଁ ପାଇବି ନାହିଁ ? ହଉ ଯା–ତୁ କିନ୍ତୁ ନିଶ୍ଚୟ ବେହାରୀ ପାଖକୁ ଯିବୁ । ମୁଁ ଜାଣେ ତୁ ସେଥିରୁ କିଛି ପାଇବୁ ନାହିଁ । ତା’ପରି ଲୋକ ତୋତେ ଦେଖିଲେ ଘଉଡ଼ାଇ ଦେବ । ଶେଷରେ ମୋ କଥା ମନେ ପଡ଼ିବ–ହଁ ଯଦି ଦରକାର ହୁଏ ତ ତେବେ ମୋ ସାଙ୍ଗେ ନିଶ୍ଚୟ ଦେଖା କରିବୁ ।’’

 

ଶାନ୍ତନୁ ଖୁବ୍ ଯୋରରେ ହସି ଉଠିଲା–‘‘ଆଚ୍ଛା ମୁଁ ଚାଲିଲି । କହି ସେ ଜଗତ୍‍ପୁର ଷ୍ଟେସନ ଅଭିମୁଖେ ଚାଲିବାକୁ ଲାଗିଲା ।

 

ଉଜିର୍ ଶାନ୍ତନୁର ଯିବା ବାଟକୁ ଚାହିଁ ରହିଥାଏ । ସେ କିଛି କରି ପାରିଲା ନାହିଁ । ତା’ର ବଡ଼ ଦୁଃଖ ହେଲା ଯେ ସେ ଯାହାପାଇଁ ପୂରା ଚଉଦବର୍ଷ ଅପେକ୍ଷା କରି ରହିଛି ସେ ତାକୁ ଆକସ୍ମିକ ଭାବେ ଏପରି ମାରିଲା । ସୁଲୁ ସୁଲୁ ପବନ ଲାଗି ଫାଟି ଯାଇଥିବା ସ୍ଥାନ ସବୁ ପୋଡ଼ିଉଠିଲା । ପୁଣି ଥରେ ରୁମାଲକୁ ନେଇ ଓଠରେ ମାଡ଼ି ରାସ୍ତା ଉପରକୁ ଉଠି ନିକଟବର୍ତ୍ତୀ ଏକ ପଥର ଉପରେ ଯାଇ ବସିଲା–ସେପର୍ଯ୍ୟନ୍ତ ସେ ଥରୁଥାଏ । ଏକେ ତ ବୁଢ଼ା ହୋଇ ଯାଇଛି, ଦ୍ୱିତୀୟରେ ମୁହଁ ଉପରେ ମାଡ଼, ତାକୁ ବଡ଼ ବାଧିଥିଲା । ସେ ଆଲିଜା ହୋଇ ବସି ପଡ଼ିଲା । ଦେହ ହାତ ତା’ର ଥରିବାକୁ ଲାଗିଲା ।

 

ସେ ଗୁଣୁ ଗୁଣୁ ହୋଇ କହୁଥାଏ, ‘‘ଆଚ୍ଛା ତୁମ ଦୁଇଜଣକୁ ଦେଖି ନେବି–ରହିଥାଅ’’ ।

 

ଥରିଲା ହାତରେ ପକେଟରୁ ସିଗାରେଟ୍‍ କାଢ଼ି ନିଆଁ ରାଇଲା । ସିଗାରେଟ୍‍ ନିଶାରେ କିଛିଟା କଷ୍ଟ ଦୂର ହୋଇଗଲା । ସେ ଭାବିବାକୁ ଲାଗିଲା–

 

‘‘ମୁଁ ନିଶ୍ଚୟ ଏସବୁକଥା ଅମରକୁ କହିବି । କୌଣସି କାରରେ ମୋତେ ସାହାଯ୍ୟ ନେବାକୁ ପଡ଼ିବ । ତା’ପରେ– ।’’ ସେ ସିଗାରେଟ୍‍ରୁ ଧୂଳି ଝାଡ଼ୁ ଝାଡ଼ୁ ମନେ ମନେ ଗୁଣୁଗୁଣୁ ହୋଇ କହିବାରେ ଲାଗିଥାଏ–

 

ଶାନ୍ତନୁ ସିଧା ଷ୍ଟେସନଗଲା । ସେତେବେଳକୁ ଆସନ୍‍ସୋଲ ଆସିବାପାଇଁ ସିଗନାଲ ପଡ଼ିଯାଇ ଥାଏ । ଗାଡ଼ି ଖୁବ୍ ଅଳ୍ପ ସମୟ ପରେ ଆସି ଷ୍ଟେସନରେ ଲାଗିଲା । ଶାନ୍ତନୁ ଗାଡ଼ିରେ ବସି କଟକ ଅଭିମୁଖେ ଚାଲିଲା ।

 

ଗାଡ଼ିରୁ ଓହ୍ଲାଇ ପ୍ରଥମେ ସେ ଷ୍ଟେସନରେ ପବ୍ଲିକ କଲ୍ ପାଖରୁ ଡାଇରେକ୍‍ଟୋରୀରୁ ବେହାରୀର ଠିକଣା ପାଇଗଲା । ତା’ ତଳକୁ ଲେଖା ଯାଇଥାଏ 7777, United Company–

 

Managing Director Reg No. 7777,

 

ଶାନ୍ତନୁ ଭାବିବାରେ ଲାଗିଲା, ‘‘ତେବେ ବେହାରୀ United Companyର ମାଲିକ । ସେ ଏଇ ବକ୍ସିବଜାରରେ ରହୁଛି । ଆଚ୍ଛା–ଦେଖାଯାଉ’’ କହି ଶାନ୍ତନୁ ଖଣ୍ତିଏ ରିକ୍ସା ଧରି ଚାଲିଲା ବକ୍ସି ବଜାର ।

 

ଶାନ୍ତନୁ ଜାଣିଥିଲା ଯେ ବେହାରୀ ଖୁବ୍ ଚାଲାକ୍ । ସେ ତା’ର ଚାଲ୍‍ବାଜି କାରସାଦିରେ ଏତେ ବଡ଼ ହୋଇ ପାରିଛି । ସେଇଥିପାଇଁ ସେ ଆଜି United Companyର ମାଲିକ୍ । ସେ ବଦଳି ଯାଇଥିବ ନିଶ୍ଚୟ ।

 

‘‘କିନ୍ତୁ United Company – ? ବେହାରୀ ଏ କମ୍ପାନୀ ଖୋଲିଛି କାହିଁକି ? ହଁ ହେଇଥିବ ତା’ ପାଖରେ କିଛି ଟଙ୍କା ହେଇଥିବ–ଆଉ ତାକୁ ଖଟାଇ ଥିବ । ତେବେ ବେହାରୀ ପାଖରେ ବର୍ତ୍ତମାନ ଭଲ ପଇସା ଥିବ ।’’

 

ଏହି ବିଚାର କରୁ କରୁ ବିଚାରୀ ଶାନ୍ତନୁ ଆସି ପହଞ୍ଚିଲା ବକ୍ସି ବଜାରରେ । ରିକ୍ସାବାଲାକୁ ବିଦାୟ କରି ଦେଇ ସେ ରାସ୍ତାକଡ଼ରେ ସାଇନ୍‍ବୋର୍ଡ଼କୁ ଚାହିଁ ଯାଉ ଯାଉ ଦେଖିଲା ବଡ଼ ପାଚେରୀ ଘେରା ସୁନ୍ଦର ଏକ କୋଠା । ତା’ର ସାମନାରେ ଦୁଇଟା ଚଉଆଂଶିଆ ଖୁଣ୍ଟରେ ଗୋଟିଏ ସୁନ୍ଦର ଧଳା କଳା ସାଇନ୍‍ବୋର୍ଡ଼ ଲଗାଯାଇଛି । ସେଥିରେ ଲେଖାଯାଇଛି, “United Company–Managing Director–Beharilal Das” । ସେ ପ୍ରଥମେ କିଛିକ୍ଷଣ ଠିଆହୋଇ କମ୍ପାନୀର ବାହାର ପାଖ ଉତ୍ତମ ଭାବେ ନୀରୀକ୍ଷଣ କଲା । ତା’ପରେ ରାସ୍ତା ଛାଡ଼ି କମ୍ପାଉଣ୍ତ ଭିତରେ ପଶିଲା–

 

ସାମନାରେ ଦରଓ୍ୟାନ ଠିଆ ହୋଇଥିଲା । ଦରଓ୍ୟାନଠାରୁ ଜାଣିଲା ଯେ ବାବୁ ଉପର ମହଲାରେ ଅଛନ୍ତି । ତାଙ୍କର Private secretary ତଳ ମହଲାରେ ଅଫିସ କରୁଛନ୍ତି । ସେ ଶାନ୍ତନୁକୁ Private Secretary Miss Rekha Debiଙ୍କ ପାଖରେ ନେଇ ପହଞ୍ଚାଇ ଦେଲା ।

 

ରେଖା ଦେବୀଙ୍କ ସାଙ୍ଗେ କଥାବାର୍ତ୍ତା ହେଲା ପରେ, ରେଖା ଦେବୀ ଟେଲିଫୋନ୍ ଉଠାଇ 7777 କୁ ଫୋନ୍ କଲେ । ଉପରୁ ଜବାବ୍ ଆସିଲା ପରେ ସେ ଜଣେ ଚପରାସି ସାଙ୍ଗରେ ଦେଇ ଉପର Waiting roomକୁ ପଠାଇ ଦେଲେ । ସେଠାରେ ଚପରାସି କହିଲା–ବାବୁ ବର୍ତ୍ତମାନ କାମରେ ବ୍ୟସ୍ତ ଅଛନ୍ତି । ଆପଣ ଏହିଠାରେ ଅପେକ୍ଷା କରନ୍ତୁ । ବାବୁ ଡକାଇଲେ ଭିତରକୁ ଯାଇ ଦେଖାକରି ପାରିବେ ।

 

ଶାନ୍ତନୁ ଭାବିଥିଲା ଯେ ବେହାରୀ ତା’ ନାଁ ଶୁଣିଲା ମାତ୍ରେ ତାକୁ ଦେଖା କରିବାକୁ ଆସିବ । କିନ୍ତୁ ଠିକ୍ ତା’ର ଓଲଟା ହେଲା–ଓଲଟି ଶାନ୍ତନୁକୁ ସେଠାରେ ଅପେକ୍ଷା କରିବାକୁ ପଡ଼ିଲା-। କିଛି ଡେରି ପରେ ବାହାର ଘଣ୍ଟି ବାଜିଉଠିଲା–ତିନି ଥର । ନିକଟର ଏକ ସାନ ଘରୁ ଜଣେ ଷୋଡ଼ଶୀ ବାହାରି ଆସି ଶାନ୍ତନୁକୁ ବେହାରୀ ନିକଟକୁ ନେଇ ପହୁଞ୍ଚାଇ ଦେଲା । ଚଉଦବର୍ଷ ପରେ ଦୁହେଁ ଦୁହିଁଙ୍କ ସାମନା ସାମନି ବସିଲେ ।

 

ବେହାରୀର ଅଫିସ ଟିକିଏ ବଡ଼ ଆକାରର ଥିଲା । ସେଥିରେ ସୁନ୍ଦର ଗାଲିଚା ବିଛା ହୋଇଥିଲା ଓ ଚାରିଆଡ଼େ ସୋଫା ପଡ଼ିଥିଲା । ବେହାରୀ ତା’ର ଅଫିସ ଟେବୁଲ ପାଖରେ ବସି ଫାଇଲପତ୍ର ଦେଖୁଥିଲା । ସେ ଖୁବ୍ ମୋଟାମୋଟି ହୋଇ ଯାଇଥିଲା । ଦେହରେ ସୌଖୀନ୍‍ସୁଟ୍ ମୁହଁରେ ଚୁରୁଟ୍ ଦେଇ ସେ ଅବିକଳ ଗୋରା ହାକିମ ପରି ବସିଥିଲା । ଶାନ୍ତନୁ ସାମନା ଟେବୁଲରେ ବସିଗଲା ପରେ ବେହାରୀ କହିଲା–

‘‘କ’ଣ ଶାନ୍ତନୁ–କୁଆଡ଼େ ଆସିଲ–କଥା କଅଣ ? ଆସ ଏ ପାଖକୁ ବୁଲି ଆସ ନା–ହଁ ସିଗାରେଟ୍ ନିଅ ।’’

ସୁନାର ସିଗାରେଟ୍ କେଶ୍‍ଟି ଶାନ୍ତନୁଆଡ଼କୁ ବଢ଼ାଇ ଦେଲା । ଶାନ୍ତନୁ ସିଗାରେଟ୍ କେଶ୍‍ରୁ ଗୋଟିଏ ସିଗାରେଟ୍ କାଢ଼ି ନିଆଁ ଧରାଇଲା ଓ ପାଖ କୁର୍ସି ଉପରେ ଯାଇ ବସିଲା । ଶାନ୍ତନୁ ଏକ ଦୃଷ୍ଟିରେ ବେହାରୀ ଆଡ଼େ ଚାହିଁ ସିଗାରେଟ୍ ପିଉଥାଏ । ଧୂଆଁ ଭସ୍ ଭସ୍ ବାହାର କରୁଥାଏ । ଦେଖି ଦେଖି ଶାନ୍ତନୁ ମୁହଁଟାକୁ ବିକୃତ କରି କହିଲା । ‘‘ଦଗାବାଜ୍, କୁକୁର–’’

‘‘ତେବେ ତୁମେ ଛୁଟି ପାଇ ଯାଇଛ ଶାନ୍ତନୁ, ନୁହେଁ’’–କୁର୍ସିଉପରେ ଆସି ବସି ବେହାରୀ ସିଗାରେଟ୍ ଧରାଉ ଧରାଉ ହସି ପଚାରିଲା–

“ମୁଁ କ’ଣ କହିଲି ଶୁଭିଲା ତ’’–ଶାନ୍ତନୁ ଗମ୍ଭୀର ଭାବେ ପୁଣି ଥରେ ପଚାରିଲା–

‘‘ହଁ ଶୁଣିଲି ତ କିନ୍ତୁ ଏହି ଦୁର୍ବ୍ୟବହାରପାଇଁ ମୁଁ କଳି କରିପାରିବି ନାହିଁ । ସେ ସବୁର ବହୁତ ଦୂରରେ ମୁଁ–ଆଚ୍ଛା ଭାଇ–ତୋପାଇଁ ମୁଁ କ’ଣ କରିପାରିବି କହିଲୁ ।’’

‘‘ବହୁତ କିଛି !–ହଁ ବେହାରୀ ତୁ ଜାଣୁ ଯଦି ମୁଁ ଚାହିବି ତୋତେ ଫାସିରେ ଝୁଲାଇ ପାରିବି । ଆଉ ସେ ଡର ବୋଧେ ତୋର ନିଶ୍ଚୟ ଥିବ । ତାକୁ ତୁ ଭୁଲି ପାରିବୁ ନାହିଁ । କ’ଣ, ଠିକ୍’’–

ବେହାରୀ ମୁଡ଼ୁକୁହସା ଦେଇ କହିଲା, ‘‘ଶାନ୍ତନୁ–ତୁ ଜାଣୁ–ତୋର ଯାହା କହିବାର ଥିଲା ତୁ ଅଦାଲତରେ କହିନାହୁଁ । ଯଦି ତୁ ଏକଥା କହିବୁ ତେବେ ତୁ ନିଶ୍ଚୟ ମୋ ସାଙ୍ଗରେ ଫାସିରେ ଝୁଲିବୁ–ମୁଁ ତ ଏକାଟିଆ ଝୁଲିବି ନାହିଁ ।’’

 

ଶାନ୍ତନୁ ଖୁବ୍ ଜୋରରେ ହସି ଉଠିଲା–କହିଲା–‘‘ବେହାରୀବାବୁ, ମଦନବାବୁଙ୍କ ହତ୍ୟା ଅଭିଯୋଗରେ ମୁଁ ମୋର ଭାଗ ସଜା ଭୋଗି ସାରିଚି ଆଉ ତ ଭୋଗିବାକୁ ନାହିଁ । ବର୍ତ୍ତମାନ ମୋର କେହି କିଛି କରିପାରିବେ ନାହିଁ,–

 

କିନ୍ତୁ ‘‘ତୁମେ’’–

 

ଏତକ ଶୁଣି ବେହାରୀର ମୁହଁ କଳା ପଡ଼ିଆସିଲା । ସେ ଭାବି ନଥିଲା ଯେ ଶାନ୍ତନୁ ଏତେ tactfully କଥା କହି ଜାଣେ ବୋଲି । ତଥାପି ମୁହଁରେ ଫିକା ହସ ଫୁଟାଇ କହିଲା–‘‘ତୁ ମୋ ସାଙ୍ଗରେ କିଛି ଲଗାନା’’ ।

 

‘‘ଆଚ୍ଛା ମୁଁ ସମୟ ଦେଲି ତୁ ଭାବି ଦେଖ୍ କିମ୍ବା କୌଣସି ଓକିଲଠାରୁ ପରାମର୍ଶ କରି ମୋତେ ପରେ କହିବୁ’’ କହି ଶାନ୍ତନୁ ଉଠିବାକୁ ବସିଲା–

 

‘‘ତେବେ ତୁ ଚାହୁଁ କ’ଣ ? ତୋ ଭାଗ ତୁ ତ ଚାହୁଁ–ଆଉ ଏତେ ଗଣ୍ତଗୋଳ କାହିଁକି ? ମୁଁ ତ ତୋ ଭାଗ ଦେବାକୁ ପ୍ରସ୍ତୁତ ଅଛି । ତୁ ତୋ ଭାଗ ଗଣ୍ତାକ ବୁଝି ନେଇପାରୁ ।’’ ଥରାଗଳାରେ ବେହାରୀ କହି ଖଣ୍ତେ ସିଗାରେଟ୍ ଲଗାଇଲା–

 

‘‘ହଁ ମୁଁ ତ ମୋ ଭାଗ ନେବି, କିନ୍ତୁ ତୋତେ ତୋ United Companyରୁ ଅଧା ଦେବାକୁ ପଡ଼ିବ ।’’ ହସି ହସି ଶାନ୍ତନୁ ଜବାବ ଦେଲା–

 

କିନ୍ତୁ ଏ ଜବରଦସ୍ତିଆ କଥା କ’ଣ । ପୂରା ଚଉଦବର୍ଷ ଲାଗି ମୁଁ ଏ କମ୍ପାନୀକୁ ଗଢ଼ିଆଣିଛି ଆଉ ତୁ ସିଧାସଳଖ ଗୋଟିଏଘଣ୍ଟାରେ ଅଧା ଭାଗ ନେଇଯିବୁ କାହିଁକି ? ତୋର ମୋର ମିଳି ଯାହା ରୋଜଗାର କରିଥିଲେଁ ସେଇଥିରୁ ତୁ ଅଧା ନେଇପାରୁ । ତା’ବୋଲି ତୋର ଏ କମ୍ପାନୀରେ ଅଧିକାର କ’ଣ ଅଛି ? ତୁ କିଏ ଏ କମ୍ପାନୀରୁ ହକ୍ ଭାଗ ନେବାବାଲା ।’’

 

ଶାନ୍ତନୁ ମୁହଁ ବୁଲାଇ ନେଇ କହିଲା–‘‘ଚଉଦବର୍ଷପର୍ଯ୍ୟନ୍ତ ମୋରି ଧନ ଖଟେଇ ତୁ ଆଜି ଧନୀ । ଅଥଚ ମୁଁ ସେଇ ଧନପାଇଁ ସବୁକିଛି କଷ୍ଟ ଜେଲ୍‍ଭିତରେ ଭୋଗିଛି । ଅଥଚ କେବଳ ଧନର ମୋହରେ ମୁଁ ତୋର ନାଁ ଗନ୍ଧ ସୁଦ୍ଧା କହିନି କଚେରୀରେ । ବର୍ତ୍ତମାନ ତୁ ମୋତେ ଫାଙ୍କି ଦେବାକୁ ବସିଛୁ ପୁଣି ଓଲଟି କ’ଣ ନା ମୋର ସେଥିରେ କିଛି ଭାଗ ନାହିଁ ।

 

ବେହାରୀ ସବୁକଥା ଶୁଣିବାର ଅବସ୍ଥାରେ ନଥିଲା । ମଝିରେ ସେ କହିଲା–‘‘ମୁଁ କାଲି ତୋର ଭାଗ ଦେଇଦେବି । ଆଜି ତ ମୋ ପାଖରେ ସେମିତି କିଛି ବେଶୀ ନାହିଁ । ତା’ଛଡ଼ା ବ୍ୟାଙ୍କ୍ ବନ୍ଦ ହୋଇଗଲାଣି । ମୁଁ କାଲି ସବୁ ଚୁକ୍ତି କରିଦେବି ।’’

 

‘‘କାଲି କେତେବେଳେ ?’’

 

ଏଇ ୧୦/୧୧ଟାବେଳେ ତୁ ଆ’’

 

‘‘ହଁ କାଲି ୧୦ଟାବେଳେ ମୁଁ ଏଠି ଆସି ପହଞ୍ଚିବି ।“ ଶାନ୍ତନୁ ଉଠୁ ଉଠୁ ପୁଣି ପଚାରିଲା, ‘‘କ’ଣ କେତେ ଦେବାର ଠିକ୍ ହେଲା ?’’

 

‘‘ଏଇ ପଚାଶ ହଜାର’’

 

‘‘ବାସ୍–ଏତିକି, ତୁ ମିଛ କହୁଛୁ ବେହାରୀ’’

 

‘‘ନାଁ ଶାନ୍ତନୁ, ମୁଁ ଠିକ୍ କରୁଛି ଏଇ ଲକ୍ଷକରୁ କମ୍ ସେଠୁ ମିଳିଥିଲା, କିନ୍ତୁ ମୁଁ ତୋତେ ପଚାଶ ହଜାର ଦେଇ ଦେଉଛି । ତୋର କ୍ଷତି କ’ଣ ।’’

 

ଶାନ୍ତନୁ ଦେଖିଲା ଯାହା ମିଳିଲା ସେତିକି ଲାଭ–‘‘ଆଚ୍ଛା କାଲି ଠିକ୍ ୧୦ଟାବେଳେ ମୁଁ ଆସି ପହଞ୍ଚିଯିବି,’’ କହି ଶାନ୍ତନୁ ସିଧା ବାହାରି ଚାଲି ଆସିଲା–

 

ତା’ପର ଦିନ ଠିକ୍ ଦିନ ୧୦ଟାବେଳେ ଶାନ୍ତନୁ ଯାଇ ପହଞ୍ଚିଲା । United Company ସାମନାରେ । ସିଧା ଉପରକୁ ଚାଲିଗଲା । ବେହାରୀ ପଚାଶ ହଜାର ଟଙ୍କାର ଗୋଟିଏ ବିଡ଼ା ଆଣି ଶାନ୍ତନୁ ସାମନାରେ ଥୋଇଲା । ଶାନ୍ତନୁ ସେଇଥିରେ ସନ୍ତୁଷ୍ଟ ହୋଇ ଗଣିବାରେ ଲାଗିଲା–

 

ବେହାରୀ ବସି ଦେଖୁ ଦେଖୁ ଚମକିପଡ଼ି କହିଲା–‘‘ହଁ ଦେଖ୍ ଶାନ୍ତନୁ, ମୁଁ ତୋତେ ଗୋଟିଏ ଭଲ କଥା କହିବି । ତୁ ଏ ଟଙ୍କା ବ୍ୟାଙ୍କରେ ରଖିବୁ ନାହିଁ । ବ୍ୟାଙ୍କରେ ରଖିଲେ ବିପଦ; ତେଣୁ ତୁ ଗୋଟିଏ ବାକ୍ସ କିଣି ସେଥିରେ ଗୋଟିଏ ଭାରି ତାଲା ଝୁଲା ଆଉ ସେ ତାଲା ମୁହଁ ସିଲ୍ କରିଦେ । ସେଥିରେ ତୋର ଉପକାର ହେବ ।’’

 

–ବାଃ ବେହାରୀ ! ଧନ୍ୟ ତୋର ବୁଦ୍ଧି । ନହେଲେ କି ତୁ ଏତେ ଶୀଘ୍ର ଲକ୍ଷପତି ବନି ନଥାନ୍ତୁ । ହଁ, ମୁଁ ମଧ୍ୟ ସେଇଆ ପାଞ୍ଚିଥିଲି ।

 

ଶାନ୍ତନୁ ଟଙ୍କା ସବୁ ଗୋଟିଏ ଥଳିରେ ଭରି ତାକୁ ଠିକ୍‍ଭାବେ ବନ୍ଧାବନ୍ଧି କରି ଧରିଲା । ତା’ପରେ ବେହାରୀକୁ କହିଲା–ଦେଖ୍ ଭାଇ ବର୍ତ୍ତମାନ ତ ତୋ କହିବା ଅନୁସାରେ ଅଧା ଭାଗ ମିଳିଗଲା, କିନ୍ତୁ ମୋର ଟଙ୍କାରେ ଯେଉଁ ପୁଞ୍ଜି ଗଢ଼ିଉଠିଛି ମୁଁ ତାକୁ ନନେଇ ଛାଡ଼ିବି ନାହିଁ ।

 

–ଚିଡ଼ି ଉଠିଲା ବେହାରୀ କହିଲା–‘‘କ’ଣ କହିଲୁ ?’’

 

ବେହାରୀ ସଂପୂର୍ଣ୍ଣ କଥା କହିସାରି ନାହିଁ ଶାନ୍ତନୁ ଉଠିପଡ଼ି କହିଲା–‘‘ହଁ–ହଁ–ଯାହାକୁ କି ଚଉଦବର୍ଷ ଖଟେଇ ଲାଭ ଉଠେଇଛୁ ।’’

 

‘‘କିନ୍ତୁ ଶାନ୍ତନୁ, ମୁଁ ତ ଏଠି ଏକେଲା ହିସାଦାର ନୁହେଁ ।

 

–ଏଇ କମ୍ପାନୀ ଏକ ଯୌଥ ପ୍ରତିଷ୍ଠାନ । ଅନ୍ୟମାନଙ୍କର ତ ଭାଗ ଅଛି ।’’

 

ଯାହା ହେଉ ନା କାହିଁକି ତୋର ଭାଗରୁ ତୁ ତ ଅଧା ନେଇ ପାରିବୁ କହି ଶାନ୍ତନୁ ଉଠି ସିଧା ଚାଲିଗଲା ।

 

ବେହାରୀ କିଛି ସମୟପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ବସି ରହିଲା । ତା’ର ମୁହଁରୁ କଥା ବାହାରିଲା ନାହିଁ । ଥକ୍‍କା ହୋଇ କିଛି ସମୟ ବସିଲା ପରେ ସେକ୍ରେଟରୀକୁ ଡାକି ବାହାରକୁ ଯିବାପାଇଁ ପ୍ରସ୍ତୁତ ହେଲା । ସାମନା ମେନ୍‍ରୋଡ଼କୁ ଆସି ସେ କାର୍‍ରେ ବସି ସିଧା ଚାଲିଲା ଷ୍ଟେସନ ଆଡ଼େ । କଲେଜ ଛକ Public phoneପାଖେ ସେ ଗାଡ଼ି ଠିଆ କଲା । ଚିନ୍ତାଗ୍ରସ୍ତ ମୁଣ୍ତ ନେଇ କାର୍ ଭିତରୁ ଓହ୍ଲାଇ ଆସି ଫୋନ୍ କରିବାପାଇଁ ଗଲା । ଫୋନ୍ ନମ୍ବର ମିଳିବା ସଙ୍ଗେ ସଙ୍ଗେ ଏକ କଡ଼ା ଆବାଜ୍ ଆସିଲା–

 

‘‘ଇୟେସ୍ ମୁଁ ଅମର କହୁଛି,’’

 

‘‘ମୁଁ ବେହାରୀ କହୁଛି । ‘‘ହଁ ସବୁ ଭଲ ତ ?’’

 

‘‘ହଁ ଅମର–ଶାନ୍ତନୁ ଫେରି ଆସିଲାଣି ତୁ ଜାଣିଥିବୁ ବୋଧେ ।

 

‘‘ହଁ ହଁ ଡରିବାର କ’ଣ ଅଛି । ସେ ବର୍ତ୍ତମାନ Labour Colonyରେ ରହୁଛି No, C/14/L.

 

‘‘ହଁ ଅମର ଗୋଟିଏ ଜରୁରି ଖବର । ମୁଁ ଚାହୁଁଛି ଦଶହଜାର ଟଙ୍କା ବଦଳରେ ଶାନ୍ତନୁର ମୃତ ଦେହ–ତୁମ ଛଡ଼ା ଆଉ କେହି ପାରିବେ ନାହିଁ । ରହିଲା’’–କହି ଲାଇନ କାଟି ଦେଇ ମଟରରେ ବସିଲା । ମଟରର ଗତି ବଢ଼ି ଚାଲିଲା ।

 

ଜୟନ୍ତବାବୁ ଓ ଦାମୋଦର ଦୁହେଁ ସେଇ ଛୋଟ ଗାଁଟିରେ ବାଧ୍ୟ ହୋଇ ରହିଥିଲେ ମଟର ସଜଡ଼ା ସରିବାପର୍ଯ୍ୟନ୍ତ । ଜଗୁ ତା’ର ସମସ୍ତ ଶକ୍ତି ଖଟେଇ ମଟରରେ କ୍ଳଚ ଠିକ୍ କରୁଥାଏ । ସାଙ୍ଗେ ସାଙ୍ଗେ ଛୋଟଗାଁଟିରେ ଜୟନ୍ତ ଓ ଦାମୋଦରଙ୍କର ଆସିବା ରାଷ୍ଟ୍ର ହୋଇଗଲା । ନବାଗତ ଆଗନ୍ତୁକ ଦ୍ୱୟଙ୍କୁ ସାଦର ସମ୍ଭାଷଣ ଜଣାଇବାପାଇଁ ଗାଁସାରା ବୁଢ଼ା ବୁଢ଼ାମାନେ ଆସି ଛୋଟ ଧର୍ମଶାଳା ଘରଟି ପୂର୍ଣ୍ଣ କରି ଦେଲେ । କିଏ କେତେ ପ୍ରକାର ପ୍ରଶ୍ନ ପଚାରିବାରେ ଲାଗିଲେ–ନାଁ ଗାଁ ଘର ଠିକଣାଠାରୁ ଆରମ୍ଭ କରି ରାଜନୀତି, ସମାଜନୀତି, ସରକାରନୀତି ସବୁ କିଛି । ଜୟନ୍ତ ବାବୁ ତାଙ୍କର ଯଥା ସାଧ୍ୟ ଚେଷ୍ଟାକରି ସବୁର ଉତ୍ତର ଦେବାରେ ଲାଗିଲେ ।

 

କିନ୍ତୁ ଏଣେ ଦାମୋଦର ଘର ତମାମ୍‍ ବୁଲି ମଶା ଶିକାରରେ ଲାଗିଥାନ୍ତି । ସମସ୍ତେ ବିଦା ହୋଇଗଲେ କିନ୍ତୁ ଦାମୋଦରର ଶିକାର ସରି ନଥାଏ । ଜୟନ୍ତବାବୁ ଏହି କାଣ୍ତ ଦେଖି ଦେଖି ତାଙ୍କର ଏକ ଅଦ୍ଭୁତକଥା ଦିନକର ମନରେ ପଡ଼ିଲା । ସେ ହସିବାରେ ଲାଗିଲେ । ଦାମୋଦର କିନ୍ତୁ ଜାଣି ନ ଜାଣିଲା ପରି ସେ ତାଙ୍କ କାମରେ ଲାଗିଥାନ୍ତି । ସେଇ ସମୟରେ ଏକ ୨୫ ବର୍ଷର ସୁଠାମ ଗୌର ଯୁବକ ଘର ଭିତରକୁ ପଶି ଆସିଲେ । ତାଙ୍କୁ ଦେଖି ଦୁହିଁଙ୍କର କାମ ଥପ୍ କରି ବନ୍ଦ ହୋଇଗଲା–

 

‘‘ଆପଣ..... ! ଜୟନ୍ତବାବୁ ପଚାରିଲେ ?

 

‘‘ମୁଁ ଏହି ଗ୍ରାମର ଜଣେ.....ସବୁ କାମଦାମ ସାରି ଆପଣଙ୍କର ଆଡ଼େ ଟିକିଏ ବୁଲି ଚାଲି ଆସିଲି ।’’

 

‘‘ହଁ ଭଲ କଲେ ନା–ଆମକୁ ତ ବରଂ ଖରାପ ଲାଗିଥାନ୍ତା–ଆପଣଙ୍କର ଘରଟା ଏଇ ନିକଟରେ ବୋଧେ’’ କହି ଜୟନ୍ତବାବୁ ଅନାଇ ରହିଲେ ।

 

ଯୁବକଟି ପ୍ରଥମେ ତା’ର ନିଜର ପରିଚୟ ଦେଲା ଯେ ତା’ର ନାମ ସୁନୀଲ୍‍ । ଏଇ ଆଗ ନାଲି କୋଠାକୁ ଯିବା ରାସ୍ତାରେ ତା’ର ଘର ଓ ସେ ଏଇ ନିକଟରେ ଯୁଦ୍ଧରୁ ଫେରି ଘରେ ଅଛି ।

 

ଦାମୋଦର ସବୁ ଶୁଣି ତାଙ୍କର କାମରେ ମନ ଦେଲେ । ମଶା ମାରି ସାରିବା ପରେ ସେ ଆସି ସୁନୀଲ୍‍ ସାଙ୍ଗରେ କଥାବାର୍ତ୍ତାରେ ଯୋଗଦେଲେ । ସେମାନେ ନିଜକୁ ସି.ଆଇ.ଡି ବୋଲି ପରିଚୟ ନଦେଇ ଏକ ଯାତ୍ରୀ ବୋଲି ପରିଚୟ ଦେଉଥାଆନ୍ତି ।

 

‘‘କଥାବାର୍ତ୍ତା ହେଉଁ ହେଉଁ ମଝିରେ ଦାମୋଦର ପଚାରିଲେ–ସେ ନାଲି କୋଠା ଖାଲି ଅଛି ନାଁ ।’’

 

–ଆଜ୍ଞା ‘ଲାଲଭବନ’ ନା–ସେ ତ ମଦନବାବୁଙ୍କ ମରିବା ପରଠାରୁ ସେମିତି ଖାଲି ଅଛି-। ସେଠିକାର ମାଳୀ ମଧ୍ୟ ଏଇ ଗାଁର । ତା’ ନାଁ ମୋହନ, ଆଜ୍ଞା । ସେ, କେବଳ ଦିନଯାକ ସେଇଠି ଥାଏ ଆଉ ସନ୍ଧ୍ୟା ହେଲେ ଘରକୁ ଆସେ ।

 

‘‘ତେବେ ତା’ର ମାଲିକ ବର୍ତ୍ତମାନ କିଏ ?’’ ଦାମୋଦର ପଚାରିଲେ, ତା’ର ମାଲିକ–ହଁ–ମୁଁ–ଯେତେବେଳେ ଯୁଦ୍ଧକୁ ଗଲି ସେତେବେଳେ ଏକ ସ୍ତ୍ରୀ ଆସି ମଝିରେ ମଝିରେ ରହୁଥିଲା । ଲୋକେ କହୁଥିଲେ କି ସେ’ ସେ ଘରକୁ କିଣି ନେଇଛି । କିନ୍ତୁ ମୁଁ ଯୁଦ୍ଧରୁ ଫେରି ଶୁଣିଲି ଯେ ସେ ଘର United & Co. ଅଣ୍ତରରେ । ବେହାରୀଲାଲ ବୋଲି ଜଣେ କିଏ ସହର ବାସିନ୍ଦା ସମୁଦାୟ ଏରିଆ କିଣି ନେଇଛି । ସେ ଏଠାରେ ଗୋଟାଏ କଳ ବସାଇବାର ଉଦ୍ୟମ କରୁଛି ।

 

ଭାବି ଭାବି ଦାମୋଦର ପୁଣି ପଚାରିଲେ–‘‘ଆଚ୍ଛା ତାକୁ ତୁମେ ଦେଖିଛ ? ତା’ ବିଷୟରେ ଆଉ ସବୁ କ’ଣ ଜାଣିଛ ।’’

 

‘‘ନାଁ ଆଜ୍ଞା, ତାଙ୍କୁ ତ ମୋଟରୁ ଦେଖିନି ତା’ଛଡ଼ା କିଛି ମଧ୍ୟ ଶୁଣିନାହିଁ ।’’

 

‘‘ଆଚ୍ଛା ଏଠି କି କଳ ବସିବ ବୋଲି ଶୁଣୁଛ ?’’

 

‘‘ଆଜ୍ଞା, ସେ ତ ସମୁଦାୟ ଗାଁଟା କିଣି ନେଇଛି ବୋଲି ଶୁଣାଯାଉଛି । ସେ ଏଠିକାର ସବୁ ଘରଦ୍ୱାର ଭାଙ୍ଗି ନୂଆ ପକ୍କା ଘର ତୋଳାଇ ଦେବ । ସମସ୍ତେ ସେଠି ରହିବେ ଓ ତା’ କଳରେ କାମ କରିବେ । ସୂତାକଳ ବସିବ ବୋଲି ତ କୁହାକୁହି ହେଉଛନ୍ତି । ଆଜ୍ଞା, ଯଦି ସେମାନେ ପକ୍କାଘର ତୋଳେଇ ଦିଅନ୍ତି ନା ତେବେ ମୋର ପ୍ରସ୍ତାବିତ ସ୍ତ୍ରୀ ନଳିନୀକୁ ଆଣି ସେଠି ପ୍ରଥମେ ରଖିବି ।’’

 

‘‘ସୁନୀଲିର କଥା ଶୁଣି ଦୁହେଁ ହସି ଉଠିଲେ । ହସି ହସି ଦାମୋଦର ପଚାରିଲେ ‘‘କ’ଣ ସେ ‘ଲାଲଭବନ’କୁ ବି ତାଡ଼ି ସମତୁଲ କରିଦେବେ ?’’

 

‘‘ହଁ ?’’

 

ଏକଥା ଶୁଣି ଦୁହେଁ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଗଲେ । ସନ୍ଦେହୀ ମନ ତାଙ୍କର ଚେଇଁ ଉଠିଲା । ଦୁହେଁ ଗୁଣୁ ଗୁଣୁ ହୋଇ କହି ଉଠିଲେ ‘‘ଆଶ୍ଚର୍ଯ୍ୟ ତ ଏ କମ୍ପାନୀ ।’’

 

‘‘ଦାମୋଦର ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘‘ଆଚ୍ଛା ମଦନବାବୁଙ୍କର ଯେଉଁ ହତ୍ୟା ମକଦ୍ଦମା ହୋଇଥିଲା, ସେ କ’ଣ ସେଇ ଘରେ ମରିଥିଲେ।’’

 

–‘‘ଆଜ୍ଞା, ଆଜକୁ ଚଉଦବର୍ଷ ପୂର୍ବେ ମଦନବାବୁଙ୍କ ହତ୍ୟା ଏଇ ଘରେହି ହୋଇଥିଲା । ସେ ଖୁବ୍ ଅମାୟିକ ଲୋକ ଥିଲେ । ଆମେମାନେ ସେତେବେଳେ ୧୦/୧୧ ବର୍ଷର ହୋଇଥାଉଁ । ସେ ତାଙ୍କର ଘରେ ଆମମାନଙ୍କୁ ଖୁବ୍ ଆଦର କରୁଥିଲେ । ସେ ବାହା ହୋଇ ନଥିଲେ କିନ୍ତୁ ମରିବା ପରେ ତାଙ୍କର ସମ୍ପତ୍ତି ଯାହାଥିଲା, ତା’ ସହିତ ନଗଦ ପନ୍ଦର ହଜାର ଟଙ୍କା ମଧ୍ୟଥିଲା ।

 

‘‘ତେବେ ସେସବୁ ଏ ଗାଁ ବାଲାଙ୍କର ନିଶ୍ଚୟ ହୋଇଥିବ । ଖଜଣା ପ୍ରଭୃତିରୁ ଆଦାୟ ଟଙ୍କା ସବୁ ଜମା ରହି ଥିବ ।’’

 

ସେ କଥାତ କହି ପାରିବି ନାହିଁ ତେବେ ଏତିକି ଜାଣେ ଯେ ବର୍ତ୍ତମାନ ମାଲିକ ବେହାରୀବାବୁ, ମଦନବାବୁଙ୍କଠାରୁ ଯଥେଷ୍ଟ ବେଶୀ ଖଜଣା ନେଉଛନ୍ତି ।

 

ସିଗାରେଟ୍‌ରେ ନିଆଁ ଧରାଉ ଧରାଉ ଦାମୋଦର ସୁନୀଲ୍‍କୁ ପୁଣି ଥରେ ଭଲ ଭାବେ ଦେଖି ନେଲେ । ସୁନୀଲ୍‍ଠାରୁ ସବୁକଥା ଶୁଣି ଲାଲଭବନ ବିଷୟରେ ଦାମୋଦର ଭାବିବାକୁ ଲାଗିଲା । ତାଙ୍କ ମନରେ ଗୋଟିଏ କଥା ସବୁବେଳେ ଘୂରିବାକୁ ଲାଗିଲା, ଯେ କାହିଁକି ସେଠି କେହି ରହୁ ନାହାନ୍ତି । ଭାବି ଭାବି ପଚାରିଲେ,

 

‘‘ସେଠି ପରା ମଦନବାବୁଙ୍କର ହତ୍ୟା ହୋଇ ଥିଲା ? କ’ଣ କେହି ଧରା ପଡ଼ିଲେ’’ ?

 

‘‘ହଁ ସେ ଚଉଦବର୍ଷ ତଳର କଥା, ଯେତେବେଳେ କି ଛୋଟ ଥିଲି । ସେଇ ଘରେ ମଦନବାବୁଙ୍କର ମୃତ୍ୟୁ ହୋଇଥିଲା । ହତ୍ୟାକାରୀ ଧରାଯାଇ ଥିଲା ସମସ୍ତେ କହୁଥିଲେ ତା’ ନା ଶାନ୍ତନୁ ଦାସ ଥିଲା ବୋଲି ସେ କଟକରେ ଯାଇ ଧରା ପଡ଼ିଲା ।’’

 

‘‘ହତ୍ୟା କରି ସେ ତ କିଛି ନେଇପାରିଲା ନାହିଁ ବୋଧେ ?’’

 

‘‘ସେକଥା କିମିତି ମୁଁ କହି ପାରିବି ଆଜ୍ଞା । ତେବେ ଏତିକି ଶୁଣିଛି ଯେ ବାପା ମା’ କହୁଥିଲେ କଚେରୀରେ ଜଜ୍‍ସାହେବଙ୍କ ସାମନାରେ ସେ କିଛି କହିବାକୁ ଚାହୁଁଥିଲା କିନ୍ତୁ ନକହି ରହିଗଲା । ସେଥିରୁ ସମସ୍ତେ ଭାବୁ ଥିଲେ ବୋଧେ ସେ ଏକା ନଥିଲା । ଦୁଇଜଣ ଥିଲେ ।’’

 

ଦାମୋଦର ତା’ ପିଠିରେ ହାତ ବୁଲାଇ ଆଣି କହିଲେ, ତୁମେ ପରା ‘ଲାଲଭବନ’ର ମାଳୀର ଝିଅକୁ ବାହା ହେଉଛ । ତୁମେ ତ ସେଠିକୁ ନିଶ୍ଚୟ ଯାଉଥିବ ? ତେବେ ମୋତେ ଟିକିଏ ‘ଲାଲଭବନ’ ବୁଲାଇ ଆଣି ପାରିବ ନାହିଁ ।

 

ସୁନୀଲ୍‍ ‘ଲାଲଭବନ’ ବୁଲାଇ ଆଣିବାପାଇଁ ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ବିଦାୟ ନେଇ ଘରକୁ ଫେରି ଆସିଲା । ଦାମୋଦର ତା’ର ସନ୍ଦେହ ବିଷୟ ସବୁ ଖୋଲି ଜୟନ୍ତବାବୁଙ୍କୁ କହିଲେ ।

 

ଜୟନ୍ତବାବୁ ଶୁଣି ଶୁଣି କହିଲେ–ଆଚ୍ଛା ଦାମ, ଆମେ ତ ଛୁଟିରେ ଅଛେଁ ସେଥିରୁ ଆମକୁ କ’ଣ ମିଳିବ । ଆମେ କାହିଁକି ସେ ଚଉଦବର୍ଷ ତଳର କଥାରେ ଏତେ ମୁଣ୍ତ ଖେଳାଇବା ।

 

‘‘କିନ୍ତୁ ମୋର କାହିଁକି ବିଶ୍ୱାସ ଯେ ସେଇ ‘ଲାଲଭବନ’ରେ ବର୍ତ୍ତମାନ ସୁଦ୍ଧା ସେ ହତ୍ୟାକାରୀ ଅଛି । ପ୍ରକୃତ ହତ୍ୟାକାରୀ ଧରାପଡ଼ିନାହିଁ ।’’

 

‘‘ମୋର ତ ମଧ୍ୟ ସେଇ ଧାରଣା, କିନ୍ତୁ କ’ଣ କରାଯିବ’’ କହି ଜୟନ୍ତବାବୁ ଚୁପ୍ ରହି ଶୋଇବାର ବନ୍ଦୋବସ୍ତରେ ଲାଗିଲେ । ଦାମୋଦର ବୁଝିଲେ ଯେ ଜୟନ୍ତ ବି ତାଙ୍କ ସାଙ୍ଗରେ ସେ ବିଷୟରେ ମୁଣ୍ତ ଖେଳାଉଛନ୍ତି ।

 

ତା’ ପର ଦିନ ଠିକ୍ ଦ୍ୱିପହରକୁ ଦାମୋଦର ସୁନୀଲ୍‍ଙ୍କୁ ଭେଟିଲା । ଜୟନ୍ତବାବୁ ନଯାଇ ଘରେ ଥାନ୍ତି । ସେ ଗାଁରେ ବୁଲି ସବୁ ବିଷୟ କଥାଛଳରେ ପଚାରୁଥାନ୍ତି । ଦାମୋଦର ଓ ସୁନୀଲ୍‍ ଦୁହେଁ ‘ଲାଲଭବନ’ ଅଭିମୁଖେ ଚାଲିଲେ । ପ୍ରଥମେ ଦାମୋଦର ବଗିଚା ବୁଲିବାରେ ଲାଗିଲେ । ଚାରି-ପାଖର ବଗିଚା ଦେଖା ସଙ୍ଗେ ସଙ୍ଗେ ବାହାର ପଟ ସମୁଦାୟ ଭଲ ଭାବରେ ଦେଖିନେଲେ । ବଗିଚାରେ ସବୁ ଫୁଲ ସୁନ୍ଦର ଭାବରେ ଫୁଟିଥାଏ ।

 

ସୁନୀଲି ମାଳୀ ମୋହନ ସଙ୍ଗେ ପରିଚୟ କରାଇ ଦେଲା । ମୋହନ ଦେଖିବାକୁ ଡେଙ୍ଗା ସୁସ୍ଥ ସବଳ କିନ୍ତୁ ରୁକ୍ଷ, ବୟସ ୪୫ ପାଖାପାଖି । ମୋହନକୁ କେହି ବିଦେଶୀ ଦେଖିଲେ ଭାବେ ଯେ ନିଶ୍ଚୟ ଏ ଗୋଟାଏ ବଦ୍‍ମାସ । ତା’ର ମୁହଁ ତାକୁ ସେଇ ରୂପରେ ପରିଣତ କରାଏ ।

 

ମୋହନ ଦାମୋଦରଙ୍କୁ କହିଲା, ବୁଝିଲେ ବାବୁ–‘‘ଏ ହତ୍ୟାରେ କିଛି ତ ରହସ୍ୟ ଥିଲା ପରି ଜଣାପଡ଼ୁ ନାହିଁ । ପୁଲିସ ତ ହତ୍ୟାକାରୀକୁ ଗିରଫ୍ କରି ନେଇଥିଲା । ସେ ତ ଫେରିଛି ବର୍ତ୍ତମାନ ତା’ର ନାମ ଶାନ୍ତନୁ ଥିଲା ।’’

 

‘‘ଓଃ ! କିନ୍ତୁ ମୁଁ ତ ହତ୍ୟାକାରୀ ବା ହତ୍ୟା ସମ୍ବନ୍ଧୀୟ କୌଣସି କାର୍ଯ୍ୟରେ ଆସିନାହିଁ । ମୁଁ ତ କେବଳ ଟିକେ ଦେଖିବାକୁ ଆସିଥିଲି ।’’

 

ଦାମୋଦର ହସି ହସି କହିଲା, ‘‘ମୁଁ ଯଦି ଘର ବୁଲିବି କ’ଣ ତୁମର କିଛି ଆପତ୍ତି ଅଛି-?’’

 

‘‘ନା, ନା, ସେଥିରେ ଆପତ୍ତି କରିବାରେ କ’ଣ ଅଛି ? ତେବେ ଏ ବୃଥା ସମୟ ନଷ୍ଟ ଛଡ଼ା ଆଉ କିଛି ନୁହେଁ । କେବଳ କେତୋଟି ବଡ଼ ବଡ଼ ଘର, ବାରଣ୍ତା ଓ ଗଳି ଛଡ଼ା ଆଉ କିଛି ନାହିଁ । ମୁଁ ଯଦି ଆପଣଙ୍କ ଯାଗାରେ ହୋଇଥାନ୍ତି ନା କେଭେ ହେଲେ ଏ ଘରର ଚୌହଦି ବି ମାଡ଼ନ୍ତି ନାହିଁ କହି, ମୋହନ ଟିକିଏ ଆଗେଇଗଲା ।

 

ବହୁତ ଜିଦି ପରେ ସୁନୀଲ୍‍ ଘରର ଚାବି ଆଣି ସବୁ ଘର ଖୋଲିଲା । ଦାମୋଦର ସୁନୀଲ୍‍ ସାଙ୍ଗେ ବୁଲିବୁଲି ସବୁ ଦେଖିବାରେ ଲାଗିଗଲେ । ଦାମୋଦରଙ୍କ ମନରେ ଗୋଟିଏ ଭାବନା ସବୁବେଳେ ଉଙ୍କି ମାଇଲା, ‘‘ସେ ହେଉଛି, କାହିଁକି ମୋହନ ବାରଣ କଲା, ନିଶ୍ଚୟ କିଛି ନା କିଛି ଗୁପ୍ତକଥା ଅଛି । ତା’ଛଡ଼ା ସୁନୀଲ୍‍ କହୁଥିଲା କି ସେ ହତ୍ୟାରେ ଦୁଇଜଣଙ୍କର ହାତ ଅଛି । ଯଦି ଜଣେ ଶାନ୍ତନୁ ହୁଏ ତେବେ ଆଉ ଜଣକ–’’

 

ଘର ଭିତରେ ପଶିବାକୁ ହେଲେ ପ୍ରଥମେ ଗୋଟିଏ ଗୋଲ ବଡ଼ ହଲ ଭିତରଦେଇ ଯିବାକୁ ପଡ଼େ । ଦୁହେଁ ସେଇ ଘରକୁ ପ୍ରଥମେ ପଶିଲେ । ଘରଟି ବେଶ୍ ସୁସଜ୍ଜିତ ଓ ଚିତ୍ରବିଚିତ୍ର ପୁରୁଣା ଢଙ୍ଗର । ଭିତର ପଟକୁ ଗୋଟିଏ ଗଳି ଦ୍ୱାର ଓ ଚାରିପଟ ଯାକ ବହୁତ ଖିଡ଼ିକି ଦିଆଯାଇ ଥାଏ ।

 

ସୁନୀଲ୍‍ ହଲ ଘରୁ ଯିବା ସମୟରେ କହିଲା, ‘‘ମଦନବାବୁଙ୍କ ରହିବା ଘର ଏଇ ଘରର ପଶ୍ଚିମରେ ଓ ମଦନବାବୁଙ୍କ ହତ୍ୟା ମଧ୍ୟ ସେଇ ଘରେ ହୋଇଥିଲା । ଆପଣ କ’ଣ ସବୁଯାକ ବୁଲି ଦେଖିବେ ।’’

 

ଦାମୋଦର କିନ୍ତୁ ଭାବୁଥିଲେ ଅନ୍ୟ କଥା–‘‘କାହିଁକି ଆଜିପର୍ଯ୍ୟନ୍ତ ଏ ଘରେ କେହି ରହୁ ନାହାନ୍ତି । ଦୁତୀୟରେ ଏ ଘରର କିନ୍ତୁ ପୂର୍ବପରି ସାଜସଜ୍ଜା ରହିଚି, କେହି କ’ଣ ଏହା ଭିତରେ ରହୁଛି ।’’ ସୁନୀଲ୍‍ ଦୁତୀୟ ଥର କହିବା ସମୟରେ ଦାମୋଦର କହିଲେ, ‘‘ହଁ ଆସିଛି ଯେତେବେଳେ ସମୁଦାୟଟା ଟିକିଏ ବୁଲି ଯିବି ।

 

ସୁନୀଲ୍‍ ଦାମୋଦରଙ୍କୁ ଗଳିବାଟ ଦେଇ ଘରର ଭିତର ପଟକୁ ନେଇଗଲା । ଦାମୋଦର ଯାଉ ଯାଉ ତାଙ୍କ ମନରେ ଢୁକିଲା ଯେ ଅଜଣା ଲୋକକୁ ଯଦି ଏକାଟିଆ ଛାଡ଼ି ଦିଆଯାଏ ତେବେ ସେ ନିଶ୍ଚୟ ବାଟ ଭୁଲିଯିବ ।

 

ବୁଲି ବୁଲି ଯାଇ ମଦନବାବୁଙ୍କ ହତ୍ୟା ହୋଇଥିବା ଘରେ ଦୁହେଁ ପହଞ୍ଚିଲେ । ସୁନୀଲ୍‍ କହିଲା, ‘‘ଏଇ ସେହି ଘର, ଯେଉଁଠି ମଦନବାବୁ ମରି ପଡ଼ିଥିଲେ । ଏଇଟା ମଧ୍ୟ ତାଙ୍କର ନିଜ ଖାଇବା ଘର ।

ସେ ଘରଟି ଅନ୍ୟଘର ତୁଳନାରେ ସେତେ ବଡ଼ ନଥିଲା । ସେଥିରେ ବହୁତ ଗୁଡ଼ାଏ ଖିଡ଼ିକି ଥିଲା । ଘର ବାହାର ପଟକୁ ଗୋଟିଏ ମନ୍ଦିର ଆକାରର ଥିଲା ।

ଦାମୋଦର ଘର ମଧ୍ୟରେ ଠିଆ ହୋଇ ଚାରିଆଡ଼କୁ ପ୍ରଥମେ ଚାହିଁ ଗଲେ । ତାଙ୍କର ଗୋଟିଏ ଖିଆଲ ହେଲା ଯେ ଏତେ ବଡ଼ ଘର ଥାଉ ଥାଉ କାହିଁକି ମଦନବାବୁ ଏ ଛୋଟ ଘରେ ରହୁଥିଲେ । ସୁନୀଲ୍‍ ଘରର ଗୋଟିଏ ପାଖକୁ ଆଙ୍ଗୁଳି ବଢ଼ାଇ କହିଲା, ‘‘ଆଜ୍ଞା ଏଇଠି ମଦନବାବୁ ମରି ପଡ଼ିଥିଲେ ବୋଲି ମୋହନ ମତେ ଥରେ ଦେଖେଇ ଦେଇଥିଲେ । ସେ ଜାଗାଟି ଶଙ୍ଖମଲ୍‌ମଲ୍‌ ପଥରର ଚଟାଣ ପରି ଦେଖା ଯାଉଥିଲା । ସେଇଠି ତାଙ୍କର ମୁଣ୍ତ ପଡ଼ିଥିଲା । ଜୋରରେ ମୁଣ୍ତରେ ପାହାର ମାଡ଼ ବସିଥିଲା ଓ ନିକଟରେ ଗୋଟାଏ ଠେଙ୍ଗା ପଡ଼ିଥିଲା ।’’

‘‘ତେବେ ତ ସେ ମାରିଲାବାଲାକୁ ଦେଖିଥିବ ? ବୋଧେ ରାତିରେ ଏ ଘଟଣା ଘଟିଥିଲା-।’’

‘‘ମୋହନ !’’ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଦାମୋଦର, ‘‘କ’ଣ, ସେ ଏହି କୋଠାରେ ରହୁଥିଲା ।’’

‘‘ନା କେବଳ ମଦନବାବୁ ଏଠି ରହୁଥିଲେ ।’’

ଦାମୋଦର ମନେ ମନେ ସବୁକଥା ଖେଳାଇ ଦେଖୁଥାଏ । କାହିଁକି ମଦନବାବୁ ଏକେଲା ଏ କୋଠାରେ ରହୁଥାନ୍ତି । ଏତେ ବଡ଼ ଲୋକ କାହିଁକି ସେ ଚାକର ବାକର କିଛି ରଖି ନଥିଲେ । ‘‘କ’ଣ ସେ ଆଡ଼ପାଗଲା ଥିଲେ କି ?’’

‘‘ଆଡ଼ପାଗଲା ବୋଲି ତ କହି ହେବ ନାହିଁ, ତେବେ ଗାଁର କୌଣସି ପିଲା ବାବୁଙ୍କ ସାମନାକୁ ଆସୁ ନଥିଲେ । ସେ ଏଡ଼େ ବଡ଼ ଗାଁର ମାଲିକ ଥିଲେ ସତ, କିନ୍ତୁ ତାଙ୍କର ଢଙ୍ଗରଙ୍ଗ ପୁରୁଣା କାଳିଆ ଥିଲା । ସେ ଆଣ୍ଠୁ ନଲୁଚାଇ ଲୁଗା ପିନ୍ଧୁଥିଲେ ।

 

କ’ଣ ସେ ନିଜ କାମ ନିଜ ହାତରେ କରୁଥିଲେ ?

 

ନା ତାଙ୍କ ସାଙ୍ଗେ ତାଙ୍କର ଗୋଟିଏ ଚାକରାଣୀ ଥିଲା । ବାବୁଙ୍କ ମରିବା ପରେ ସେ ମଧ୍ୟ ମରି ଯାଇଛି ।

 

‘‘ତେବେ କୋଠାଘର ବାରି ସବୁ କାହା ଦଖଲରେ ।’’

 

ଏସବୁ ପ୍ରଥମେ ତାଙ୍କର ଜଣେ ଦାଦିପୁଅଭାଇ ହାତରେ ପଡ଼ିଲା । ସେ କିଛିଦିନ ଏ ସମ୍ପତ୍ତି ଭୋଗକଲା କିନ୍ତୁ ସେ କ’ଣ ବିଚାରିଲା କେଜାଣି ଘରକୁ ଓ ସମୁଦାୟ ସମ୍ପତ୍ତିକୁ ସହରର ସତ୍ୟଭାମା ନାମକ ଜଣେ ସ୍ତ୍ରୀ ଲୋକକୁ ବିକ୍ରୀ କରିଦେଲା । କିନ୍ତୁ ମଦନବାବୁଙ୍କ ମୃତ୍ୟୁ ପରେ ଏଠାରେ କେହି ରହୁ ନଥିଲେ । ପୋଲିସ ଏ ସମୁଦାୟ ଘର ଖୋଜି ଥିଲା କିନ୍ତୁ ଶାନ୍ତନୁ ଧରାହେବା ପରେ ଆଉ କେହି ସେ ଘର କଥା ଉଠାଇଲେ ନାହିଁ । ତେଣୁ ପୋଲିସ ମଧ୍ୟ ଖୋଜା ବନ୍ଦ କରିଦେଲା ।

 

ଦାମୋଦର ଘରର ଚାରିଆଡ଼ ଘୂରିବାରେ ଲାଗିଥାନ୍ତି । ମନରେ ତା’ର ପ୍ରଶ୍ନ ଉଠୁଥାଏ, କାହିଁକି ମଦନବାବୁଙ୍କ ପରି ଭଲ ଲୋକକୁ ହତ୍ୟା କରାଗଲା । ତାଙ୍କର ଦୁନିଆଁ ସାଙ୍ଗରେ କିଛି କାମ ନଥିଲା । ସେ ତ ସବୁଥିରୁ ଅଲଗା ରହିଥିଲେ । ତେବେ କାହିଁକି ?

 

ଆଚ୍ଛା–ଆଜିକାଲି ଶ୍ରୀମତୀ ସାବିତ୍ରୀ ଦେବୀ କେଉଁଠି ? ଦାମୋଦର ପଚାରିଲେ ।

 

‘‘ସେ ତ ବହୁଦିନଠାରୁ ଗାଁ ଛାଡ଼ି ଚାଲିଗଲେଣି । ତାଙ୍କର ଖବର ମୁଁ ଜାଣେ ନାହିଁ । କିନ୍ତୁ ମୋର ଖ୍ୟାଲ କି ପୋଲିସ୍ ତ ଭଲ ଭାବରେ ନିଶ୍ଚୟ ଏ ଘରସବୁ ଖୋଜିଥିବ ।’’

 

ସୁନୀଲ୍‍ ବୁଲିପଡ଼ି ଉତ୍ତର ଦେଲା, ‘‘ମୋର ମଧ୍ୟ ସେଇ ଧାରଣା କିନ୍ତୁ ?’’

 

‘‘ସେଇ କିନ୍ତୁଟି ତ ସବୁ ଅନର୍ଥର କାରଣ । ଯାହା ହେଉ ସେ ଚାକରାଣୀ ତ ସକାଳୁ ସକାଳୁ ଦେଖିଥିବ । ହଁ ତ କିନ୍ତୁ ଡାକ୍ତରଙ୍କ ମତରେ ସେ ସକାଳର ଆଠଘଣ୍ଟା ପୂର୍ବରୁ ମରିଥିଲେ । ପ୍ରଥମେ ଜଗୁ ଦେଖିଥିଲା, ତା’ପରେ ଚାକିରିଆଣୀ ।’’

 

‘‘ଆଉ ଗୋଟେ କଥା ଖିଡ଼ିକିର ଛଡ଼ତ ଏତେ ମଜ୍‍ଭୁତ ଯେ ବାହାରୁ ଭିତରକୁ ଆସିବା ମୁଷ୍କିଲ୍ ।’’

 

‘‘ସେତିକିତ ନୁହେଁ ଆଜ୍ଞା, ମଦନବାବୁ ଏଇ ଅନ୍ଧାରିଆ ଘରକୁ ମଧ୍ୟ ବହୁତ ପସନ୍ଦ କରୁଥିଲେ । ରାତିରେ ଏ ଘରେ ଲାଇଟ୍ ଜଳିଲେ ବାହାରକୁ ଦେଖାଯାଏନାହିଁ ।

 

‘‘ବଡ଼ ଆଶ୍ଚର୍ଯ୍ୟ କଥା ତ !’’ ଚାଲ, ଗୋଟିକ ପରେ ଗୋଟିଏ ହୋଇ ସବୁ ଘର ବୁଲି ଦେଖିଲେ–ଉପର ଘରକୁ ଯାଇ ଦେଖିଲେ ସୁନ୍ଦର ଭାବରେ ଖଟ ପଡ଼ି ସଜା ହୋଇଛି । ସେଠାରେ ଗୋଟିଏ ବଡ଼ ଆଲମାରୀ ଥିଲା । ଆଲମାରୀର କର ଦେଇ ଗୋଟିଏ ଦରଜା ବାହାର ବାରଣ୍ତାକୁ ଥିଲା । ଦାମୋଦର ଆଲମାରୀଟି ଦେଖି ତାକୁ ଖୋଲିଲେ । ଭିତରପଟ ଦେଖି ସେ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ । ଉପର ଥାକ ଖାଲି ଖୋଲା । ଦୁତୀୟ ଥାକରେ ପ୍ରଥମେ ଗୋଟିଏ ବଡ଼ ଡ୍ର । ତା’ ଭିତର ଖୋଲି ଦେଖିଲେ ଆଉ ଗୋଟିଏ ଛୋଟ ଡ୍ର । ଏମିତି ଚାରୋଟି ଡ୍ର, ତା’ ଭିତରେ କେତେଗୁଡ଼ିଏ କାଗଜ ପତ୍ର ଥିଲା । ଦାମୋଦର ସୁନୀଲ୍‌ର ଅଜାଣତାରେ ସେ କାଗଜଗୁଡ଼ିକ ନିଜ ପକେଟରେ ରଖିଲେ । ସେଥିରେ କେତେଗୁଡ଼ିଏ ଜ୍ୟୋତିଷର ବିଦ୍ୟାଗାର ଥିଲା । ମନକୁ ମନ ଦାମୋଦର କହିହେଲେ, ‘‘ଜ୍ୟୋତିଷ ବି ଜାଣିଥିଲେ ।’’

 

ସୁନୀଲ୍‌ କାନରେ ଯେମିତି ସେ ପଦକ ପଡ଼ିଛି, ସେ ବୁଲିପଡ଼ି କହିଲା, ‘‘ଆଜ୍ଞା, ସେ ରାତିରେ ତାରା ଗଣନା କରନ୍ତି ବୋଲି–ବାପା କହୁଥିଲେ । ତାଙ୍କୁ ଜ୍ୟୋତିଷବିଦ୍ୟା ଖୁବ୍ ଭଲ ଭାବରେ ଜଣାଥିଲା ।’’

 

ତା’ପରେ ଦୁହେଁ ସବୁ ବୁଲି ଫେରିଲେ । ବାଟରେ ସୁନୀଲ୍‍ ତାଙ୍କ ଘର ପାଖ ହେଲାରୁ ରହିଗଲା । ଦାମୋଦର ଶୀଘ୍ର ଶୀଘ୍ର ଚାଲି ଆସିଲେ ଧର୍ମଶାଳାକୁ ।

 

ଧର୍ମଶାଳାରେ ପହଞ୍ଚି ଦେଖିଲେ ଜୟନ୍ତବାବୁ ବସି ଭାବନାରେ ମଗ୍ନ । ଜୟନ୍ତବାବୁଙ୍କର ଭାବନାକୁ ଛିନ୍ନ କରି ଦାମୋଦର ସେଠାରୁ ଆଣିଥିବା କାଗଜ ବିଡ଼ାଟା ବିଛଣା ଉପରେ ଫୋପାଡ଼ି ଦେଲେ । କି କାଗଜ ବୋଲି ଜୟନ୍ତବାବୁ ସେଗୁଡ଼ିକ ଉଠାଇ ଦେଖିଲେ ।

 

ଦାମୋଦର କହିଲେ, ‘‘ସେ କାଗଜ ଗୁଡ଼ାକରେ ଖାଲି ବାଜେ ଗାର ଗୁଡ଼ାଏ ତ କ’ଣ ପଡ଼ିଛି । ତା’ଛଡ଼ା ପ୍ରତ୍ୟେକ କାଗଜରେ ସେଇ ଏକ କଥା ଲେଖା ଅଛି ।

 

ଜୟନ୍ତବାବୁ ଦେଖୁ ଦେଖୁ ପଢ଼ିଲେ ଲେଖାଥିଲା, ‘‘ଏ ନକ୍ଷତ୍ର ଗୋଟିଏ ମହାଯୁଦ୍ଧର ପ୍ରତୀକ । ଏହା ଧନ, ଜୀବନ ଓ ସମ୍ମାନ ହାନି କାରକ ।’’

 

ସବୁ ଦେଖି ଦେଖି ଜୟନ୍ତବାବୁ ଉତ୍ତରରେ କହିଲେ, ଏଥିରେ ଖୁବ୍ ବଡ଼ ରହସ୍ୟ ଥିଲାପରି ଜଣା ପଡ଼ୁଛି । ଏ ରହସ୍ୟ ବୋଧେ ପୋଲିସ ବି ଜାଣି ପାରିବ ନାହିଁ । ଖୁବ୍ ଭଲ ଜିନିଷ ତ !

 

ଓଃ ଆପଣ ବର୍ତ୍ତମାନ ରାଜି ହେଲେଣି କି ?

 

ହସି ହସି ଅମର କହିଲା, ହଁ ସରିତା, ତା’ସଙ୍ଗେ ସଙ୍ଗେ ମଧ୍ୟ ଦଶହଜାର ଟଙ୍କା ପୁରଷ୍କାର । କିନ୍ତୁ ଯଦି ମୁଁ ଶାନ୍ତନୁକୁ ନମାରି ଏହାଠାରୁ ବହୁତ ଟଙ୍କା ରୋଜଗାର କରେ ତେବେ କିପରି ହେବ ।

 

କେମିତି କରି ପାରିବ ଯେ ? ଅମରଆଡ଼କୁ ବୁଲିପଡ଼ି ସରିତା ପ୍ରଶ୍ନବାଚୀ ନୟନରେ ଅନାଇଁ ରହିଲା ।

 

‘‘ଏତ ଖୁବ୍ ସହଜ । ଶାନ୍ତନୁକୁ କଟକରୁ ହଟାଇ ନେଇ ଏକ ଦୂର ଅଜଣା ଜାଗାରେ–ଧର କଲିକତା କିମ୍ବା ବମ୍ବେରେ ରହିବାକୁ ଦିଆଯାଏ ତେବେ ଦୁଇ ଆଡ଼ରୁ ହାତପୈଠ ହୋଇ ପାରିବ–

 

କିନ୍ତୁ ଅମର–ତୁମେ ଏ ସବୁରେ ପଶ ନାହିଁ । ଏଥିରେ ବହୁତ ଗଣ୍ତଗୋଳ ହୋଇପାରେ-? ଆମେ ତ ସୁଖରେ ଅଛେଁ । ଅତି ଲୋଭ ଭଲ ନୁହେଁ ଅମର ।

 

ହୁଁ–ଆଜି ଅତିଥି କିଏ ଅଛନ୍ତି ସରିତା ?

 

ମୁଡ଼ୁକେଇ ମୁଡ଼ୁକେଇ ହସି ପଚାରିଲା ଅମର ।

 

‘‘ଏମିତି କଥା ଆଉ ଦିନେ କହିବ ନାହିଁ । ମୁଁ ତୁମ ଛଡ଼ା କାହାରିକୁ ଭଲ ପାଏନାହିଁ । ତୁମ ଛଡ଼ା ମୋର ଆଉ କେହି ନାହିଁ । କାନ୍ଦି କାନ୍ଦି ସରିତା ଅମର କୋଳରେ ବସିପଡ଼ିଲା । ଠିକ୍ ଏତିକିବେଳେ ପଶିଆସିଲା ଉଜିର୍‌ ।

 

‘‘କ’ଣ ଅମର ଭାଇ ଭଲ ତ । ମୁଁ ତୁମ ଘରକୁ ଯାଇଥିଲି, କିନ୍ତୁ ସେଠି ନପାଇ ଭାବିଲି ନିଶ୍ଚୟ ସେ ସରିତାବାଈ ଘରେ ଥିବେ–’’

 

ସରିତା ଚିଡ଼ିଉଠି କହିଲା, ବନ୍ଦ କର ସେସବୁ । ଆଜି ଯାଅ, ଯାହା କଥାବାର୍ତ୍ତା ହେବା କଥା କାଲି ହେବ । ଆଜି ଆମେ ସିନେମା ଯାଉଛୁ । ଅମର ଆଜି ବାରବାଟୀ ଲଟରୀରୁ ପାଞ୍ଚ ହଜାର ଟଙ୍କା ପାଇଛି ।

 

ଅମର ଚିଡ଼ି ଚିଡ଼ି ହୋଇ କହିଲା, ଚୁପ୍ କର ସରିତା–ବାଜେ କଥା କହିବା ତୋର ଗୋଟାଏ ପ୍ରକୃତି ହୋଇଗଲାଣି । କ’ଣ ଜିତିଛି ବୋଲି ଡେଙ୍ଗୁରା ଦେଉଛୁ ।

 

ସରିତା ଅମର କୋଳରୁ ଉଠିପଡ଼ି କହିଲା, କ’ଣ ଚାହୁଁଛୁ । ଯଦି ଟଙ୍କା ଦରକାର ଥାଏ ତେବେ ମିଳିବ ନାହିଁ । ମୋର ପାଞ୍ଚ ଟଙ୍କା ଆଜିପର୍ଯ୍ୟନ୍ତ ଦେଇନୁ । ଉଜିର୍‌ର ମୁହଁ ଉପରେ ଭଲରୂପେ ନଜର ପକାଇ ସରିତା ପାଟିକରି ଉଠିଲା । ବଦ୍‍ମାସ କେଉଁଠି ମାଡ଼ କଜିଆ କରି ଆସିଛୁ । ଦେଖ୍‍ ଅମର ତା’ର ଓଠରୁ ରକ୍ତଧାର ଛୁଟିଛି । ସେଥିରେ ପୁଣି ଆସିଛି ଗୁହାରି କରିବାକୁ-

 

ଖୁବ୍ ନିର୍ଭିକ ହୋଇ ଉଜିର୍ କହିଲା, ଛାଡ଼୍ ସେ କଥା ସରିତା ଯାହା ହେବାରେ ହୋଇଛି, ହେଲେ ସେ ବଦ୍‍ମାସ–

 

ଓଃ ବଦ୍‍ମାସକୁ ଦେଖିବା ଆଗରୁ ତ ସେ ତୋତେ ଦେଖି ଦେଇଛି ।

 

ଅମର ବସି ବସି କହିଲା, ଛାଡ଼ ସେ କଥା ଉଜିର୍‍ । ହଁ କ’ଣ କଥା କହିଲୁ । ତା’ପରେ ଯାହା ।

 

ଉଜିର୍ କହିଲା, ଦେଖ ଅମର ଭାଇ, ଶାନ୍ତନୁ ମତେ ମାରି ଏ ଅବସ୍ଥା କରିଛି ।

 

ସରିତା, ହିଁ ହିଁ ହୋଇ ହସି ଉଠିଲା ।

 

‘‘ସେ ତୋତେ କାହିଁକି ମାଇଲା ! ଆଶ୍ଚର୍ଯ୍ୟ ହୋଇ ଅମର ପ୍ରଶ୍ନ କଲା ।’’

 

ମୁଁ ତାକୁ ସବୁକଥା କହି ଦେଇଛି । ‘‘ମୁଁ ଚାହୁଁଥିଲି ତା’ ସାଙ୍ଗରେ ସାଙ୍ଗ ହୋଇ କିଛି ଝଡ଼େଇବାପାଇଁ କିନ୍ତୁ ସେ ମୋ ଚାଲାକି–’’

 

ଚାନ୍ଦନୀଚଉକ ସ୍ଥିତ ଏକ ଏକମହଲା କୋଠାଘରେ ଅମର ଗୋଟିଏ ଝୁଲା ଚଉକୀରେ ବସି ଝୁଲୁଛି । ପରିଧାନ ଏକ ଇଂରାଜୀ ଷ୍ଟାଇଲ୍‍ର ସୁଟ୍ କୋଟ ଓ ଟାଇ । ସିଗାରେଟ୍ ଧୂଆଁର କୁଣ୍ତଳିକୁ ଅନାଇଁ ଅନାଇଁ ମନକୁ ମନ ହସିବାରେ ଲାଗିଛି । ବୟସ ଛବିଶ ସତାଇଶ ପାଖାପାଖି । ଦେଖିବାକୁ ଠିକ୍ ସାହେବ ପରି ଗୋରା, ସୁନ୍ଦର ଚେହେରା ।

 

ସାମନାରେ ଗୋଟିଏ ସ୍ତ୍ରୀଲୋକ ସତର ଅଠର ବର୍ଷର । ପୂର୍ଣ୍ଣ ଯୌବନା । ପିଠି କରି ଗୋଟିଏ ଡ୍ରେସିଙ୍ଗ୍ ଟେବୁଲ୍ ସାମନାରେ ଠିଆ ହୋଇ ପ୍ରସାଧନରେ ବ୍ୟସ୍ତ । ଅମରର ଘର ତା’ଠାରୁ ପ୍ରାୟ ଡାକେ ବାଟ ହେବ । ଝିଅଟିର ଆଉ କେହି ନଥାନ୍ତି । ରୂପ ବ୍ୟବସାୟୀ ସେ । ବ୍ୟବସାୟ ତା’ର ମୂଳ । କିନ୍ତୁ ଅମରକୁ ଦେଖି ତା’ର ପ୍ରେମରାଇଜର ଉଛୁଳା ତରଙ୍ଗ ଅମରପାଇଁ ଠୁଳ କରାଯାଇଛି । ଦୁହେଁ ବାହାରକୁ ଯିବାପାଇଁ ପ୍ରସ୍ତୁତ ହେଉଛନ୍ତି ।

 

ମସୃଣ ଗଣ୍ତରେ ହେଜ୍‍ଲିନ୍‍ର ପରଶ ଦିଆଉ ଦିଆଉ ପଚାରିଲା, କ’ଣ ବେହାରୀ ଶାନ୍ତନୁକୁ ମାରିଦେବାପାଇଁ ପାଞ୍ଚ କରୁଚି ।

 

ଦେଖ୍, ବେଶ୍, ଥାଉ ମୁଁ ଆଉ ସେଥିରେ କ’ଣ କରିବି । ତୁ ଯାଇ ତାକୁ ମଧ୍ୟ ସେମିତି ଛକି ଛକି ପିଟାଟେ ଦେ ।

 

‘‘ନା ନା, ମୁଁ କହୁଚି କ’ଣ କି ଆମେ ଦୁହେଁ–’’

 

ସରିତା ଚମକି ପଡ଼ି ଉଜିର୍ ଉପରକୁ ଚିହିଁକି ଆସିଲା ।

 

‘‘ନା ତ ହୋଇ ପାରିବ ନାହିଁ । ମୋ ଅମର ତୋପରି ଲଫଙ୍ଗା ସାଙ୍ଗେ ଯାଇ ପାରିବ ନାହିଁ କି ସାଙ୍ଗ ହୋଇ ପାରିବ ନାହିଁ ।’’

 

‘‘ବକ୍‍ବକ୍ କ’ଣ କରୁଛୁ ସରିତା’’–ଅମର ଚିଡ଼ି ଉଠି କହିଲା–‘‘ନଇଲେ ସେ ପାଉଡର ଡବା ଦେଖୁଛୁ ମୁହଁ ଫଟାଇ ଦେବି । ମୁଁ ତା’ସଙ୍ଗେ କଥା ହେବି ତୋର ସେଥିରେ କି ଯାଏ ଆସେ । ତା’କଥା ଶୁଣିବାକୁ ମୋତେ ଭାରି ମଜା ଲାଗୁଛି ।

 

‘‘ସେମିତି କହ ନାହିଁ ଅମର ଭାଇ, ମୋର ଗୋଟିଏ ଅସମୟ ପଡ଼ିଛି ବୋଲି ମୁଁ କ’ଣ ତୋତେ କେବେ ହେଲେ ସାହାଯ୍ୟ କରିବି ନାହିଁ ।’’

 

ସରିତା ତା’ର ସବୁ ଠିକ୍‍ଠାକ୍ କରି ସାରି କହିଲା, ‘‘ଚାଲ୍ ଅମର, ଆମର ଯିବା ନା–ମୁଁ ଠିକ୍‍ଠାକ୍ ହୋଇ ଗଲିଣି ।’’

 

‘‘ଆଚ୍ଛା ବସ୍‍ନା ସରିତା, ଯିବା ତ ଏତେ ତରତର କାହିଁକି ! ମୁଁ ଟିକିଏ ଉଜିର୍‍ ସାଙ୍ଗରେ କଥାବାର୍ତ୍ତା କରିସାରେ ।’’

 

ସରିତା ମୁହଁ ଛିଞ୍ଚାଡ଼ି ଜବାବ ଦେଲା–‘‘ସେନେମା ଟିକେଟ୍ ଯେଉଁ ବୁକ୍ କରାଯାଇଛି, ସମୟ ହୋଇଗଲାଣି ।’’

 

ଚୁପ୍ କର୍ ତୋର କ’ଣ ଗଲା, ଯାହା ଯିବ ମୋର–ତୋର ଧନରୁ ତ କିଛି ଯିବ ନାହିଁ ।

 

ଉଜିର୍‍ସହ କଥାବାର୍ତ୍ତା ମୋର ପ୍ରଥମ କାମ–ହଁ ଉଜିର୍‌ କ’ଣ ହେଲା–ଉଜିର୍ ନିକଟରେ ଥିବା ଗୋଟିଏ ଚଉକୀ ଉପରେ ବସିପଡ଼ିଲା । ସେ କେବଳ ଶାନ୍ତନୁ କଥା ଭାବୁଥିଲା । ତେଣୁ ଅନ୍ୟମନସ୍କ ରହିଯାଉଥିଲା ।

 

‘‘ହଁ ଉଜିର୍–ବର୍ତ୍ତମାନ ସବୁକଥା ଠିକ୍ ଠିକ୍ କହ,’’ ।

 

ହଁ ମୁଁ କେଉଁଠି ଛାଡ଼ିଗଲି କି ? ହଁ-ହଁ–ମୁଁ ଠିକ୍ ବତେଇ ଦେବାକୁ ଯାଉଛି–

 

ବେଶ୍‌, ପୁଣି ସେହି ଶାନ୍ତନୁ କଥା–ତୁ କହିବୁ ଶାନ୍ତନୁ ସାଙ୍ଗେ ଲଢ଼ାଇ ଆରମ୍ଭ କରିଦେବାକୁ–ଭୁଲ କଥା–ମୁଁ ତ ଆଗରୁ ସୋ ପ୍ଳାନ କରିସାରିଛି ।

 

ମୁଁ ତ ସେ କଥା କିଛି ବୁଝି ପାରୁନାହିଁ ଅମର ଭାଇ !–

 

ଶୁଣୁ, ମୁଁ ଯାହା କହୁଛି କହି ଚଉକୀରେ ଟେକିଟାକି ହୋଇ ବସିଲା ଅମର– । ହଁ ଶାନ୍ତନୁ କୋର୍ଟରେ ଯାହା କହିବାକୁ ଚାହୁଁଥିଲା କହିଲା ନାହିଁ ; କାରଣ ତା’ର ସଜା ଖୁବ୍ କମିଗଲା । ଏଥିରୁ ଜଣାଯାଉଛି ନିଶ୍ଚୟ ସେଥିରେ କିଛି ନା କିଛି କଥା ଅଛି ।

 

–ନା ନା, ସେ କେବଳ ଗୋଟାଏ ଦେଖେଇ ହେଉଥିଲା । କିନ୍ତୁ ତା’ପରି ଲୋକର ମୃତ୍ୟୁଦଣ୍ତ ସଜା ନହୋଇ ଯାହା ରହିଗଲା ।

 

ମୋର ବିଶ୍ୱାସ ସେଥିରେ କିଛି ନା କିଛି କଥା ଲୁଚି ରହିଛି ।

 

ନା ତା’ର ସବୁ ପ୍ରମାଣତ ମିଳିଗଲା । ସେ ଚଉଦ୍ୱାରରେ ରହିଥିଲା । ଦୁତୀୟରେ ସେ ମଦନବାବୁଙ୍କ ହତାଭିତରକୁ ଯାଇଥିଲା ବୋଲି ସେ ନିଜେ କହୁଛି । ତୃତୀୟରେ ତା’ର ସିଗାରେଟ୍ କେଶ୍ ସେହି ଘର ଭିତରୁ ମିଳିଲା । ଏସବୁ ପ୍ରମାଣତ ତା’ର ବିପକ୍ଷରେ ସବୁ ଯାଉଛି ।

 

ତେବେ ଶାନ୍ତନୁ କିଛି ନ କହିବାଟା ତୁ ଠିକ୍ ମନେକରିଛୁ ? ତେବେ ତା’ର ଫାଶୀ ନହୋଇ ଅଟକ ରହିଲା କାହିଁକି ? ଆଶ୍ଚର୍ଯ୍ୟ ହୋଇ ଅମର କହିଲା ।

 

ତା’ଛଡ଼ା ଆହୁରି ମଧ୍ୟ ଗୋଟାଏ ଘଟଣା ଅଛି । ପ୍ରଥମେ ତଳ କୋର୍ଟରେ ତା’ର ଫାଶୀ ହୁକୁମ ହୋଇ ଯାଇଥିଲା । କିନ୍ତୁ ପରେ ହାଇକୋର୍ଟ ତା’ର କ’ଣ ଗୋଟାଏ ପ୍ରମାଣ ଅଭାବରୁ ଖସେଇ ଦେଲା ।

 

ଯାହାହେଉ, ଉଜିର୍–ପ୍ରଥମେ ପ୍ରଥମେ ତ ଶାନ୍ତନୁ ଉପରେ ଚଳୁଥିଲୁ, ବର୍ତ୍ତମାନ ସାହେବଙ୍କର ଶୁଭାଗମନ କାହିଁକି ? କ’ଣ ମୋ ମୁଣ୍ତରେ ହାତ ବୁଲାଇବାକୁ ।

 

ଉଜିର୍ ଉଠିପଡ଼ି କହିଲା, ଅମର ଭାଇ ସେପାଇଁ ମୁଁ ଆସିନାହିଁ ।

 

ତେବେ ଭଲ କଥା, ତୁ ଯାହା ଜାଣୁ ସତ ସତ କଥା କହିଦେ । ନଚେତ୍ ତୁ ତ ମତେ ଭଲରୂପେ ଜାଣୁ । ମୁଁ ନିଶ୍ଚୟ ସବୁକଥା ଭଲକରି ଜାଣି ପାରିବି । ଯଦି ତୁ ମିଛ କଥା କହିଥିବୁ ତେବେ ମୋ ହାତରୁ ବଞ୍ଚି ଯାଇପାରିବୁ ନାହିଁ ହସି ହସି ଅମର ଉତ୍ତର ଦେଲା ।

 

ଅମର କଥା ଶୁଣି ଉଜିର୍ ଘାବଡ଼େଇ ଗଲା । ସେ ଭାବି ପାରିଲା ନାହିଁ ଯେ ତା’ର କ’ଣ ହୋଇଯାଇଛି । ଅନର୍ଥକ ସେ ରାକ୍ଷସ ପାଖରେ ପହଞ୍ଚିଛି । ସେ ଭାବୁଥାଏ–ଯାହା ହେବାର ହେଲାଣି, ବର୍ତ୍ତମାନ ଆଉ ଉପାୟ ନାହିଁ, କହି ଦେବାକୁଇ ପଡ଼ିବ । ତା’ର ଭାବନା ଦୋହଲିବାକୁ ଲାଗିଲା । ସେ କହିବକିନାହିଁ ହୋଇ ରହିଥିଲା । ହଠାତ୍ ସରିତାର ଯୋତା ଖସ୍ ଖସ୍ ଶବ୍ଦରେ ଉଜିର୍‍ର ଭାବନାର ଖିଅ ଛିଣ୍ତିଗଲା । ସେ କାବା ହୋଇ ଚାହିଁ ରହିଲା ସରିତା ଆଡ଼େ ।

 

ଅମର କହିଲା, ଉଜିର୍ ତୁ ଭାବିଛୁ ମୁଁ ତୋର କିଛି କ୍ଷତି କରିବି ବୋଲି–ନା ତୁ ଡ’ର ନାହିଁ ।

 

ପ୍ରଥମେ ତୁ ଶପଥ ନେ ତା’ପରେ ମୁଁ କହିବି ।

 

ଉଜିର୍‍ କହିଲା, ଠିକ୍‍କରି ମୁଁ ଶପଥ ନେଲି କାହାକୁ କହିବି ନାହିଁ ।

 

ସରିତା–ତୁ ଉଜିର୍ ଆଗରେ ଶପଥ କର ନା–

 

ଅମର ମୁରୁକିହସା ଦେଇ ଚୁପ୍ ରହିଲା ।

 

ସରିତା ମୁହଁ ଛାଟିଦେଇ କହିଲା, ମୋର ଭେକ ସରୁନାହିଁ । ମୁଁ ଯାଉଛି–କହି ଚାଲିଗଲା-

 

‘‘ହଁ, ଉଜିର୍ କହ’’ କହି ଅମର ଉଜିର୍‍ ପିଠିରେ ଟିକିଏ ଥାପୁଡ଼ାଇ ଦେଲା ।

 

ଉଜିର୍ ଗଳା ଭାରି ଭାରି ହୋଇ ଆସିଲା । ସେ ଥରା ଗଳାରେ ଆମୂଳଚୂଳ ସବୁକଥା ଗପିଗଲା । ଅମରର ମନ ସେ ଦିଗରେ ଢଳିଗଲା । ସେ ମନଦେଇ ଶୁଣୁଥିଲା । ଗପ ସରିବା ପରେ ଅମର କହିଲା, ଆଚ୍ଛା ଉଜିର୍‍ ସତ କହୁଛୁ ତ, ଏ ତୋର ମନଗଢ଼ା ନୁହେଁ ?

 

‘‘ମିଛ ନୁହେଁ ଅମର ଭାଇ !’’ କହିସାରିଲା ପରେ ଉଜିର୍‌ର ଆଖିରୁ ଦୁଇଟୋପା ଲୁହ ଗଡ଼ିପଡ଼ିଲା ।

 

ଉଜିର୍‍ର କହିବା ଢଙ୍ଗରୁ ଅମର କଥାଗୁଡ଼ାକୁ ସତ ବୋଲି ଧରିନେଲା । ସରିତାକୁ ଏଗୁଡ଼ା ଭଲ ଲାଗୁ ନ ଥାଏ । ସେ ସ୍ଥିରହୋଇ ରହି ପାରିଲା ନାହିଁ । ସେ କହିଲା, କ’ଣ ତେବେ ଶାନ୍ତନୁ ମଦନବାବୁଙ୍କୁ ହତ୍ୟା କରିନି ?

 

‘‘ନାଁ–ଶାନ୍ତନୁ ନୁହେଁ କିନ୍ତୁ ଆଉ ଜଣେ ।’’

 

ଅମର ପୁଣି ଥରେ ଚଉକୀରୁ ଉଠି ଉଜିର୍‍ର ହାତ ଧରି କହିଲା, ଦେଖ୍ ଉଜିର୍ ମୁଁ ମିଛ ଭାବୁ ନାହିଁ । ଆଜିଠାରୁ ତୁ ଆଉ ମୁଁ ସାଙ୍ଗ ହୋଇ ଏ ବିଷୟରେ କାମ କରିବା–ହଁ ଦେଖ ତୁ ଯେମିତି କାହାର ପାଖରେ ଏକଥା ପ୍ରକାଶ ନକରୁ ।

 

ଅମର ନିଜ ପକେଟରୁ ଖଣ୍ତିଏ ଦଶ ଟଙ୍କିଆ ନୋଟ ବାହାର କରି ଉଜିର୍‍ ହାତରେ ଦେଲା ଓ ସରିତାକୁ ସଙ୍ଗରେ ନେଇ ବାହାରକୁ ଚାଲିଗଲା ।

 

ବାହାରେ ଗୋଟିଏ ଟାକ୍ସି ଧରି ସିଧାଚାଲିଲେ ସିନେମା ଦେଖିବାକୁ । ସମୟ ଅତୀତ ହୋଇ ଯାଇ ଥାଏ, ତଥାପି ଦୁହେଁ ସିନେମା ଅଭିମୁଖେ ଚାଲିଲେ ।

 

ବାଟରେ ଯାଉ ଯାଉ ସରିତା ପଚାରିଲା, ଆଚ୍ଛା, ଅମର ଏ ବିଷୟ ନେଇ ତୁ କ’ଣ କରିବୁ ।

 

ମୋତେ ପ୍ରଥମେ ଚଉଦ୍ୱାର ଯିବାକୁ ପଡ଼ିବ,

 

ତା’ପରେ ?

 

ତା’ପରେ ଯାହା ହେବା କଥା–ଆଉ କ’ଣ–

 

ସୁନୀଲ୍‍ର ପ୍ରସ୍ତାବିତ ଶ୍ୱଶୁର ମୋହନ ଘରେ ବସି ବିଡ଼ି ଟାଣୁଥିଲା । ଏହି ସମୟରେ ସୁନୀଲ୍‍ ଯାଇ ସେଠି ପହଞ୍ଚିଲା । ସତେ ଯେପରି ମୋହନ ସୁନୀଲ୍‍ପାଇଁ ଅପେକ୍ଷା କରିଛି । ସେମିତି ଯାଇ ସୁନୀଲ୍‌କୁ ଘରକୁ ନେଇ ଆସିଲା । ସେ ତା’ର ଝିଅ ନଳିନୀକୁ ସୁନୀଲ୍‍ ସହିତ ବାହା ଦେବାପାଇଁ ସ୍ଥିର କରିଥାଏ । ସୁନୀଲ୍‌ର କାର୍ଯ୍ୟ ଦକ୍ଷତା ଓ ପାରଗତାରେ ସେ ଠିକ୍ କରିଥାଏ କି ସୁନୀଲ୍‌କୁ ବାହା ଦେଇ ସେ ସବୁଥିରୁ ମୁକ୍ତ ହେବ ।

 

ସୁନୀଲ୍‍କୁ ଘରକୁ ଆଣି ସେ ଖଣ୍ତିଏ ଚଉକୀରେ ବସାଇଲା । ନଳିନୀ ତଳେ ବସି ଥାଏ-। ସେ ସତୃଷ୍ଣ ନୟନରେ ସୁନୀଲ୍‍ର ଗଠନକୁ ଚାହିଁ ରହିଥାଏ। ମୋହନର ଡାକରେ ନଳିନୀ ପ୍ରକୃସ୍ଥିତା ହୋଇ ରୋଷେଇ ଘରକୁ ଚାଲିଗଲା । ଥାଳି ଥାଳିଆର ଝଣ୍‌ଝଣ୍‌ ପରେ ନଳିନୀ ଧୀରାଟି ପରି ଆସି ଠିଆ ହେଲା ସେଇଠାରେ । ମୋହନ ସୁନୀଲ୍‍କୁ ସାଙ୍ଗରେ ଧରି ଚାଲିଲା ରୋଷେଇ ଘରକୁ ଖାଇବାକୁ ।

 

ସୁନୀଲ୍‍ର ଉପରିଆ ଅନିଚ୍ଛା ସତ୍ତ୍ୱେ ସେ ଯାଇ ଠାରେ ବସିଲା । ଦୁହେଁ ଖାଇ ସାରିଲେ ଓ ପୁଣି ବସିଥିବା ଘରେ ଆସି ବସିଲେ । ନଳିନୀ ପାନ ଭାଙ୍ଗି ଦେଇଗଲା । ପାନ ଚୋବାଉ ଚୋବାଉ ମୋହନ କହିଲା–ତୁମେ ଦାମୋଦରବାବୁଙ୍କୁ ଲାଲଭବନ ଦେଖାଇଲ ତ ?

 

ଆଜ୍ଞା ହଁ, ଘର ଦେଖି ସେ ଭାରି ଖୁସି ହେଲେ ।

 

କିନ୍ତୁ ଜୟନ୍ତବାବୁ କାହିଁକି ଆସିଲେ ନାହିଁ ?

 

ସେ କଥା ତ ମୁଁ କହି ପାରିବି ନାହିଁ, ତେବେ ତାଙ୍କର ଇଚ୍ଛା ନଥିଲା ବୋଧେ । କିନ୍ତୁ ଦାମୋଦରବାବୁ ଖୁବ୍ ଭଲ ଲୋକ, ନୁହେଁ କି ?

 

ହଁ ସେମିତି ତ ଜଣା ଯାଆନ୍ତି–ଆଚ୍ଛା ଦାମୋଦରବାବୁ କ’ଣ ଘର ସବୁ ଦେଖି କିଛି କହିଲେ କି ?

 

ସେମିତି କିଛି ନାହିଁ । ତେବେ ମଦନବାବୁ ଜଣେ ଭଲ ଜ୍ୟୋତିଷ ବୋଲି ସେ କହୁଥିଲେ ।

 

ସେ କେମିତି ଜାଣିଲେ ?

 

ସେଇ ବଡ଼ଘର ପାଖ ଛୋଟ ବଖରାରେ ଗୋଟିଏ ଆଲମାରୀ ଅଛି । ତାରି ଭିତରୁ ସେ କିଛି କାଗଜ ପତ୍ର ଦେଖିଲେ, ସେଥିରୁ ସେ କହିଲେ । ମୋହନ ଆଶ୍ଚର୍ଯ୍ୟ ହୋଇ ପଚାରିଲା, କ’ଣ ଆଉ କିଛି ପାଇଲେ ।

ନାଁ ସେ ସବୁ କାଗଜ ଏକ ପ୍ରକାର ଥିଲା କିନ୍ତୁ ସେଥିରେ ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ଥିଲା । ଯେ ସେ ମହାଯୁଦ୍ଧ ବିଷୟରେ ଲେଖିଥିଲେ । ପ୍ରତ୍ୟେକ କାଗଜର ତଳେ ଲେଖାଥିଲା କି ଯୁଦ୍ଧଦ୍ୱାରା ବହୁତ କ୍ଷତି ହେବ ।

ମୋହନ ଅନ୍ୟମନସ୍କ ହୋଇ କହିଲା ହଁ ସେ କଥା ମଧ୍ୟ ମୁଁ ଜାଣେ । ମଦନବାବୁ ଅନେକ ସମୟରେ ମୋତେ ଏଇ କୋଠା ଉପରକୁ ନେଇ ନଳି ସାହାଯ୍ୟରେ ତାରା ସବୁ ଦେଖାଉ ଥିଲେ, ସେତେବେଳେ ଶୀତ ରାତି ।

ତେବେ କ’ଣ ରାତିରେ ତାଙ୍କୁ ହତ୍ୟା କରାଯାଇଥିଲା ।

ମୋହନର ମନ ଚଞ୍ଚଳ ହୋଇ ଉଠିଲା । ସେ କହିଲା, ହଁ ସତ ଯେ ତୁମେ କାହିଁକି ଏ ସବୁକଥା ପଚାରୁଛ ?

ନାହିଁ କିଛି ନୁହେଁ ଯେ, ତେବେ ମୁଁ ଶୁଣିଥିଲି ସେ ଶୀତଦିନରେ ମରିଥିଲେ ବୋଲି ।

ମଦନବାବୁ ଖୁବ୍ ଭଲଲୋକ ଥିଲେ । କିନ୍ତୁ ମୁଁ ବୁଝିପାରେନି କାହିଁକି ଲୋକେ ତାଙ୍କୁ ପାଗଳ ବୋଲି କହୁଥିଲେ । ନିଜ ଉପରେ ତାଙ୍କର ଅଗାଧ ବିଶ୍ୱାସ ଥିଲା ଓ ଗଣନାକୁ ସେ ବିଶ୍ୱାସ କରୁଥିଲେ ।

କ’ଣ ତୁମେ ତାଙ୍କଠାରୁ କିଛି ଶୁଣିଛ ?

 

ହଁ ଥରେ ଦୁଇଥର ସେ କହିବାର ମୁଁ ଶୁଣିଛି ଯେ ତାଙ୍କ ଜୀବନରେ ସେ ଗୋଟିଏ ମସ୍ତବଡ଼ ଭୁଲ କରିଛନ୍ତି । ଯାହାର ପରିଣାମ କି ତାଙ୍କୁ ଏ ପଥକୁ ଟାଣି ଆଣିଲା ।

 

ସୁନୀଲ୍ ଆଶ୍ଚର୍ଯ୍ୟ ହୋଇ ମନେ ମନେ ଗୁଣି ହେବାକୁ ଲାଗିଲା ଯେ ସେ ଭୁଲଟା କ’ଣ, କଅଣ ତାଙ୍କ ପ୍ରଥମ ସ୍ତ୍ରୀ ମଲା ପରେ ପୁନର୍ବାର ଅନ୍ୟ ଗୋଟିଏ ସ୍ତ୍ରୀ ସହିତ ପ୍ରେମ କରୁଥିଲେ; କିମ୍ବା ସେ ଅନ୍ୟ କୌଣସି ସ୍ତ୍ରୀଲୋକଦ୍ୱାରା..... । ସୁନୀଲ୍‌ର ମୁଣ୍ତରେ କିଛି ପଶିଲା ନାହିଁ, କୁମ୍ଭାର ଚକ ପରି ତା’ର ମୁଣ୍ତଟା ଘୂରିବାକୁ ଲାଗିଲା ।

 

କିଛିକ୍ଷଣ ସମସ୍ତେ ନୀରବ ରହିଲେ । ମୋହନ ସୁନୀଲ୍‍ର ପିଠିରେ ହାତ ଥାପୁଡ଼ାଇ କହିଲା, ଦାମୋଦରବାବୁ କଅଣ କିଛି କାଗଜ ପତ୍ର ନେଇ ଯାଇଛନ୍ତି କି ?

 

ନାଁ ନେଇ ନାହାନ୍ତି ପର୍ଯ୍ୟନ୍ତ.... ।

 

ସୁନୀଲ୍‍ର ଏପରି ଖାପଛଡ଼ା କଥା ଶୁଣି ମୋହନ ମନେ ମନେ ବଡ଼ ବିରକ୍ତ ହେଉଥିଲା-। କିନ୍ତୁ କାର୍ଯ୍ୟରତା ନଳିନୀକୁ ଦେଖି, ତା’ର ମନରୁ ସମସ୍ତ ସନ୍ଦେହ ଦୂରୀଭୂତ ହୋଇଗଲା ।

 

‘‘ମୋହନ ମନେ ମନେ ବଡ଼ ବ୍ୟସ୍ତ ହେବାକୁ ଲାଗିଲା ।’’ ତା’ର ମନରେ ସନ୍ଦେହହେଲା ଯେ ସୁନୀଲ୍‍ କାହିଁକି ଏପରି ଖାପଛଡ଼ା ନୀତି ଧରିଛି । ତେବେ ପ୍ରକୃତରେ କଅଣ ଦାମୋଦରବାବୁ କିଛି କାଗଜ ପତ୍ର ନେଇ ଯାଇଛନ୍ତି । କିନ୍ତୁ ପର ମୁହୂର୍ତ୍ତରେ ତାଙ୍କ ମନରେ ନୂତନ ଉତ୍ସାହ ବିଚ୍ଛୁରିତ ହୋଇ ଆସେ । ପୁଲିସ ବାଲା ଯାହାକିଛି କରି ପାରିନାହାନ୍ତି ଏମାନେ ଏଥିରୁ ବା କଅଣ ପାଇବେ-

 

ମୋହନ ଭୁଲାଇ ଦେବାପାଇଁ କହିଲା–ହଁ ହଁ ମଝିରେ ମଝିରେ ସେ ମୋତେ ଛାତ ଉପରକୁ ନେଇ ଯନ୍ତ୍ର ସାହାଯ୍ୟରେ ସବୁ କ’ଣ ଦେଖାଉଥିଲେ; ହେଲେ ମୁଁ ସେ ସବୁ ବୁଝି ପାରୁଥିଲି କି ! ସେ ତାଙ୍କର ତ ପେଷା ନଥିଲା । ହେଲେ ତାଙ୍କର ସେଥିପ୍ରତି ଗୋଟାଏ ଉତ୍ସାହ ଥିଲା, ଯାହାକି ଜାଡ଼ ରାତିରେ ମଧ୍ୟ ସେ ସେଇ କାମରେ ଛାତ ଉପରେ ଯାଇ ବସୁଥିଲେ।

 

ସେ ଗୋଟାଏ ଶୀତ ରାତିରେ ବୋଧେ ମରିଥିଲେ ? ମୋହନ ଗୋଟାଏ ଅଜଣା ଆଶଙ୍କାରେ ତାକୁ ଦେଖୁଥିଲା । –ହଁ–କାହିଁକି ? କିନ୍ତୁ ତୁ କିପରି ଜାଣିଲୁ ! ତୁ ତ ସେତେବେଳେ ଖୁବ୍ ପିଲା ।

 

ମୁଁ ଦେଖି ନଥିଲି ସତ କିନ୍ତୁ ଶୁଣିଥିଲି ।

 

ହଁ ମୁଁ ତ କହୁଛି ଯେ ମଦନବାବୁ ବଡ଼ ଅମାୟିକ ଲୋକ ଥିଲେ । ଲୋକେ ତାଙ୍କୁ ପାଗଳ ବୋଲି କହୁଥିଲେ କାହିଁକି ? ସେ ତ ଏପରି ନଥିଲେ । ସେ ବଡ଼ ସଉକିନିଆ ଲୋକ ଥିଲେ-। ତା’ଛଡ଼ା ଜ୍ୟୋତିଷ ବିଦ୍ୟା ଉପରେ ପ୍ରଗାଢ଼ ବିଶ୍ୱାସୀ ଥିଲେ ।

 

ସେ କ’ଣ ଆପଣଙ୍କୁ ଏ ବିଷୟରେ କିଛି କହନ୍ତି ? ହଁ ଥରେ ସେ ମୋତେ କହୁଥିଲେ ଯେ ମୁଁ ମୋର ଜୀବନରେ ମସ୍ତବଡ଼ ଭୁଲ କରି ବସିଛି ।

 

ସୁନୀଲ୍‌ ଆଶ୍ଚର୍ଯ୍ୟ ହୋଇ ଭାବିଲା, ମଦନବାବୁ କି ଭୁଲ କଲେ ? କ’ଣ ସେ ତାଙ୍କର ପ୍ରଥମ ସ୍ତ୍ରୀ ମଲାପରେ ଦ୍ୱିତୀୟ କୌଣସି ଝିଅକୁ ପ୍ରେମ କରୁଥିଲେ ।

 

ତା’ର ଭାବନାର ପୂର୍ଣ୍ଣଚ୍ଛେଦ ଦେଇ ମୋହନ ଖୁବ୍ ଜୋରରେ ହସି ଉଠିଲା । ସୁନୀଲ୍‍ର ଭାବନା ବନ୍ଦହୋଇଯାଇ ଅନ୍ୟ ଗତି ନେଲା । କିଛି ସମୟ ବାଦ୍ ମୋହନ କହିଲା, ଦାମୋଦରବାବୁ ସେ କାଗଜ ନେଇ କ’ଣ କଲେ ।

 

ଜୟନ୍ତବାବୁଙ୍କୁ ଦେଖାଇବାପାଇଁ ସେ ସାଙ୍ଗରେ ନେଇ ଯାଇଛନ୍ତି । ମୋହନ ସୁନୀଲ୍‍ ଉପରେ ଖୁବ୍ ବିରକ୍ତ ହୋଇ କହିଲା, ତା’ର କି ଅଧିକାର ଥିଲା ଏ ଘରୁ କାଗଜ ନେବାପାଇଁ ।

 

ଆପଣ ତ କହୁଛନ୍ତି ପୁଲିସ ବାଲା ତାକୁ ଛାଡ଼ି ଯାଇଛନ୍ତି, ତେବେ ଦାମୋଦରବାବୁ ନେଇ ବା କ’ଣ ପାଇବେ । କେବଳ ଜ୍ୟୋତିଷ ପାଠ ଲେଖା ଅଛି ବୋଲି ସେ ନେଇ ଯାଇଛନ୍ତି । ତେବେ ଯାହା ହେଉନା କାହିଁକି ସ୍ଥଳ ବିଶେଷରେ ଅନାଧିକାର ଚର୍ଚ୍ଚା ମୋ ପକ୍ଷରୁ ଠିକ୍ ହୋଇନାହିଁ-। ଯାହା ହେଉ ଅବସ୍ଥା ତ କିଛି ଗୁରୁତର ନୁହେଁ ? ଯଦି କହିବେ କାଲି ମୁଁ ସେତକ ନେଇ ଆସି ଆପଣଙ୍କୁ ଦେଇଦେବି ।

 

ଛାଡ଼ ସେ କଥା, ଯେତେବେଳେ ମୁଁ ଏ ଘରର ରକ୍ଷକ, ଅଦରକାରୀ କାଗଜଗୁଡ଼ାକ ନେଇ ଯାଇଛନ୍ତି ଆଣିବା ଲାଭ କ’ଣ । ସେହି ସମୟରେ ନଳିନୀ ଆସି ପହଞ୍ଚି ଯିବାରୁ ଦୁଇଜଣଙ୍କର କଥାବାର୍ତ୍ତା ବନ୍ଦ ହୋଇଗଲା । ସୁନୀଲ୍‍ ସମସ୍ତଙ୍କଠାରୁ ବିଦାୟ ନେଇ ନିଜ ଘରକୁ ଫେରି ଆସିଲା । ରାସ୍ତାରେ ସେ ବହୁତ କଥା ଭାବିଲା, ଘରେ ଆସି ମନ ଦୁଃଖରେ ବିଛଣା ଉପରେ ଶୋଇ ପଡ଼ିଲା । ଶୋଇ ଶୋଇ ବହୁତ ସମୟପର୍ଯ୍ୟନ୍ତ ଭାବନାର ଗତି ଆଗେଇଲା । କିନ୍ତୁ ଯେଉଁ ମୁହୂର୍ତ୍ତରେ ତା’ର ସବୁ ଗୋଳମାଳିଆ ହୋଇଗଲା, ସେ ଗୁଣୁ ଗୁଣୁ ହୋଇ କହିଲା–‘ ଗତସ୍ୟ ଶୋଚନା ନାସ୍ତି ।’

 

କଅଣ ଇଉନାଇଟେଡ୍‍ କମ୍ପାନୀରୁ କହୁଛ ।

 

ବେହାରୀ ବାବୁ ଅଛନ୍ତି ?

 

ଟିକେ ଡାକି ଦିଅନ୍ତୁ ତ ମୋର ତାଙ୍କ ସହିତ କଥା ହେବାକୁ ଅଛି ।

 

କିଏ ମୁଁ–ମୁଁ ଚଉଦ୍ୱାରରୁ କହୁଛି ।

 

ଠିକ୍ ଅଛି, ମୁଁ ଧରୁଛି ।

 

ସେ କିଛି ସମୟ ଅପେକ୍ଷା କରି ବସିଲା । ପ୍ରାୟ ୫ମିନିଟ୍‍ପରେ ଘାଉଁ ଘାଉଁ ହୋଇ ଆବାଜ ଗୋଟେ ଆସିଲା–

 

ହଁ ହଁ ମୁଁ ମୋହନ କହୁଛି ।

 

ବହୁତ ଜରୁରୀ, ମୁଁ ପୋଷ୍ଟଅଫିସ୍ ଫୋନରୁ କହୁଛି । ଫୋନରେ ସବୁକଥା କହିବା ସମ୍ଭବ ନୁହେଁ । ହୁସିଆରରେ ଥିବ । ଏଠାକୁ ଆସିଲେ ସବୁକଥା ଶୁଣିବାକୁ ପାଇବ । ସମୟ ଅଳ୍ପ, ନମସ୍କାର ।

 

ଅମର ବ୍ୟତୀତ ଅନ୍ୟ ଦୁଇଜଣ ମଧ୍ୟ ଚଉଦ୍ୱାର ଯିବାକୁ ବାହାରିଲେ । କିନ୍ତୁ ତିନି ଜଣଙ୍କର ଉଦ୍ଦେଶ୍ୟ ଥିଲା ଭିନ୍ନ ।

 

ସେମାନଙ୍କ ମଧ୍ୟରୁ କେହି ଜାଣି ନଥିଲେ ଯେ ଜୟନ୍ତ ଓ ଦାମୋଦର ଚଉଦ୍ୱାରରେ ଓହ୍ଲାଇଛନ୍ତି । ତେଣୁ ବିନା ଦ୍ୱିଧାରେ ସେମାନେ ଚଉଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲେ ।

 

ଶାନ୍ତନୁର ଉଦ୍ଦେଶ୍ୟ ଥିଲା ସେ ଚଉଦ୍ୱାର ଯାଇ ଲାଲଭବନକୁ ଥରେ ଭଲ କରି ଦେଖିନେବ । କିନ୍ତୁ ଉଜିର୍ ଅମରଦ୍ୱାରା ପ୍ରେରିତ ହୋଇ ଯାଇଥିଲା । ଅମରର ଉଦ୍ଦେଶ୍ୟ ଥିଲା ଅନ୍ୟ ପ୍ରକାର । ସେ ଚାହୁଁଥିଲା ଶାନ୍ତନୁଠାରୁ ଫାଇଦା ଉଠାଇବାପାଇଁ କିନ୍ତୁ ସେଇଟା କ’ଣ ?

 

ପ୍ରଥମେ ଶାନ୍ତନୁ ଚଉଦ୍ୱାରରେ ପହଞ୍ଚିଥିଲା । ସେ ବେହାରୀଠାରୁ ତା’ର ଭାଗ ଟଙ୍କା ଆଣିଥିଲା ସତ, ତଥାପି ତା’ର ମନରେ ସମ୍ପୂର୍ଣ୍ଣ ଶାନ୍ତି ଆସି ନଥିଲା । ସେ ଚାହିଁଥିଲା ଇଉନାଇଟେଡ୍‍ କମ୍ପାନୀର ଅଧେ ଭାଗ । ସେହି ଲୋଭ ତା’ ଅଶାନ୍ତିର କାରଣ ଥିଲା । ତା’ଛଡ଼ା ସେ ପୂର୍ବରୁ ସଜା ଭୋଗି ସାରିଥିଲା । ସେଥିପାଇଁ ସଜା ଭୋଗିବାର ଆଉ ନଥିଲା । ସେ ବିଷୟ ଥିଲା ତା’ର ଶାନ୍ତିର କାରଣ ।

 

ସେଦିନ ରାତିରେ ସେ ଆସି ଚଉଦ୍ୱାରରେ ଥିବା ଧର୍ମଶାଳାରେ ଓହ୍ଲାଇଲା । ସେ ପ୍ରଥମେ ପହଞ୍ଚି ତା’ର ପାରିପାର୍ଶ୍ୱିକ ଅବସ୍ଥା ଭଲରୂପେ ପରଖିନେଲା । ସେଠାରେ ତାକୁ କେହି ଚିହ୍ନି ପାରୁ ନଥିଲେ । ସେ ତା’ର ନାମ ବଦଳାଇ ଗୋଟିଏ କୋଠରୀରେ ରହିଲା ।

 

ତା’ ପରଦିନ ଶାନ୍ତନୁ ଗାଁ ବୁଲି ବାହାରିଲା । ସେ ବୁଲି ବୁଲି ଆସି ‘ଲାଲଭବନ’ ପାଖରେ ପହଞ୍ଚିଲା । ତା’ର ସାମନା ଦରଜା ପାଖରେ ଠିଆ ହୋଇ ଚାରିଆଡ଼କୁ ନିରୀକ୍ଷଣ କରିବାକୁ ଲାଗିଲା । ଏତିକିବେଳେ ସାମନା ଦରଜା ଖଟ୍ ଖଟ୍ ହୋଇ ଖୋଲିବାରେ ଲଗିଲା । ଦୁହିଁଙ୍କର ଆଖି ମିଳିଲା । ଦୁହେଁ ଦୁହିଁଙ୍କୁ ଚିହ୍ନିଲେ ।

 

ମୋହନ ଚେହେରା ବଦଳିଗଲା । ସେ ଭିତରେ ଭିତରେ ଥରିବାକୁ ଲାଗିଲା । ଥରା ଗଳାରେ ପଚାରିଲା–

 

‘‘ଶାନ୍ତନୁ’’–

 

‘‘ହଁ ଶାନ୍ତନୁ–ତୋର ଯମ–’’

 

‘‘ତୁ ଏଠାରେ କ’ଣ କରୁଚୁ’’–

 

ପୂର୍ବ କଥା ମନେପଡ଼ିବାରୁ ଚାଲି ଆସିଛି । ହଁ–ମୋହନ ଯଦି ମୋ ସାଙ୍ଗେ ଦେଖା କରିବାକୁ ଆସୁ ତ ମୁଁ ଧର୍ମଶାଳାରେ ଅଛି । ମୋର ନାଁ ସେଠି ବଦଳାଇ ରହିଛି । –ସତୀଶ୍‍–‘‘ଧନ୍ୟବାଦ, ଦରକାର ହେଲେ ଯିବି । ନାଁ ସେମିତି ତ କିଛି କଥା ନାହିଁ । –ଆଚ୍ଛା ମୁଁ ଆସେ–କହି ଶାନ୍ତନୁ ଧୀରେ ଧୀରେ ଚାରିଆଡ଼କୁ ନିରୀକ୍ଷଣ କରି ଆଗେଇ ଚାଲିଲା ।

 

Unknown

ମୋହନ ପଛରୁ ଡାକ ପକାଇଲା । –ଶାନ୍ତନୁ–କ’ଣ ଧର୍ମଶାଳାରେ ରହୁଛୁ–

 

ହଁ କାହିଁକି ? କ’ଣ କିଛି କ୍ଷତି ଅଛି କି ? ଜୟନ୍ତବାବୁ ସେଠାରେ ରହୁ ଅଛନ୍ତି ।

 

ଶାନ୍ତନୁ ଚାଲୁ ଚାଲୁ ସେଠି ଅଟକିଗଲା । ବୁଲିପଡ଼ି ମୋହନକୁ ଚାହିଁ ରହିଲା ।

 

ଜୟନ୍ତ ଏପର୍ଯ୍ୟନ୍ତ ଜୀବନରେ ଅଛି । ଏପର୍ଯ୍ୟନ୍ତ ସେ କାହାରି ଶିକାର ହୋଇନି । ତେବେ ସେ ତ ଖୁବ୍ ଭଲଲୋକ; ଥାଉ ।

 

ସେ ମଦନବାବୁଙ୍କ ହତ୍ୟା ବିଷୟରେ ଏଠାରେ ଅନୁସନ୍ଧାନ ଚଳେଇଛନ୍ତି । ତାଙ୍କର ଜଣେ ଦାମୋଦର ନାମରେ ସହକାରୀ ଅଛି । ସେ ଏଠାକୁ ଆସି ବହୁତ କଥା ଦେଖାଦେଖି କରୁଛି-

 

ସତ କଥା ଯେ, ମୋର କିଛି କ୍ଷତି ହେବନାହିଁ ।

 

କିନ୍ତୁ ମୋର ତ କ୍ଷତି ହୋଇପାରେ । ଦିନେ ନା ଦିନେ ସତ୍ୟ ପ୍ରକାଶ ପାଇବ ।

 

ଏକଥା ବେହାରୀ ଶୁଣିଲାଣି ?–

 

ହଁ ଟେଲିଫୋନରେ ମୁଁ ଯାହା କହୁଛି ସେତିକି ବେହାରୀକୁ ସାମନା ସାମନି ଦେଖିଛୁ ।

 

ନାଁ–ତାଙ୍କୁ ଏପର୍ଯ୍ୟନ୍ତ ଦେଖିନାହିଁ ସେଇଦିନ ରାତିଠାରୁ–କଥା କହିବା ତ ଦୂରର କଥା–

 

‘‘ଆଚ୍ଛା ତୁ କୁଆଡ଼େ ଯାଉଛୁ ଶାନ୍ତନୁ’’–

 

‘‘ଏଇ ଗାଁକୁ ଯାଉଛି । ଏଇଠି ରହିବି । ହଁ ମୋହନ ତୁ ବେହାରୀଠାରୁ ସବୁବେଳେ ଦୂରରେ ରହୁଥିବୁ । ସେ ଭଲଲୋକ ନୁହେଁ ।’’ ହଉ ମୁଁ ଚାଲିଲି ।

 

ମୋହନ ଶାନ୍ତନୁର କଥାକୁ ଅପେକ୍ଷା ନକରି ଆଗତୁରା ଚାଲିବାରେ ଲାଗିଲା । ଶାନ୍ତନୁ ସେଇଠି ଠିଆହୋଇ ଚାହିଁଥିଲା ମୋହନର ଚଲାବାଟକୁ । ସେ ମନେମନେ କହିବାକୁ ଲାଗିଲା ।

 

‘‘ଜୟନ୍ତବାବୁ ସେ ମାମଲା ଯାଞ୍ଚ କରୁଥିଲେ । ପୁଣି କାହିଁକି ?’’ ଭାବୁ ଭାବୁ ଦୃଷ୍ଟି ପଡ଼ିଲା ସାମନାରେ ଥିବା ଛୋଟ ଉଚ୍ଚ ପାହାଡ଼ ଉପରକୁ । ସେଠାରେ ଜଣେ କିଏ ଅସ୍ତାୟମାନ ସୂର୍ଯ୍ୟାଲୋକରେ ଦଣ୍ତାୟମାନ ହୋଇ ପ୍ରକୃତି ଉପଭୋଗ କରୁଥିଲେ । ସେ ଧୀରେ ଧୀରେ ସେଠାକୁ ଯାଇ ଲୋକଟିକୁ ପ୍ରଥମେ ନିରୀକ୍ଷଣ କଲା । ଆଶ୍ଚର୍ଯ୍ୟ ହୋଇ ପଚାରିଲା–

 

‘‘କିଓ ଉଜିର୍ ପୁଣି ତ ମିଳିଲ, ମୁଁ କହିଥିଲି ନାଁ ।’’

 

ଶାନ୍ତନୁକୁ ଦେଖି ଉଜିର୍‍ ଘାବଡ଼େଇ ଗଲା । ପୂର୍ବକଥା ମନେ ପକାଇ ଓଠ ଛୁଇଁକରି–‘‘ତୁ ମୋତେ ମାରିବୁ ନା ଆଉଥରେ ।’’

 

ଦୁହେଁ ବୁଲି ପଡ଼ିଲାବେଳକୁ ଅମର ଓ ସରିତା ଉପରେ ଦୁହିଁଙ୍କର ନଜର ପଡ଼ିଲା । ଶାନ୍ତନୁ ଆଶ୍ଚର୍ଯ୍ୟ ହୋଇ ଅମର ଆଡ଼େ ଚାହିଁଲା । ସେ ପ୍ରଥମେ ଅମରକୁ ଜାଣିଥିଲା । କିନ୍ତୁ ସରିତା ତ ନୂଆ । ପ୍ରଥମେ ଅମର ମଉନ ଭାଙ୍ଗି ଆରମ୍ଭ କଲା–

 

‘‘କିଓ ଶାନ୍ତନୁ ସବୁ ଭଲ ତ ।’’

 

‘‘ମୁଁ ଶାନ୍ତନୁ ନୁହେଁ ସତୀଶ୍‍’’–

 

ଏପରି କଥା ଶାନ୍ତନୁଠାରୁ ଶୁଣି ସମସ୍ତେ ହସି ଉଠିଲେ । ଅମର କହିଲା, ‘‘କିଓ ଚଉଦବର୍ଷ ଭିତରେ ତୁମର ତ କିଛି ପରିବର୍ତ୍ତନ ହୋଇନାହିଁ ।’’

 

ଆଚ୍ଛା ଠିକ୍ କଥା–ସତୀଶ୍ ତୁମର ପରିଚୟ କରାଇ ଦିଏଁ, ଏ ହେଉଛନ୍ତି କୁମାରୀ ସରିତା–ମୋର ଜଣେ ବନ୍ଧୁ । ଆଉ ଏ ହେଉଛନ୍ତି ଶ୍ରୀମାନ୍ ସତୀଶ୍ ସ୍ୱର୍ଗତଃ ଶାନ୍ତନୁ ଦାସ ।

 

ପରିଚୟ ପରେ ଭାବର ଆଦାନ ପ୍ରଦାନ ହେଲା ।

 

ସନ୍ଧ୍ୟା ଆଗତ ପ୍ରାୟ । ସମସ୍ତେ ଗାଁ ଭିତରକୁ ଆସିବାକୁ ଲାଗିଲେ । ଅମର କହିଲା–‘‘କି ଉଜିର୍ ମୁଁ ଭାବୁଥିଲି ତୁ ଗାଁରେ ଥିବୁ ବୋଲି । କିନ୍ତୁ ଏଠାରେ କାହିଁକି, କ’ଣ ହେଉଛି-?’’

 

ଅମର ଆଉ ଉଜିର୍‍ର କଥାବାର୍ତ୍ତା ଓ ଢଙ୍ଗ ଢାଙ୍ଗ ଦେଖି ଶାନ୍ତନୁ ଭାବିଲା, ‘‘କ’ଣ ମଦନବାବୁଙ୍କ ହତ୍ୟାରେ ଅମର ଓ ଉଜିର୍‍ ଦୁହେଁ ଜଡ଼ିତ ?

 

ସେ ଆଗରୁ ଯଦିଓ ଜାଣିଥିଲା ଯେ ମଦନବାବୁଙ୍କ ହତ୍ୟାବେଳେ ଅମର ମୋଟେ ୨୧ ବର୍ଷର ଯୁବକ । ତା’ଛଡ଼ା ଅମରର ପ୍ରକୃତି ତ ସେପରି ନଥିଲା । କଥା କ’ଣ ? ଅମର ଉଜିର୍‍କୁ ଦେଖୁ ଦେଖୁ ଏପରି କହିଲା କାହିଁକି ? ତା’ଛଡ଼ା ସେ ଏଠି ଉଜିର୍‍କୁ ଦେଖିବ ବୋଲି ଆଶା କରି ନଥିଲା କାହିଁକି ? ଏ ଦୁଇଟି ପ୍ରଶ୍ନ ତା’ ମନରେ ସବୁବେଳେ ଘୁଙ୍ଗାଳି ହେଲା ।

 

ଗାଁ ମୁଣ୍ତରେ ପହଞ୍ଚିଲାବେଳକୁ ଶାନ୍ତନୁ କହିଲା, ଆସ ସମସ୍ତେ ଟିକିଏ ଟିକିଏ ଚା’ ପିଇବା, ତା’ପରେ ଯୋଉ କଥା । ଏହାଛଡ଼ା ଶାନ୍ତନୁର ଉଦ୍ଦେଶ୍ୟ ଥିଲା, ଏକଥା ଯେପରି କେହି ନଜାଣୁ ଯେ ସେ ଏ ହତ୍ୟା ମାମଲାରେ ପୁଣି ମୁଣ୍ତ ଖେଳାଉଛି ।

 

ସମସ୍ତେ ସାଙ୍ଗ ହୋଇ ଧର୍ମଶାଳାକୁ ଗଲେ । ଶାନ୍ତନୁ ଚା’ ଆଉ ବିଷ୍କୁଟ ମଗାଇଲା । ସମସ୍ତେ ବସି ଖାଇବା ଆରମ୍ଭ କରିଦେଲେ । ଖାଉ ଖାଉ ଶାନ୍ତନୁ ପଚାରିଲା, ‘‘ତୁମେ କ’ଣ ବର୍ତ୍ତମାନ ଏଇଠି ରହୁଛ ?’’

 

“ନାଁ, ଦିନକପାଇଁ ଆସିଥିଲି । ତେବେ ତୁମ ସହିତ ଏଠି ଭେଟ ହେବ ବୋଲି ଆଶା ନଥିଲା ।’’

 

ଉପରେ ପଡ଼ି କହିଲା ପରି ଉଜିର୍ କହିଲା, ‘‘ମୁଁ ଏମିତି ବୁଲି ଆସିଥିଲି ।’’

 

‘‘ତେବେ ଆଜି କ’ଣ ତୁ ଚାଲିଯିବୁ’’–ହସି ହସି ଶାନ୍ତନୁ କହିଲା ।

 

ଶାନ୍ତନୁ ପ୍ରତିକ୍ଷଣରେ ନିରୁଖୁଥିଲା ଉଜିର୍‍ର ଭାବଭଙ୍ଗି ପ୍ରତି । ଉଜିର୍‍ ଯେ ପ୍ରତି ମୁହୂର୍ତ୍ତରେ ଡରି ଡରି କଥାବାର୍ତ୍ତା କରୁଛି ଏକଥା ତା’ ମୁହଁରୁ ସ୍ପଷ୍ଟ ଜଣା ପଡ଼ିଯାଉଥିଲା । ସେ ଭାବି ଭାବି ଠିକ୍ କଲା, ବୋଧେ ଉଜିର୍‍, ଅମର ଓ ସରିତାକୁ ସବୁ କହି ଦେଇଛି । ତା’ର ରକ୍ତ ଗରମ ହୋଇ ଉଠିଲା । ସେ କପଟତା ରଖି ପଚାରିଲା–

 

‘‘ଉଜିର୍‍ ତୁ କ’ଣ ଏମାନଙ୍କୁ ଏଠାକୁ ଆଣିଛୁ ?’’

 

‘‘ହଁ’’ କହି ଉଜିର୍‍ ଇତସ୍ତତ ହେବାକୁ ଲାଗିଲା ।

 

ଅମର କହିଲା ବୁଝିଲ ଶାନ୍ତନୁ, ମୁଁ ସବୁକଥା ଉଜିର୍‍ଠାରୁ ଶୁଣିଛି.....

 

ମୁହଁରୁ କଥା ନସରୁଣୁ ଶାନ୍ତନୁ ଉଜିର୍‍କୁ ଗୋଟେ ମୁଖି ଖୁବ୍ ଜୋରରେ ମାଇଲା । ଏସବୁ ଦେଖି ସରିତା ଖୁବ୍ ରାଗି ଉଠିଲା । କହିଲା, ଏପରି ପଶୁଭଳିଆ ବ୍ୟବହାର ଉଚିତ୍‍ ନୁହେଁ । ଅମର ଶାନ୍ତନୁକୁ ଧରି ଅଟକାଇଲା ।

 

‘‘ଦେଖ ଶାନ୍ତନୁ ତୁମର ଏଇ ଝଗଡ଼ାରେ ଭାଗ ନେବାକୁ ମୁଁ ଏଠାକୁ ଆସିନି । ଉଜିର୍‍ ପ୍ରତି ଲକ୍ଷ୍ୟ କରି ଅମର କହିଲା, ‘‘ମୁଁ ମନା କରୁଥିଲି ନା ଏଠିକୁ ନ ଆସିବାପାଇଁ, ତୁ ଯେମିତି ମନା ନ ମାନିଲୁ ତା’ର ପରାଭବ ପାଇଲୁ ତ; ଆଚ୍ଛା ଯା ଯା ।’’

 

ଉଜିର୍‍ ଚାଲିଗଲା । ଠିକ୍ ସେତିକିବେଳକୁ କଟକ ଆସିବାପାଇଁ ବସ୍ ପ୍ରସ୍ତୁତ ହୋଇଥିଲା କିନ୍ତୁ ଉଜିର୍‍ ସେଥିରେ ଯିବାପାଇଁ ଉଚିତ ମନେ କଲାନି । ସେ ନିଛାଟିଆ ରଗଡ଼ି ଉପର ଦେଇ ଧୀରେ ଧୀରେ ଆଗେଇବାକୁ ଲାଗିଲା ।

 

ଅମର ଓ ଶାନ୍ତନୁ ଦୁହେଁ ଧର୍ମଶାଳାରେ କଥାବାର୍ତ୍ତା ହୋଇ ରହିଲେ । ଅମର କହିଲା, ବୁଝିଲ ଶାନ୍ତନୁ ବିଚରା ଉଜିର୍‍କୁ ମାରିବା ତୁମର ଠିକ୍ ହୋଇନି ।

 

ଯାହା କୁହପଛେ ମୁଁ ତାକୁ ଜୀବନରେ ନମାରି ଛାଡ଼ିବିନି । ସେ ଗୋଟିଏ ଗଳଗ୍ରହ କହି, ଶାନ୍ତନୁ ନାଲିଆଖିରେ ଅମରଆଡ଼କୁ ଚାହିଁଲା ।

 

ଠୋ ଠୋ ହୋଇ ଅମର ହସିଉଠିଲା, କହିଲା–ବୁଝିଲ ବାବୁ ମୁଁ ଉଜିର୍ ନୁହେଁ ।

 

ଶାନ୍ତନୁର ଚେହେରା ବଦଳିଗଲା । ଅମର ତା’ ପିଠିରେ ହାତ ମାରି କହିଲା, ଆଚ୍ଛା ଶୁଣୁ ମୁଁ ତୁମର ଗୋଟେ ଉପକାର କରିବାପାଇଁ ଆସିଛି । ବେହାରୀ ମୋତେ ସବୁକଥା କହିଦେଇଛି । ତୁମ୍ଭଙ୍କୁ ତା’ର ରାସ୍ତାରୁ ହଟାଇ ନେବାପାଇଁ ମୋତେ ମଧ୍ୟ ଅନୁରୋଧ କରିଛି ।’’

 

ଏହି ସବୁକଥା କହୁଥିବାବେଳେ ଶାନ୍ତନୁ ବକ୍ ବକ୍ କରି ଅମରର ମୁହଁକୁ ଚାହିଁ ରହିଥିଲା-। ସେ ମନେ ମନେ କହି ହେଉଥିଲା–ଧନ୍ୟ ଅମର ଧନ୍ୟ ତୋର ନିର୍ଭୀକତା, “କିନ୍ତୁ ପରମୁହୂର୍ତ୍ତରେ ତା’ର ଭାବନାର ଧାରା ବଦଳି ଯାଇ ବେହାରୀ ଉପରେ ପଡ଼ିଲା ।’’

 

ଶାନ୍ତନୁର ମନୋଭାବ ବିଶ୍ଳେଷଣ କରିବାକୁ ଅମରକୁ ବେଶି ସମୟ ଲାଗିଲାନି । ସେ ହସି ହସି ଶାନ୍ତନୁ ପିଠିରେ ହାତ ବୁଲାଇ କହିଲା, କ’ଣ ଏତେ ଭାବୁଛୁ ଯେ ? ଚାଲ୍ ଚାଲ୍ ଆଉ କପେ ଚା’ ପିଇବା । ସମସ୍ତେ ଉଠି ଚା’ ଖାଇବାପାଇଁ ନିକଟସ୍ଥ ଦୋକାନକୁ ଗଲେ । ଚା’ ପର୍ବ ସରିଲା । ଅମର କହିଲା, ‘‘ଶାନ୍ତନୁଭାଇ ମୁଁ ଆସିଥିଲି ତୋରି ଉଦ୍ଦେଶ୍ୟରେ । ତୋରି ବଦଳରେ ଯଦି ଦଶହଜାର ଟଙ୍କା ଦେବୁ ତେବେ ମୁଁ ଏ ମାମଲାରୁ ଦୂରେଇ ଯିବି ।’’

 

‘‘ଆଚ୍ଛା ତୁମେ କ’ଣ ଉଜିର୍‍ଠାରୁ ସବୁକଥା ଶୁଣିଛ ।’’ ନାଁ ଉଜିର୍ ଯାଇଥିଲା ସତ, କିନ୍ତୁ ସବୁକଥା ଶୁଣିବାର ଅବସର ପାଇନି । ତେବେ ମୋର ଗୋଟେ କଥା ଯେ ତୁମେ ଯଦି ଦଶହଜାର ଟଙ୍କା ନଦିଅ ତେବେ ବେହାରୀଠାରୁ ସେଇ ଟଙ୍କାଟା ମୁଁ ହାସଲ କରି ଯାହା କରିବାର କଥା ସେଆଇଁ କରିବି ।

 

ସରିତାକୁ ଏ ସବୁକଥାବାର୍ତ୍ତା ଭଲ ଲାଗୁ ନଥାଏ । ସେ ବସିଥିବା ଚଉକୀରୁ ଉଠି ସାମନାରେ ଥିବା ଖିଡ଼ିକିରେ ମୁହଁ ଗଳାଇ ଅନାଇଥିଲା ସୁଦୂର ଗଗନ ତାରକାପନ୍ତି ଆଡ଼େ, ସେତିକିବେଳେ ଅମର କହିବାରେ ଲାଗିଥାଏ ।

 

‘‘ମୁଁ ଶୁଣିଛି ଜୟନ୍ତବାବୁ ଏ ମାମଲାରେ ହାତ ଦେଇଛନ୍ତି । ଦିନେନା ଦିନେ ସେ ନିଶ୍ଚୟ ସତ୍ୟ ପ୍ରକାଶ କରାଇବେ ।’’

 

ଅମରର ଏସବୁ ଅବାନ୍ତର ଯୁକ୍ତି ଓ ଅସଙ୍ଗତ ପ୍ରଳାପରେ ଶାନ୍ତନୁ ଧର୍ଯ୍ୟହରା ହୋଇ ବସିଥିବା ଚଉକୀରୁ ଉଠିପଡ଼ିଲା । ସରିତା ଚିହିଁକି ଆସି କହିଲା, ଚାଲ ଅମର ଏସବୁ ବଦମାସ କଥାରେ ଆମର ମୁଣ୍ତ ଖେଳେଇବା କି ଦରକାର ।

 

ସ୍ୱାର୍ଥାନ୍ୱେଷୀ ଅମର ସ୍ୱାର୍ଥ ଛାଡ଼ି ପାରିଲାନି । ସେ ସରିତା ଉପରେ ଗର୍ଜି ଉଠିଲା । ଜୟନ୍ତ ମୋର କ’ଣ କରିବ ? ମୁଁ ତ କିଛି ଦୋଷୀ ନୁହେଁ । ଏସବୁ କାଣ୍ତ ଦେଖି ଶାନ୍ତନୁ ଧୀରେ ଧୀରେ ଚାଲିଯିବାକୁ ଲାଗିଲା । ରାତି ବେଶି ହୋଇଥିବା ଯୋଗୁ ହୋଟେଲ ଛାଡ଼ି ଅମର ଓ ସରିତା ଧର୍ମଶାଳାଆଡ଼େ ବାହାରିଲେ ।

 

ଘନ ଅନ୍ଧକାର ରାତ୍ରି, ଝିଙ୍କାରୀର ଝିଁ ଝିଁ ଶବ୍ଦରେ ଚତୁର୍ଦ୍ଦିଗ ମୁଖରିତ । ଅଦିନିଆ ବାଦଲ ଖଣ୍ତେ ଆକାଶରେ ଉଠାଇ ଥାଏ । ସେହି ଅନ୍ଧକାର ମଧ୍ୟରେ ଦୁଇଟି କଳା ଛାଇ ଲାଲଭବନ ଅଭିମୁଖରେ ଅଗ୍ରସର ହେଉଥିଲା ।

 

ଦୁହେଁ ଏକପଥର ଯାତ୍ରୀ ହେଲେ ସୁଦ୍ଧା ଦୁହିଁଙ୍କର ଭାବନା ଥିଲା ଭିନ୍ନ । ସେ ଦୁହେଁ ଅମର ଓ ଶାନ୍ତନୁ ଛଡ଼ା ଆଉ କେହି ନୁହନ୍ତି । ଶାନ୍ତନୁ ଯଦି ଓ ଚାହୁଁ ନଥିଲା ଅମର ସାଙ୍ଗେ ଏବେ ମିଳାମିଶା କରିବାପାଇଁ ତଥାପି ସ୍ୱାର୍ଥ ତାକୁ ଛାଡ଼ିପାରି ନଥିଲା । ଗୋପନ ଭାବନା ମନରେ ରଖି ସେ ଅମରକୁ ପଚାରିଲା, ‘‘ସରିତା କଅଣ ଚାଲିଗଲା ?’’

 

‘‘ହଁ’’ ମୁଁ ତାକୁ ବିଦା କରିଦେଲି । ଯଦିଓ ସେ ଚାହୁଁ ନଥିଲା ତଥାପି ତା’ର ଅସ୍ଥିରତା ଯୋଗୁ ତାକୁ ପଠାଇ ଦେବାକୁ ବାଧ୍ୟ ହେଲି ।’’

 

ତୁମ୍ଭେ ଜୟନ୍ତବାବୁଙ୍କ ସଙ୍ଗେ ଦେଖା କଲ ?

 

‘‘ଅବସର ପାଇନି । ଦାମୋଦର ସବୁବେଳେ ତାଙ୍କ ସାଙ୍ଗେ ସାଙ୍ଗେ ରହିଥିଲା । ସେ ବଡ଼ ଚାଲାକ ଜଣା ପଡ଼ୁଛି ।’’

 

ମୋତେ କେହି ମୋର କର୍ତ୍ତବ୍ୟରୁ ଟଳାଇ ପାରିବେନି । ଆଚ୍ଛା ବେହାରୀ Property trwst Company ବିଷୟରେ ତୁମ୍ଭର ଧାରଣା କଅଣ ।’’

 

‘‘ହଁ ଠିକ୍ କଥା ଯେ ଏବେ ତ ସେ କେତେ ନୂଆ ନୂଆ ଘର କିଣିବାରେ ଲାଗିଛି । ସେ ବିଷୟରେ ତ ମୁଁ କିଛି ଭାବିନି ଏପର୍ଯ୍ୟନ୍ତ ।’’

 

ଅମର କଥା ଶୁଣି ଶାନ୍ତନୁ ଖୁବ୍ ଜୋରରେ ହସି ଉଠିଲା । କହିଲା, ‘‘ବେହାରୀ ପର ଧନରେ ଅମିର ସାଜିଛି । ତା’ର ଏ ଠକାମି କେତେଦିନ ରହିବ ?’’

 

କଥାବାର୍ତ୍ତା ହେଉ ହେଉ ସେମାନେ ଲାଲଭବନ ଦରଜା ପାଖରେ ପହଞ୍ଚିଗଲେ । ଛୋଟ ଟର୍ଚ୍ଚ ଆଲୁଅରେ ପ୍ରଥମେ ସେମାନେ ଚାରିଆଡ଼କୁ ନଜର ପକାଇଲେ । ସେମାନେ ପଛପଟକୁ ଗଲେ । ସେଠାରେ ଥିବା ଗୋଟିଏ ଖିଡ଼ିକିର ରେଲିଂ ଭାଙ୍ଗି ଭିତରେ ପଶିଲେ । ପ୍ରଥମେ ସେମାନେ ବଡ଼ ହଲର ଭିତର ଦେଇ ଭିତର ପଟ ଘରକୁ ଧୀରେ ଧୀରେ ଯିବାକୁ ଲାଗିଲେ । ତଳଘରେ ଖସ୍‍ ଖସ୍ ଆବାଜ ଶୁଣାଗଲା । ଦୁହେଁ ଗୋଟେ କାନ୍ଥର ଦେହରେ ଲେପେଟି ରହିଲେ । ଧୀରେ ଧୀରେ ଅମର କହିଲା, ‘‘ଶାନ୍ତନୁ ଭାଇ ମୁଁ ଆଜି ଶୁଣିବାକୁ ପାଇଲି ଯେ ଏଠାରେ ରାତି ତମାମ୍ ଗୋଟିଏ ଆଲୁଅ ଘୂରି ବୁଲୁଛି । କିଛି ସମୟ ଚୁପ୍ ରହିବା ପରେ ଶାନ୍ତନୁ କହିଲା, ‘‘ମୁଁ ସେମିତି କିଛି ଶୁଣିନି ।’’

 

‘‘ଅମର କହିଲା ଭୂତ ପ୍ରେତ ତ ହେବନି ?

 

ଭୂତନାମ ଶୁଣି ଶାନ୍ତନୁ ଚମକି ଉଠିଲା । ସେ ଧୀରେ ଧୀରେ କହିଲା, ‘‘ଭୂତ ବିଶ୍ୱାସ ତୁମ୍ଭର କ’ଣ ନାହିଁ ଅମର ?’’

 

‘‘ସେ ସବୁ ବାଜେ ଧାରଣାକୁ ମୁଁ ପସନ୍ଦ କରେନି ।’’

 

ଖସ୍ ଖସ୍ ଶବ୍ଦ ନିକଟେଇ ଆସିଲା, ଦୁହେଁ ଦୁହିଁଙ୍କୁ ଖୁବ୍ ଜୋରରେ ଜାବୁଡ଼ି ଧରିଲେ । ସାହାସ ସଞ୍ଚୟ କରି ଅମର ଚୋରୀବତୀ ଜଳାଇ ଆସ୍ତେ ଆସ୍ତେ ଆଲୁଅ ଉପରକୁ ଉଠାଇଲା । ଚାରିଆଡ଼କୁ ଦେଖୁ ଦେଖୁ ଗୋଟାଏ କ’ଣ ଝୁଲୁଥିବା ଭଳିଆ ତାକୁ ଦେଖାଗଲା । ଦୁହେଁ ଡରି ବହୁ ସମୟପର୍ଯ୍ୟନ୍ତ ପ୍ରଥମେ ତାକୁ ଅନାଇଲେ । ଚାହିଁ ଚାହିଁ ଶାନ୍ତନୁ କହିଲା, ‘‘ଆରେ ଝିଟ୍‍ପିଟ୍‍ଟାଏ ଗୋଟେ ଦଉଡ଼ିରେ ବୁଲୁଛି ।’’ ଦୁହେଁ ସେଆଡ଼କୁ ଛପି ଛପି ହୋଇ ଚାଲିଲେ । ‘‘ଗୋଟାଏ ରସି କାହିଁକି ଝୁଲୁଛି !’’ ରସି ପାଖରେ ପହଞ୍ଚି ଦେଖିଲେ ରସିଟା ତଳପର୍ଯ୍ୟନ୍ତ ଝୁଲୁଛି ।

 

ଅନ୍ଧାରରେ କିଛି ଦେଖାଯାଉ ନଥାଏ । ଅମର ରସିକୁ ହାତରେ ଛୁଇଁଲା । କିନ୍ତୁ ରସି ଦେହରେ ଗୋଟେ ଭାରୀ ଜିନିଷ ଝୁଲୁଥିବାର ଅନୁଭବ କଲା । ସେ ଜିନିଷଟା କ’ଣ ଦେଖିବାପାଇଁ ଦୁହେଁ ଧୀରେ ଧୀରେ ତଳକୁ ଓହ୍ଲାଇଲେ । ତଳେ ସେ ଦୃଶ୍ୟ ଦେଖି ତାଙ୍କର ପେଳୋହି ପାଣି ହୋଇଗଲା ପରି ଜଣାଗଲା । ସେମାନେ ଧୀରେ ଧୀରେ ଆଗେଇଲେ । ଦେଖିଲେ ଜଣେ କିଏ ଫାଶି ଲଗାଇ ଝୁଳୁଛି । ଟର୍ଚ୍ଚ ମୁହଁ ଉପରେ ପକାଇବାରୁ ଦୁହେଁ ଚମକି ପଡ଼ିଲେ । ‘‘ଏ ଯେ ଉଜିର୍-।’’

 

ଶାନ୍ତନୁ ବଡ଼ ବ୍ୟସ୍ତହୋଇ ଉଠିଲା, ସେ ଚାହିଁଥିଲା, ନିଜ ହାତରେ ଉଜିର୍‍କୁ ହତ୍ୟା କରିବାକୁ, କିନ୍ତୁ ଏ କ’ଣ ? ସେ ତ ନିଜେ ନିଜେ ଏ ଫାଶି ଦେଇ ମରିଛି । ଅମର ନିରୀକ୍ଷଣ କରି କରି କହିଲା, ମୋର ବିଶ୍ୱାସ ଏ ନିଜେ ଫାଶି ଦେଇ ମରିନାହିଁ । କେହି ଦୁର୍ବୃତ୍ତ ତାକୁ ମାରି ଏପରି ଲଟକାଇ ଦେଇଛି । କିନ୍ତୁ କିଏ ସେହି ବ୍ୟକ୍ତି ?

 

ଚାରିଆଡ଼କୁ ଚୋରୀବତୀ ପକାଇ ଦେଖିଲେ ଅନତି ଦୂରରେ ଗୋଟିଏ ବଡ଼ ଧଡ଼ା ପଡ଼ିଛି । ତାକୁ ଯାଇ ପରୀକ୍ଷା କରି ଦେଖିଲେ । ସେଇଟିରେ ରକ୍ତ ଛାପ ସବୁ ଲାଗିଛି । ଏସବୁ କାଣ୍ତ ଦେଖି ଶାନ୍ତନୁ ଡରରେ ଥରିବାକୁ ଲାଗିଲା । ଶାନ୍ତନୁର ଏପରି ଭାବ ଦେଖି ଅମର କହିଲା, ‘‘କଥା କ’ଣ ଶାନ୍ତନୁ ?’’

 

ମୁଁ ଯାଉଛି । ମୋତେ ଏସବୁ ଭଲ ଲାଗୁନି । ମୁଁ ଆଉ ଗୋଟେ ମିନିଟ୍ ମଧ୍ୟ ଏଠାରେ ରହିବାକୁ ପ୍ରସ୍ତୁତ ନୁହେଁ ।

 

ଅମର ବିରକ୍ତ ହୋଇ ଉଠିଲା । ସେ କହିଲା, ‘‘ତୁମ୍ଭେ ନ ରହିଲେ ଏସବୁ ହେବ କିପରି-?’’

 

ଶାନ୍ତନୁ କିନ୍ତୁ ସେତେବେଳେ କିଛି କଥା ଶୁଣିବାକୁ ପ୍ରସ୍ତୁତ ନଥିଲା; କଥାରେ ଅଛି–‘‘ଯାହା ପୁଅକୁ ସାପ କାମୁଡ଼େ ତା’ ମାଆ ପାଳ ଦଉଡ଼ି ଦେଖିଲେ ଡରେ’’ । ଠିକ୍ ସେମିତି ଶାନ୍ତନୁର ପୂର୍ବ ଡର ତାକୁ ଅସ୍ଥିର କରି ପକାଇଲା । ସେ ଦ୍ୱାରବନ୍ଧ ଖୋଲି ବାହାରକୁ ଆସିବାକୁ ବହୁତ ଚେଷ୍ଟା କଲା । କିନ୍ତୁ ତା’ର ଖୋଲିବାର ଉପାୟ ତାକୁ ଜଣା ନଥିଲା । ଇତ୍ୟବସରରେ ଅମର ଆସି ଶାନ୍ତନୁର କାନ୍ଧକୁ ଖୁବ୍ ଜୋରରେ ଧରି ପକାଇଲା ।’’ ସେ ବୁଲି ପଡ଼ି ଅମରର ମୁହଁକୁ ଗୋଟେ ମୁଖି ଜୋରରେ ଦେଲା, ସେଥିରେ ଅମର ତଳେ ପଡ଼ିଗଲା । ଶାନ୍ତନୁ ଭାବିଲା ବୋଧହୁଏ ବେହାରୀର ପରାମର୍ଶରେ ମୋତେ ମାରିବାକୁ ଅମରର ଏ ଉପାୟ ।

 

ଅମର ପଡ଼ିଯିବାରୁ ଶାନ୍ତନୁ ଉପରକୁ ଉଠାଇବାକୁ ଲାଗିଲା । କିନ୍ତୁ ସେ ଶୁଣିବାକୁ ପାଇଲା ଯେ ତଳଘରେ ଯେପରି ଗୋଟାଏ ସଂଘର୍ଷ ଚାଲିଛି । ସେ ଧୀରେ ଧୀରେ ଉପରକୁ ଯାଇ ଯେଉଁ ଘରେ ମଦନବାବୁଙ୍କ ହତ୍ୟା ହୋଇଥିଲା ସେଠାରେ ପହଞ୍ଚିଲା । ସେ ପୂର୍ବ କଥା ସ୍ମରଣ କରି ସେ ଘରେ ଥିବା ଗୋଟିଏ ବଡ଼ ଆଲମିରାର ଡ୍ରୟର ଖୋଲିଲା । ତା’ ଭିତରେ ସେ ବିଡ଼ାଏ କାଗଜ ଦେଖିବାକୁ ପାଇଲା ।

 

ସେ ଦେଖିଲା ଯେ ସେଗୁଡ଼ିକ ତା’ର ଇପ୍‍ସିତବସ୍ତୁ ନୁହଁନ୍ତି । ତା’ ମନ ମଧ୍ୟରେ ଧାରଣା ଆସିଲା ଯେ ସେ କାଗଜଗୁଡ଼ିକ ଗଲା କେଉଁଆଡ଼େ ? ବହୁତ ପ୍ରଶ୍ନ ମନରେ ଉଙ୍କି ମାରିଲା, ‘‘କିନ୍ତୁ ପରମୁହୂର୍ତ୍ତରେ ଯେତେବେଳେ ସେ ଭାବିଲା ଯେ ଅମର ବର୍ତ୍ତମାନ ତା’ର ବିରୁଦ୍ଧରେ, ସେ କାଳ ବିଳମ୍ବ ନକରି ଶୀଘ୍ର ସେ ଘରୁ ବାହାରି ପଦାକୁ ଚାଲି ଆସିଲା ।’’

 

ଖୁବ୍ ଜୋରରେ ସେ ଗ୍ରାମ ଅଭିମୁଖରେ ବୁଦ୍‌ବୁଦ୍‌କିଆ ଜଙ୍ଗଲ ଭିତରେ ଦେଇ ଦଉଡ଼ିବାକୁ ଆରମ୍ଭ କଲା ।

 

ସେ ଦିନ ବେହାରୀ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଦୁଃଖ ପରେ ଦୁଃଖ ତା’ର ଘନେଇ ଆସୁଥିଲା । ପ୍ରଥମେ ତା’ର ଅଂଶିଦାର ତା’ଠାରୁ ଅଲଗା ହୋଇଯିବାପାଇଁ ଧମକ ଦେଇଥିଲା । ତା’ସାଙ୍ଗେ ସାଙ୍ଗେ ଦୁତୀୟରେ ଉଜିରର ହତ୍ୟା ସେହି ଲାଲଭବନରେ ଏସବୁ ଭାବି ଭାବି ସେ ବହୁତ ବିଚଳିତ ହୋଇ ପଡ଼ିଥିଲା ।

 

ବେହାରୀ ସବୁବେଳେ ଚେଷ୍ଟା କରୁଥିଲା କିପରି ସେ ଲାଲଭବନକୁ ଧୂଳିସାତ୍ କରାଇ ସେଠାରେ କିଛି ନା କିଛି ବ୍ୟବସାୟ ଖୋଲିବ । କିନ୍ତୁ ତା’ର ମନର ଆଶା ପୂର୍ଣ୍ଣହୋଇ ପାରୁନଥିଲା-। ପୂର୍ବରୁ ଛୋଟ ଛୋଟ ଅଂଶିଦାର ମାନେ ସେମାନଙ୍କର ଅଂଶ ବିକ୍ରୀ କରିବାରେ ଲାଗିଥିଲେ । ସେ ଏହି ସବୁ ଭାବି ଭାବି ମଟରରରୁ ଓହ୍ଲାଇ ପଡ଼ି ଘର ଭିତରକୁ ଚାଲିଗଲା । ବୈଠକଖାନାରେ ପଶି ଯାଉ ଯାଉ ଅମରକୁ ସେହି ଘରେ ବୁଲୁଥିବାର ଦେଖିଲା । ତା’ର ମନ ଅମର ପ୍ରତି ଘୃଣାରେ ପୂରି ରହିଥିଲା । ସେ ପଚାରିଲା, ‘‘କାହିଁକି ଏଠିକି ଆସିଛୁ’’ ଅମରର ଅବସ୍ଥା ଅତି ଶୋଚନୀୟ ଥିଲା । ତା’ପାଇଁ ଦାୟୀ ଥିଲା ବେହାରୀ । ସେ ରାଗିଉଠି କହିଲା, ‘‘ମତେ ଚିହ୍ନିଚୁନା ବେହାରୀ ।’’

 

ଅମରର ଏହି ପଦକ କଥାରେ ବେହାରୀ ଦବିଗଲା । ସେ ମନକୁ ଶାନ୍ତ କରାଇ ଅମରର ପିଠିକୁ ଥାପୁଡ଼େଇ ଦେଲା । ସେ କହିଲା, ‘କଅଣ ? ଏ ଦଶା କେମିତି ତୋର ହେଲା ।’’ ଅମର ସେତେବେଳକୁ ରାଗରେ ଲାଲପଡ଼ି ଯାଇଥିଲା । ସେ କହିଲା, ଶାନ୍ତନୁ ଏସବୁ କରିଛି ।’’

 

ବେହାରୀ ଅମରର ପିଠି ଥାପୁଡ଼େଇ କହିଲା, ଆଚ୍ଛା ଯାହା ହେବାର ତ ହୋଇଗଲାଣି, ଆଉ ସେ ବିଷୟ ଭାବି ଲାଭ ନାହିଁ । ବେହାରୀ ଅମରକୁ ଗୋଟେ ଚଉକୀରେ ବସାଇ ନିଜେ ବସି ପଡ଼ିଲା । ବସୁ ବସୁ ଅମର କହିଲା, ‘‘କୂଟବୁଦ୍ଧିରେ ଶାନ୍ତନୁ ମୋତେ ଜିତି ଯାଇଛି । ହେଲେ ସାମନା ସାମନି ସେ ମୋଠୁ ବଳି ଯିବନି । ହଁ, ବେହାରୀ ଶାନ୍ତନୁ ମୋତେ ସବୁକଥା ବତାଇ ଦେଇଛି ।’’

 

ଅମର କଥା ଶୁଣି ବେହାରୀ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲା । ବାରବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ତା’ର ଗଲା । ସେ ରାଗିଯାଇ କହିଲା, ‘‘ତୁ ମିଛ କହୁଛୁ ।’’

 

ଅମର ଚଉକୀରୁ ଉଠୁ ଉଠୁ କହିଲା, ‘‘ଅସମ୍ଭବ, ଅମର କେଭେ ମିଛ କହେନି ।’’

 

ଚଉକୀରୁ ଉଠୁ ଉଠୁ ବେହାରୀ ପଚାରିଲା, ‘‘ଆଚ୍ଛା, ତୁ ପଡ଼ିଗଲା ବାଦ୍ ନିଶ୍ଚୟ ଶାନ୍ତନୁ ଚାରିଆଡ଼ ଖୋଜିଥିବ ।’’

 

ନାଁ ‘‘ସେ ଭୟରେ ଏତେ ଜଡ଼ିସଡ଼ି ଯାଇଥିଲା ଯେ ଏକା ନିଶ୍ୱାସକେ ପଳାଇ ଆସିବାକୁ ବାଟ ମିଳିଲାନି ।’’

 

‘‘ଆଚ୍ଛା ଉଜିର୍ ମଲା କେମିତି ?’’

 

‘‘ତୁମ ଛଡ଼ା ଅନ୍ୟ କେହି ତାକୁ ମାରିନି ।’’

 

ଆଚ୍ଛା, ଅମର ସେ ବାଜେ କଥାରୁ କିଛିଲାଭ ନାହିଁ କୁଆଡ଼େ ଆସିଲୁ କହତ ?

 

‘‘ମୋର ଏକହଜାର ଟଙ୍କା ନିହାତି ଦରକାର ।’’

 

‘‘ହଜାରେ ! କଅଣ ଜାହାଜ ଚାଲୁଛି କି ? ମୁଁ ତ ଏଠି ଗଛ ଲଗାଇନି ଯେ ତୁମେ ଯିଏ ଯେତେବେଳେ ଯାହା ମାଗୁଥିବ ସେତେବେଳେ ତାହା ଦେଉଥିବି । ମୁଁ କିଛି ଦେଇ ପାରିବିନି । ତୁ ଶୀଘ୍ର ଏଠାରୁ ବାହାରି ଯା ନଚେତ୍........’’

 

‘‘ଓଃ ଚପରାଶି ଡାକିବୁ ତ । ତା’ ଆଗରୁ ମୁଁ ଯାଉଛି । କିନ୍ତୁ ମନେ ରଖିଥା ବେହାରୀ ତୁ ଆଜି ବିରାଟ ସମ୍ପଦର ମାଲିକ ହୋଇଛୁ ବୋଲି ପୂର୍ବ ଇତିହାସ ଭୁଲି ଯାଉଛୁ । କିନ୍ତୁ ଆମେ ତ ଭୁଲିପାରି ନାହୁଁ ।’’

 

କିଛି ସମୟ ନୀରବତା ବିରାଜମାନ କଲା । ଅମର ମନେ ମନେ କେତେ କଳ୍ପନା ଜଳ୍ପନା କରିଥିଲା । କିନ୍ତୁ ତା’ର ସେ ସବୁ ପାଣିଫୋଟକା ଭଳି କୁଆଡ଼େ ଉଭାଇଗଲା । ସେ ଟିକିଏ ନରମ ହୋଇ ଯାଇ କହିଲା–‘‘ଯାହା ହେବାର ତ ହୋଇଗଲା । ବେହାରୀ, ସେ ସବୁ ମୋର ଭାଗ୍ୟ-। ଅନ୍ତତଃ ୫୦୦ ଟଙ୍କା ଦେଲେ ଚଳିବ ।’’

 

ବେହାରୀ ବହୁତ ଜୋର୍‍ରେ ରାଗିଗଲା । ଗୁଣୁ ଗୁଣୁ ହୋଇ ବହୁତ ଗାଳିଗୁଲଜ କଲା; ତଥାପି ଅମର ନୀରବ ନିଷ୍ପନ୍ଦ ଭାବରେ ଠିଆ ହୋଇଥାଏ । ଯେତେ ବାଆ, ପବନ ବୋହିଗଲେ ମଧ୍ୟ ତା’ର ଲୋଡ଼ା ଟଙ୍କା ।

 

ବେହାରୀ ଧୀରେ ଧୀରେ ପରଦା ଟେକି ଯିବାକୁ ବାହାରିଲା । ଅମର ବା ଛାଡ଼ୁଛି କେତେକେ । ସେ ଏକା କୁଦାକେ ବେହାରୀ ଉପରେ ଯାଇ ପଡ଼ିଲା ।

 

ଏ ଅପ୍ରତ୍ୟାଶିତ ଆକ୍ରମଣପାଇଁ ବେହାରୀ ପ୍ରସ୍ତୁତ ନଥିଲା । ସେ ତଳେ ପଡ଼ିଗଲା । ବେହାରୀ ବହୁତ ଚେଷ୍ଟାକରି ଅମର ହାତରୁ ଖସିଯାଇ ଅଲଗା ଠିଆହେଲା । ଅମର ତାକୁ କହିଲା, ଆଚ୍ଛା ମୁଁ ଯଦି ଶାନ୍ତନୁର ପତ୍ତା ଦେଇଦିଏ–

 

‘‘ହଁ ଦଶହଜାର ଟଙ୍କା ପାଇବୁ ଯେ, କିନ୍ତୁ କାମ ହାସଲ ପରେ ।’’ ଅମର ବହୁତ ଚେଷ୍ଟା କଲା । କିନ୍ତୁ କିଛି ଫଳ ହେଲାନି । ସେ ଅନନ୍ୟୋପାୟ ହୋଇ ଚାଲିଯିବାକୁ ବସିଲା ।

 

ବେହାରୀ ଅମରକୁ ବହୁତ ଡାକିଲା; କିନ୍ତୁ କୌଣଶି ପତ୍ତା ମିଳିଲା ନାହିଁ । ଅମର ସିଧା ସିଧା ଆସି ସରିତା ଘରେ ପହଞ୍ଚିଲା ।

 

ସେତେବେଳକୁ ସରିତା ସାନ୍ଧ୍ୟକର୍ମ ସାରି, ସଜବାଜ ହୋଇ ଅମରର ପ୍ରତୀକ୍ଷାରେ ବସିଛି । ଅମର ଯାଇ ଦରଜାରେ ଡାକିଲା । ବହୁତ ଆଗ୍ରହ ନେଇ ସରିତା ଦୌଡ଼ି ଆସିଲା ତା’ର ବନ୍ଧୁ ଅମରକୁ ଭେଟିବାପାଇଁ । ସେ ଆଶା କରି ନଥିଲା ଯେ ଅମରର ଏ ଦୂରାବସ୍ଥା ହେବ ବୋଲି । ସେ ରାଗି ଉଠି କହିଲା, ବୁଝିଲ ଅମର ମୁଁ ପ୍ରଥମରୁ ହିଁ ମନା କରିଥିଲି ନା ଏ ସବୁଥିରେ ମୁଣ୍ତ ନ ଖେଳେଇବାପାଇଁ ।

 

‘‘ତୋର ସେଥିରେ କିଛି ଯାଏ ଆସେନି’’

 

ଅମରର ଲାଲବର୍ଣ୍ଣ ଆଖି ଓ ଭୀଷଣାକୃତି ମୁଖମଣ୍ତଳ ଦେଖି ସରିତା ଚୁପ୍ ହୋଇଗଲା-। ସେ ଭାବି ନଥିଲା ଯେ ଅମର ତା’ର ସେହି ଦିନକାର ଆଗ୍ରହ ଭାଙ୍ଗିଦେବ । ସେ ଦୁଲ୍ ଦୁଲ୍ ହୋଇ ଘର ଭିତରକୁ ସିଧା ଚାଲିଗଲା । ଆଖିରୁ ଝର ଝର ହୋଇ ଲୁହ ଗଡ଼ି ପଡ଼ିଲା । ପୁରୁଷ ମନତ ! କୋମଳମତି ନାରୀର ଅଶ୍ରୁ ବିନ୍ଦୁ ସହି ବା ପାରୁଛି କେତେକେ । ତା’ର ସହସା ପରିବର୍ତ୍ତନ ଆସିଲା । ସେ ସୁହାଗଭରା ଡାକରେ ସରିତାକୁ ପୁଣି ନିଜର କରିନେଲା । ସେଇଠି ଥିଲା ତା’ର ବିଶେଷତ୍ୱ ।

 

ଅଭିମାନ ମିଶା ଛଳରାଗରେ ସରିତା କହିଲା, ଅମର ତମକୁ ମୁଁ ଯେତେ କହିଲେ ସୁଦ୍ଧା ତୁମେ ମୋ କଥା ରଖନି । ତୁମର ଏ ସେହ୍ନ ସୋହାଗ ଦିନିକିଆ ନା ଆଉ କଅଣ ?

 

ଅମର ସରିତାକୁ ନିଜର ବାହୁବେଷ୍ଟନୀ ଭିତରେ ଧରି କହିଲା, ‘‘ସତ ସରିତା, ଯାହା ହେବାର ତାହା ହୋଇ ଯାଇଛି । ପୁରୁଣା କଥାରେ କିଛି ଲାଭ ନାହିଁ । ମୋତେ କିଛି ସାହାଯ୍ୟ କରିବା ତୁମର ଉଚିତ ।’’

 

‘‘ହଁ ମୁଁ ତ ନାହିଁ କରିନି । ମୁଁ ତ ସବୁବେଳେ ସାହାଯ୍ୟପାଇଁ ରେଡ଼ି ଅଛି ।’’

 

ଘର ଭିତରେ କେତେ କ୍ଷଣ ନୀରବତା ବିରାଜମାନ କଲା । କିଛିକ୍ଷଣ ପରେ ନୀରବତା ଭଙ୍ଗ କରି ଅମର କହିଲା, “ଶାନ୍ତନୁ ଯାହା ଅପମାନ ମୋତେ ଦେଇଛି, ତାକୁ ମୁଁ ଜୀବନରେ କେବେହେଲେ ଭୁଲି ପାରିବିନି । ମୁଁ ଭାବିଥିଲି ଏହି ବଦ୍‌ମାସ୍‍ ବେହାରୀକୁ ଜୟନ୍ତବାବୁଙ୍କ ଥ୍ରୁରେ ଗୋଟେ ଉଚିତ, ଶିକ୍ଷା ଦେବି । କିନ୍ତୁ ଧୋକାବାଜ୍ ଶାନ୍ତନୁ ମୋତେ ଧୋକା ଦେଇ ଚାଲି ଯାଇଛି । ପ୍ରଥମ କଥା ତାକୁ ଖୋଜି ବାହାର କରିବି । ତା’ପରେ ତା’ର ବିହିତ ବ୍ୟବସ୍ଥା କରିବି ।

 

ବେହାରୀ ଅମରକୁ ଛାଡ଼ି ନିଜର ନିତ୍ୟକର୍ମ ସାରି ସନ୍ଧ୍ୟାରେ ତା’ର ମାନେଜିଂପାଟ୍‍ନର ଘରକୁଗଲା । ଆଗରୁ ଭୋଜନ ଇତ୍ୟାଦିର ବ୍ୟବସ୍ଥା ହୋଇଥାଏ । ତା’ ଡାଇନିଂହଲରେ ବସି ଖୁସି ଗପ ଭିତରେ ସେହି ଭଦ୍ରଲୋକ ଆରମ୍ଭ କଲେ, ‘‘ବେହାରୀବାବୁ ମୋର ତ ବହୁତଆଡ଼େ ବହୁତଟଙ୍କା ଖଟାଯାଇଛି । ଦୁଇଟାଝିଅ ଏକା ସାଙ୍ଗରେ ବିଭାଘର, ବ୍ୟାଙ୍କ ବାଲାନ୍‌ସ ଗଡ଼ାଉଛି । ମୁଁ ଚାହୁଁଛି ମୋର ସେଇଟା ମୁଁ ଅଲଗା କରି ନେବି ।

 

ଏହା ଶୁଣି ବେହାରୀର ମୁହଁ ଶୋଥା ପଡ଼ିଗଲା । ତା’ର ମୁଣ୍ତରେ କିଛି ବୁଦ୍ଧି ଢୁକିଲା ନାହିଁ । ସେତେବେଳକୁ ତା’ର ମୁଣ୍ତ ବୁଲାଇ ବୁଦ୍ଧିବୃତ୍ତି ସବୁ ଲୋପ ପାଇ ପାଇ ଆସୁଛି ।

 

କିଛିକ୍ଷଣ ଚୁପ୍ ରହି ବେହାରୀ କହିଲା, ‘‘ମୁଁ ଚାହୁଁଛି ଦୁହେଁ ମିଶି ମୋର ଚଉଦ୍ୱାରରେ ଥିବା ଲାଲଭବନର ସଦ୍‍ବ୍ୟବହାର କରିବା । ମୁଁ ତାକୁ ଖୁବ୍ କମ୍ ଦାମରେ କିଣିଛି ।

 

‘‘ଘଡ଼ାରେ ତେଲ ଥିଲେ ସିନା କମ୍ ବେଶିର ପ୍ରଶ୍ନ ଉଠନ୍ତା; କିନ୍ତୁ ମୁଁ ଦେଖୁଛି ଘଡ଼ା ଯେ ଖାଲି ।’’

 

ବେହାରୀର ମନରେ ସମୁଦ୍ର ଲହଡ଼ି ଭଳି ପ୍ରଶ୍ନର ଜୁଆର ଉଠି ଭଟ୍ଟା ପଡ଼ୁଥାଏ । ସେ ଢେଙ୍କାନାଳରୁ ଢିଙ୍କିଶାଳପର୍ଯ୍ୟନ୍ତ କଥା ମନେ ମନେ ଭାବିଗଲା । ତା’ ମଧ୍ୟରେ ଜୟନ୍ତବାବୁଙ୍କ କଥା ତା’ର ମନେ ପଡ଼ିଯାଉଥାଏ । କାହିଁକି ସେ ଚଉଦ୍ୱାରରେ ରହିଛନ୍ତି !’’

 

ଉଜିର୍‍ର ମୃତ୍ୟୁରେ ସାରା ଚଉଦ୍ୱାର ଗାଁ ଖଣ୍ତକରେ ହଇଚଇ ପଡ଼ିଗଲା । ଗୋଟାଏ ଜାଗାରେ ପୁଣି ଏକା ଘରେ ଦୁଇ ଦୁଇଟା ହତ୍ୟାକାଣ୍ତ କିଛି ସାମାନ୍ୟ କଥା ନୁହେଁ ।

 

ତା’ ପରଦିନ ପୋଲିସ୍ ହତ୍ୟାଖବର ପାଇ ଆସି ଲାଲଭବନରେ ପହଞ୍ଚିଲେ । ଇନିସ୍ପେକ୍ଟର କମଳ, ମିଷ୍ଟର ଜୟନ୍ତଙ୍କୁ ଧର୍ମଶାଳା ଦୁଆର ମୁହଁରେ ଦେଖି ବଡ଼ ଆଶ୍ଚର୍ଯ୍ୟ ହେଲେ । ସେ ପୂର୍ବରୁ ମିଷ୍ଟର ଜୟନ୍ତଙ୍କର ସମସ୍ତ ଦୁଃସାହସିକ କାର୍ଯ୍ୟକଳାପ ଶୁଣିଥିଲେ । କୌଣସି କଥା ତାଙ୍କୁ ଅଛପା ନଥିଲା । ସେ ତାଙ୍କୁ ଘଟଣା ସ୍ଥଳକୁ ଯିବାପାଇଁ ଅନୁରୋଧ କରିଥିଲେ । ମିଷ୍ଟର ଜୟନ୍ତ ଓ ତାଙ୍କ ସହକାରୀ ଅନୁରୋଧ ରକ୍ଷା କରି ଲାଲଭବନ ଅଭିମୁଖେ ଅଗ୍ରସର ହେଲେ ।

 

ସେଠାରେ ପହଞ୍ଚି ପ୍ରଥମେ ଟଙ୍ଗା ହୋଇଥିବା ମୃତ ଦେହ ପରୀକ୍ଷା କରିବାକୁ ଲାଗିଲେ-। ଦୁଇଜଣ କନେଷ୍ଟବଳଙ୍କଦ୍ୱାରା ତାହାର ପିନ୍ଧିଥିବା ପତଲୁନ୍ ଆଉ ହାପ୍‌ସାର୍ଟ ପରୀକ୍ଷା କରାଗଲା । ପକେଟରୁ ତା’ର କିଛି କାଗଜ ପତ୍ର ଓ ଆଠ ଟଙ୍କା ପାଞ୍ଚଅଣା ଏକ ପଇସା ବାହାରିଲା । ଏହା ଦେଖି ସମସ୍ତେ ବଡ଼ ଆଶ୍ଚର୍ଯ୍ୟ ହେଲେ ।

 

କିନ୍ତୁ ମିଷ୍ଟର ଜୟନ୍ତ ଓ ସହକାରୀ ଦାମୋଦର ବିଚଳିତ ନହୋଇ ସେମିତି ସବୁ ଦେଖୁଥାନ୍ତି ।

 

ଯେତେବେଳେ ମିଷ୍ଟର କମଳ ସେମାନଙ୍କର ମୌନତା ଦେଖିଲେ ସେ ନହସି ରହି ପାରିଲେ ନାହିଁ । ସିଦ୍ଧ ଡିଟେକ୍‌ଟିଭ୍‌ ହୋଇ ତାଙ୍କର ଯେ ଭାବାନ୍ତର କିଛି ନାହିଁ, ଏକଥା ତାଙ୍କୁ ବିବ୍ରତ କରି ପକାଇଲା । ସେ ନିଜକୁ ସମ୍ଭାଳି ନପାରି ପଚାରିଲେ, ସାର୍‌ ଏ ମୃତ୍ୟୁ ବିଷୟରେ ଆପଣଙ୍କ ମତାମତ କଅଣ ?

 

ମତାମତ ତ ପରେ ଦିଆଯିବ ପ୍ରଥମେ ପୋଷ୍ଟମଟମ୍‌ପାଇଁ ପଠାଯାଉ, ତା’ପରେ ଯାହା ହେବ ।

 

ଠିକ୍ ଫେରିବାପାଇଁ ବାହାରିଛନ୍ତି, ଅଗଣାରେ ଅନତିଦୂରରେ ପଡ଼ିଥିବା ଗୋଟିଏ ମୋଟା ଧଡ଼ା ଉପରେ ମିଷ୍ଟର ଜୟନ୍ତଙ୍କର ଦୃଷ୍ଟି ପଡ଼ିଲା । ସେ ଚଟ୍‌କରି ଧଡ଼ା ନିକଟକୁ ଚାଲିଗଲେ-। ସେ ଧଡ଼ାରେ ଲାଗିଥିବା ରକ୍ତର ଛାପ ମିଷ୍ଟର ଜୟନ୍ତଙ୍କ ମନରେ ସରସତା ଆଣିଥିଲା-। ସେ ଛାପର ଗୋଟିଏ ଫଟୋ ମିଷ୍ଟର ଦାମୋଦର ନେଲେ । ସେ ତାକୁ ପରୀକ୍ଷା କରିବାକୁ ଧର୍ମଶାଳାକୁ ନେଇଗଲେ । ସମସ୍ତ ଦେଖା ଦେଖି ସାରି ଯେ’ଝା ସ୍ଥାନକୁ ଫେରିଗଲେ ।

 

ସନ୍ଧ୍ୟା ୫ଟାରେ ମିଷ୍ଟର ଜୟନ୍ତ ଓ ମିଷ୍ଟର ଦାମୋଦର ଦୁହେଁ ଗାଁ ପରିକ୍ରମା କରିବାକୁ ବାହାରିଲେ । ସେଠାରେ କିଛିଦୂରଗଲା ପରେ ସେ ଦେଖିଲେ ଚାରିଜଣ ଲୋକ ହତ୍ୟା ସମ୍ବନ୍ଧରେ କଥା ହୋଇ ଚାଲିଛନ୍ତି । କେହି ଜୟନ୍ତ ଓ ଦାମୋଦରଙ୍କର ଉପସ୍ଥିତି ଅନୁଭବ କରିନଥିଲେ । ତାଙ୍କ ମଧ୍ୟରୁ ଜଣେ କହିଲା, ‘‘ଉଜିର୍ ବିଚରା ଖୁବ୍‌ ଗରୀବ ହେଲେ ମଧ୍ୟ ପ୍ରକୃତି ଭଲ ଥିଲା ପରି ଜଣାପଡ଼େନି ।’’

 

ଆଉ ଜଣେ ତାକୁ ସମର୍ଥନ କରି କହିଲା, ‘‘ହଁ, ସତ କଥା ସେ ତ ପ୍ରତିଦିନ ମୋ ଦୋକାନରୁ ଚା’ ଖାଏ କିନ୍ତୁ କାହାକୁ ଖୋଜିଲା ପରି ଜଣାଯାଏ ।’’ ତୃତୀୟ ବ୍ୟକ୍ତି, ପଚାରିଲା, ତା’ ଘର କଅଣ ଏଇ ନିକଟରେ । ପ୍ରଥମ ବ୍ୟକ୍ତି କହିଲା, ତା’ର ଘର କେଉଁଠି ଜଣାନାହିଁ ସତ; କିନ୍ତୁ ପ୍ରାୟ ୧୫/୧୬ ବର୍ଷ ହେଲା ସେ ଏଠାରେ ରହି ଆସୁଛି ।

 

ସେ ଏହିପରି କଥାବାର୍ତ୍ତା ହୋଇ ଯାଉ ଯାଉ ସେମାନେ ଗୋଟେ ଛୋଟ ଗଳି ଦେଇ ବାଙ୍କିଗଲେ ।

 

ସେମାନଙ୍କ କଥା ଶୁଣି ମିଷ୍ଟର ଜୟନ୍ତ ଓ ତାଙ୍କ ସହକାରୀ ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ-। ନୀରବତା ଭଙ୍ଗକରି ମିଃ.ଜୟନ୍ତ କହିଲେ, ବୁଝିଲ ଦାମୋଦର ୧୪ ବର୍ଷ ତଳର ମଦନବାବୁଙ୍କ ହତ୍ୟାରେ ଏ ସଂପୃକ୍ତ ନୁହେଁ ତ ?

 

ଆଜ୍ଞା ହଁ, କିନ୍ତୁ ଅନ୍ୟ ଦୃଷ୍ଟିରୁ ବିଚାର କଲେ ତା’ ସହିତ ଏହାର ସମ୍ପର୍କ କ’ଣ ଥାଇପାରେ ! ତେବେ ଏହାର ରହସ୍ୟ କଅଣ ?

 

ମିଷ୍ଟର ଜୟନ୍ତ ଏକଥା ଶୁଣି ମନକୁ ମନ ହସିବାକୁ ଲାଗିଲେ । କହିଲେ, ମାଛ ହାଟରେ ବ୍ରହ୍ମଜ୍ଞାନ ଚର୍ଚ୍ଚା ।

 

ସନ୍ଧ୍ୟା ଆଗତ ପ୍ରାୟ । ଦୁହେଁ କଥାବାର୍ତ୍ତା ହୋଇ ଫେରିଲେ । ଧର୍ମଶାଳାକୁ ଫେରି ନିଜର କୋଠରୀ ଭିତରୁ ବାହାରକୁ ମିଷ୍ଟର ଜୟନ୍ତ ଚାହିଁବାକୁ ଲାଗିଲେ । ସନ୍ଧ୍ୟାକାଳୀନ ବାହାର ଦୃଶ୍ୟ ତାଙ୍କ ମନରେ ଭାବାନ୍ତର ସୃଷ୍ଟି କରିଥିଲା । ସେ ଦାମୋଦରଙ୍କୁ ଡାକି କହିଲେ, ଏଟା ଖାଣ୍ଟି ଗାଉଁଲୀ ସ୍ଥାନ । ଆଧୁନିକତାର ପ୍ରବେଶ ଏକବାର ଶୂନ୍ ।

 

ଦାମୋଦର କେବଳ ହଁ ହଁ ମାରିବାରେ ଲାଗିଥାନ୍ତି । ଆଚ୍ଛା ଦାମୋଦର କଟକଠାରୁ ଏଟା ଅନ୍ତତଃ ଏଗାର, ବାର ମାଇଲ୍ ହେବ ।

 

ସେଥିରେ ଯାଏ ଆସେ କଅଣ ?

 

ମୋର କଥା ତୁମେ ମୋଟରୁ ବୁଝିପାରିଲ ନାହିଁ । ତୁମେ ଜାଣ ଯଦିଓ ଚଉଦ୍ୱାର କଟକଠାରୁ ଖୁବ୍ ନିକଟବର୍ତ୍ତୀ, ତଥାପି ଆଧୁନିକତାର ଆବ୍‌ହାଓ୍ୟା ତାକୁ ସ୍ପର୍ଶ କରି ପାରିନି । କାହିଁକି-? –ନିଶ୍ଚୟ ଏଥିରେ କିଛି ମତଲବ ଅଛି ।

 

‘‘ତା’ଛଡ଼ା ମୁଁ ଖବର ପାଇଛି ଯେ Trust Company ତା’ର ନୂଆ ଯୋଜନା ଅନୁସାରେ ଏଠି ଏକ ବିରାଟ ପକ୍କା ଘର ବନାଇବ । କିନ୍ତୁ କଥା ହେଉଛି ସହରିଆ ଲୋକ ଏଇ ନିପଟ ଗାଉଁଲୀ ମଫସଲରେ ମନୋହର ହର୍ମ୍ୟ ତିଆରି କରି ରହିବା ସନ୍ଦେହାତ୍ମକ ନୁହେଁ କି ?’’

 

ଦାମୋଦର କହିଲେ–ମୁଁ ତ ସେ କଥାଇ ଭାବି ନଥିଲି ।

 

‘‘ସେଇଥିପାଇଁ କେବଳ ମୁଁ ଏ କେସରେ ମୁଣ୍ତ ପୂରାଇବାକୁ ଇଚ୍ଛା କରିଛି ।’’ ଚଉଦବର୍ଷ ତଳ ଘଟଣା ପରେ ଆଜି ପୁଣି ସେଇ ଘରେ ହତ୍ୟା ମାମଲା, ତେବେ ଏଥିରୁ କ’ଣ ସ୍ପଷ୍ଟ ଜଣା ଯାଉନି ଯେ ସେଥିରେ କିଛି ନା କିଛି ରହସ୍ୟ ଲୁକ୍‌କାୟିତ ଅଛି । ତା’ଛଡ଼ା ଏ ଟାଙ୍ଗର ଭୂଇଁ, ନିର୍ଜନ ପ୍ରାନ୍ତର, ଏସବୁ ଜାଗାରେ କୌଣସି ଲୋକ କେବେ ରହିପାରେ ? ବେହାରୀବାବୁଙ୍କ ପରି ବେପାରୀ ପକ୍ଷରେ ଏସବୁ ସମ୍ଭବ ହେଲା କିପରି ?

 

ବେହାରୀବାବୁ ଏ ପ୍ରାସଦ କିଣି ତାକୁ ସମୁଦାୟ ଭାଙ୍ଗି ଦେବା ଅର୍ଥ କଅଣ ?

 

ସେ କଥାତ କହି ହେଉନି । ତେବେ ଚେଷ୍ଟା କଲେ ଜାଣି ପାରିବା ତ ! ହଁ ଆଉ ଗୋଟିଏ କଥା, ମୁଁ ମୋର କଟକରେ ଜଣେ ବନ୍ଧୁଙ୍କୁ Trust Company ବିଷୟରେ ସଠିକ ବିବରଣୀ ଦେବାକୁ ଲେଖିଛି ।

 

ଆପଣ ତ ବହୁତ ଖବର ରଖି ପାରିଲେଣି–ହସି ହସି ଦାମୋଦର କହିଲେ । ନା ସେମିତି କିଛି ନୁହେଁ , ତେବେ ତା’ର ପତ୍ତା ଟିକିନିଖି ଆଲୋଚନା କରି ଲେଖିବାକୁ ମୁଁ ମଧ୍ୟ ଲେଖିଛି-। ତା’ ବିଷୟରେ ମୁଁ ବହୁତ କଥା ଜାଣି ପାରିଲିଣି ମଧ୍ୟ କହି, ଜୟନ୍ତବାବୁ ନିଜର ସୁଟ୍‌କେଶରୁ କେତେକ କାଗଜପତ୍ର କାଢ଼ିଦେଲେ ।

 

ଡାଏରୀ

 

ବେହାରୀ ପ୍ରଥମେ ଘର ବିକ୍ରୀ ଦଲାରୀ ବ୍ୟବସାୟ କରୁଥିଲା । ସେଥିରେ ସେ ପ୍ରାୟ (୮୦୦୦) ଆଠହଜାର ଟଙ୍କା ଖଟାଇଥିଲା–ଜଣେ ଏଯେଣ୍ଟଙ୍କଠାରୁ ।

 

(୮୦୦୦) ଆଠହଜାର ଟଙ୍କା ବ୍ୟାଙ୍କରେ ଥିଲା । ତା’ଛଡ଼ା ଘର ବିକ୍ରୀ ବ୍ୟବସାୟ କରି ସାଙ୍ଗେ ସାଙ୍ଗେ କିଣି ଓ ସାଙ୍ଗେ ସାଙ୍ଗେ ବିକି ଲାଭଟା ନିଜେ ନେଇ ନେଉଥିଲା–ଜଣେ ସମ୍ବାଦ ଦାତାଙ୍କଠାରୁ ।

 

ତେବେ ଅଳ୍ପଦିନ ଭିତରେ ବେହାରୀ ଖୁବ୍‌ କିଛି କରିପାରିଛି ।

 

ହଁ, ହୋଇପାରେ; କିନ୍ତୁ ବର୍ତ୍ତମାନ ଅପେକ୍ଷା ଆଗରୁ ସେ ଭଲ ଭାବରେ ଚଳୁଥିଲା । ତା’ର ଏହି ଯୋଜନାନୁଯାୟୀ ଚଉଦ୍ୱାରର ଏହି ଲାଲଭବନ କିଛି କାମରେ ଆସିବ ନାହିଁ ।

 

ସେ ଯଦି ନିଜେ ରହିବାପାଇଁ କିଣିଥାଏ ।

 

ମୋର ଧାରଣା କିନ୍ତୁ ଭିନ୍ନ । ସେ ଯଦି ଲାଲଭବନକୁ ମାଟିରେ ମିଶାଇ ଦେବାକୁ ଚାହୁଁଥାଏ ।

 

ଆଶ୍ଚର୍ଯ୍ୟ ହୋଇ ଦାମୋଦର ଚାହିଁ ରହିଲେ–‘‘ଏ ସବୁରେ ମୋର କାହିଁ କିଛି ମୁଣ୍ତ ଢୁକୁ ନାହିଁ ।’’

 

‘‘ଚେଷ୍ଟା କର ତ ଥରେ, ଏ ତ ନିହାତି ସାଧାରଣ କଥା । ଯଦି ବେହାରୀ ନିଜ ଧନରେ କିଣିଥାନ୍ତା, ତେବେ ତ, ଏହାକୁ ଭାଙ୍ଗିବାର କୌଣସି ପ୍ରଶ୍ନ ଉଠୁ ନଥିଲା । କମ୍ପାନୀକା ମାଲ୍‍ ନା, ଦରିଆମେ ଡ଼ାଲ୍‌, ଏ ତ ବର୍ତ୍ତମାନ ସେହି କଥା ହେଉଛି । ଯଦିଓ ବେହାରୀ ଆଜି ଖୁବ୍‌ ଧନୀ ହୋଇଛି, ତା’ର ରହସ୍ୟ କିଛି ନା କିଛି ଅଛି । ସେଇ ଚଉଦବର୍ଷ ତଳର କଥା–ମଦନବାବୁଙ୍କ ହତ୍ୟା, ତା’ସଙ୍ଗେ ସଙ୍ଗେ ଜମି ଖରିଦ୍‌, ଶେଷରେ ତାକୁ ଭାଙ୍ଗିବା ଗୋଟିଏ ସ୍ତରରେ ଯାଉନାହିଁ କି ?’’

 

‘‘କିନ୍ତୁ ଲାଲଭବନରୁ କିଛି ଚୋରୀ ଯାଇନି ।’’

 

ଜୟନ୍ତବାବୁ ମୁଡ଼ୁକେଇ ମୁଡ଼ୁକେଇ ହସିବାକୁ ଲାଗିଲେ । ‘‘ତୁ ବୋଧେ ଭୁଲିଯାଇଛୁ ସେଇ ଜ୍ୟୋତିଷ କାଗଜ କଥା, ମୋତେ ଜଣା ପଡ଼ୁଛି ଏ ସବୁକଥା ଲୁହା ଚେନ୍‌ ପରି ସଂଶ୍ଳିଷ୍ଟ । ତା’ଛଡ଼ା ତାକୁ ପ୍ରମାଣ କରିବାକୁ ଆଉ ଗୋଟିଏ ବଡ଼ ପ୍ରମାଣ ଅଛି । ସେ ହେଉଛି, ଶାନ୍ତନୁ ଦାସ ଯେ କି ସଜ୍ଜା ଭୋଗି ଆସିଛି । ତୋର ମନେଥିବ ବୋଧେ ଯେତେବେଳେ ତା’ର ଫାଶି ହୁକୁମ୍‌ କରାଗଲା, ସେ କିଛି କହିବାପାଇଁ ଚାହୁଁଥିଲା ଅଥଚ କହିଲା ନାହିଁ । ସେ କିନ୍ତୁ ଏକାଟିଆ ସେତେବେଳେ ମରିବାକୁ ଚାହୁଁ ନଥିଲା, ମରିବ ତ ମରିବ, ସମସ୍ତଙ୍କୁ ନେଇ ମରିବ, ତାହାହିଁ ସେ ଲୁଚାଇ ଥିଲା ।’’

 

‘‘ତେବେ ବେହାରୀ କଅଣ ଏଥିରେ ସଂଶ୍ଳିଷ୍ଟ ।’’

 

ସବୁକଥା ତ ବିଶ୍ୱାସ ଉପରେ କୁହାଯାଇ ପାରେନା, ହୋଇପାରେ ସେ ତାକୁ ସାହାଯ୍ୟ କରିପାରି ଥାଏ । ତେବେ ଶାନ୍ତନୁ, ବେହାରୀ ଜାଗାରେ ଜେଲ୍‌ ଯାଇଛି, ଯାହାକୁ କି ସେ ପ୍ରକାଶ କରିନି । ସେହି ସମୟରେ ବେହାରୀ ନିଜ କାମରେ ଲାଗି ବହୁତ ଧନ କମାଇ ଯାଇଛି । କିନ୍ତୁ ଶାନ୍ତନୁର ଆସିବା ସମୟକୁ ସେ Trust Company ନାମରେ ଗୋଟେ–Co-operative Company ଗଢ଼ିଛି । ଚଉଦ୍ୱାରକୁ କିଣି ନେଇଛି ।’’

 

ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଲାଲଭବନକୁ ଭାଙ୍ଗି ଚୁର୍‌ମାର୍‌ କରିବା ତା’ର ଉଦ୍ଦେଶ୍ୟ ।

 

‘‘ଜୟନ୍ତବାବୁ ହସି କହିଲେ କାହିଁକି ?’’

 

ଦାମୋଦର ମୁଣ୍ତ ହଲାଇ ଉତ୍ତର ଦେଲା, ମୁଁ ତ ଏଥିରୁ କିଛି ବୁଝିପାରୁ ନାହିଁ ।’’

 

ହସି ହସି ଜୟନ୍ତବାବୁ ଉତ୍ତର ଦେଲେ, ଆଚ୍ଛା ସବୁକଥା ପରେ ବୁଝିପାରିବୁ । ତୁ ବର୍ତ୍ତମାନ ଯା’ ତ ଉଜିର୍‍ ବିଷୟରେ ସବୁ ଟିକିନିଖି କରି ବୁଝି ଫେରିବୁ । ହଁ ବର୍ତ୍ତମାନ ଯେ ଯଥେଷ୍ଟ ସମୟ ଅଛି ବସ୍‌ପାଇଁ, ତୁ ଏହି ବସ୍‌ରେ ଯାଇ କାଲି ଅନ୍ତତଃ ଫେରି ଆସିବୁ ।

 

ଦାମୋଦର ଉଜିର୍‌ର ପତ୍ତା ଖୋଜି ଖୋଜି ତା’ର ଘର ପାଖରେ ପହଞ୍ଚିଲା । ଉଜିର୍‌ର କବାଟରେ ଖଟ୍‌ ଖଟ୍‌ ଶବ୍ଦ କଲା । ଭିତରରୁ ଶବ୍ଦ ଆସିଲା, ‘‘କିଏ ସେ !’’

 

କବାଟ ଖୋଲିଲା, ଆସ୍ତେ ପେଲି ଦେବାରୁ ପୂରା ଖୋଲିଗଲା । ସେ ଧୀରେ ଧୀରେ ଭିତରକୁ ଯିବାକୁ ଲାଗିଲା । ପ୍ରଥମରେ ପଡ଼ିଲା ରୋଷେଇ ଘର, ଭିତରୁ ନାନାଜାତୀୟ ଖାଦ୍ୟର ବାସନା ମହକି ଉଠୁଥାଏ । ସେ ଅନାଇ ଦିଏ ତ ଗୋଟିଏ ସ୍ତ୍ରୀଲୋକ ରୋଷେଇ କରିବାରେ ବ୍ୟସ୍ତ–ପୃଥୁଳ ଶରୀର, ପହିଲିମାନ୍‌ ପରି ଚେହେରା ।

 

ପଛରେ ଖସ୍‌ ଖସ୍‌ ଶବ୍ଦ ଶୁଣି ସ୍ତ୍ରୀଲୋକଟି ଚାହିଁଦେଲା । ପଛରେ ଦାମୋଦରଙ୍କୁ ଦେଖି ରାଗ ଗର ଗର ହୋଇ କହିଲା, ବିନାନୁମତିରେ କାହିଁକି ଭିତରକୁ ଆସିଲୁ । ମୁଁ ଉଜିର୍‍କୁ କହି ତୋର ବଜାରୀଗିରି ଛଡ଼ାଇ ଦେବି ଯେ ।

 

ଉଜିର୍‍ ନାଁ ଶୁଣି ଦାମୋଦର ସୁଁ ସୁଁ କରି କାନ୍ଦିବାକୁ ଲାଗିଲା, କହିଲେ–ସେ ମୋର ଲେଖା ଯୋଖା ଚାଚ୍ଚା ହୁଏ । ମୁଁ ତା’ର ମରିବା ଖବର ପାଇ ଏଠିକି ଦଉଡ଼ି ଆସିଛି । ବୁଢ଼ୀର ରାଗ ପାଣିପରି ମିଳାଇଗଲା । ସେ କହିଲା, ‘‘ପୁଅରେ ମୋର ଘରେ ସେ ଭଡ଼ା ଥିଲା, ଆଜିପର୍ଯ୍ୟନ୍ତ ୮ ଟଙ୍କା ବାକି ରହିଛି ।’’

 

‘‘ମୁଁ ତ ସେଇଥିପାଇଁ ଆସିଛି । ମୋର ଚାଚ୍ଚା ଫାଶି ଦେଇ ମରିଛି । ତା’ର ସମସ୍ତ ପାଉଣା ଚୁକ୍ତି କରିଦେଇ ମୁଁ ସବୁ ଜିନିଷପତ୍ର ନେଇ ଯିବାକୁ ଆସିଛି’’ କହି, ଦାମୋଦର ପକେଟରୁ ଖଣ୍ତିଏ ଦଶଟଙ୍କିଆ ନୋଟ ବାହାର କରି ବୁଢ଼ୀ ହାତରେ ଦେଲେ । ବୁଢ଼ୀ ଖୁସି ହୋଇ ବଳକା ଦୁଇଟଙ୍କା ଫେରାଇ ଦେଲା । ସାଙ୍ଗ ହୋଇ ଦୁହେଁ ଉଜିର୍‍ ରହୁଥିବା ବଖରାକୁ ଗଲେ । ଟଙ୍କା ପାଇ ବୁଢ଼ୀ ଖୁସି ଥିଲା । ଅତ୍ୟଧିକ ଖୁସିରେ ଗଦ୍‌ଗଦ୍‌ ହୋଇ କହିଲା, ‘‘ପୁଅ ଯାହା ଜିନିଷପତ୍ର ତା’ର ଅଛି ତୁ ନେଇଯା ।’’ ସୁବର୍ଣ୍ଣ ସୁଯୋଗ ଆସିଲାବେଳେ ଆସେ ଏଇପରି । ଦାମୋଦର ଖୁସି ହୋଇ କହିଲେ–‘‘ଚାଚ୍ଚା ମୋର ବାହାରେ ରହୁଥିବାବେଳେ ଏଠିକୁ ଚିଠିପତ୍ର ଦିଏ ନାଁ ’’?

 

–ସେ ତ ଗଲେ ଦୁଇ ତିନି ଦିନରୁ ବେଶି କେଉଁଠି ରହେ ନାହିଁ ଆଉ ଚିଠି ଦେବ କ’ଣ-?

 

ବୁଢ଼ୀଠାରୁ ଏକଥା ଶୁଣି ଦାମୋଦରଙ୍କ ସବୁ ଆଶା ଆସ୍ତେ ଆସ୍ତେ ମିଳାଇ ଯିବାକୁ ବସିଲା । ଲୁଗାପଟା ଦେଖାଦେଖି କରୁ କରୁ ଖଣ୍ତିଏ ଛୋଟ ଚିଠି ଗୋଟିଏ ଚିରା କାମିଜ ପକେଟରୁ ଗଳିପଡ଼ିଲା । ତାକୁ ଉଠାଇ ଦେଉ ଦେଉ ବୁଢ଼ୀ ପଚାରିଲା, ‘‘କ’ଣ କିରେ ପୁଅ ସେଇଟା ।’’

 

–ଏଇତ ଗଲା ମାସରେ ମୁଁ ଏ ଚିଠି ଦେଇଥିଲି ମାଉସୀ ।

‘ମାଉସୀ’ ନାଁ ଶୁଣି ବୁଢ଼ୀ ଏକବାରେ ଖପା ହୋଇ ଉଠିଲା । ସେ କହିଲା, କିରେ ମୁଁ ତୋର ବାପର ଶାଳୀ ନା ଚାଚ୍ଚାର ଶାଳୀରେ ମୋତେ ମାଉସୀ କହିବୁ–

ଏକଥା ଶୁଣି ଦାମୋଦର ମନେ ମନେ ହସିବାରେ ଲାଗିଲେ । କିନ୍ତୁ ବାହାରକୁ କିଛି ନ ଜାଣିଲାପରି କହିଲେ–

‘‘ମୁଁ ତ ଜାଣିନାହିଁ କ’ଣ ଡାକିବି ବୋଲି । ଯଦି କହିଦେଇଥାନ୍ତୁ ସିନା’’–

‘‘ସତରେ ତ ମୁଁ କହିନି–ମୋତେ ସମସ୍ତେ ନାନୀ ବୋଲି ଡାକନ୍ତି । ମୋ ନାଁ ସାବୀନାନୀ-।’’

‘‘ଆଚ୍ଛା, ସାବୀନାନୀ ମୁଁ ଗୋଟିଏ କଥା ପଚାରିବି କହିବୁ ତ’’–କହି ପକେଟରୁ ଖଣ୍ତିଏ ପାନ କାଢ଼ି ସାବୀନାନୀ ହାତକୁ ବଢ଼ାଇ ଦେଲେ ଦାମୋଦର ।

ପାନକୁ ଥରେ କଳରେ ଚୋବେଇ ଦେଇ ସାବୀନାନୀ କହିଲା ‘‘କହରେ ପୁଅ ଯାହା ଜାଣିଥିବି ନିଶ୍ଚୟ କହିବି ।’’

ଦାମୋଦର ଖୁସିହୋଇ ପଚାରିଲେ ଆଚ୍ଛା ନାନୀ ମୋର ଚାଚ୍ଚା ଏଠି ବହୁତ ଦିନ ହେବ ରହୁଥିଲା । କ’ଣ କରୁଥିଲା ସେ । ମୁଁ ଚିଠି ଲେଖିଲେ ସେ ଲେଖେ ଯେ ମୁଁ ବେକାର ବସିଛି । କିନ୍ତୁ ସେ ଚଳେ କେମିତି ?’’

‘‘ମୁଁ ତ ସେଇ କଥା ଜାଣେ ନାହିଁ । ତେବେ ଆମର ଏଇ ନିକଟରେ ଗୋଟିଏ ପିଲା ଅଛି ସେ ଆମର ଶାନ୍ତନୁର ସ୍ତ୍ରୀ । ଶାନ୍ତନୁ ଜେଲ୍‍କୁ ଗଲା, ତା’ପରେ ସେଠୁ ଜେଲ୍‍ରୁ ଫେରିଲାଣି କି ନାହିଁ ଆଉ ତ ସେ ଆସିନି ଏଠିକି । ତା’ର ସ୍ତ୍ରୀ କେବଳ ସେଇ ବିଷୟରେ କହି ପାରିବ । ଚାଲେ ତୁ ଯଦି କହିବୁ ମୁଁ ତା’ ପାଖକୁ ନେଇଯିବି ।’’

 

ଦାମୋଦର ସାଙ୍ଗେ ସାଙ୍ଗେ ବୁଢ଼ୀ ସହିତ ଯିବାପାଇଁ ପ୍ରସ୍ତୁତ ହୋଇ ଉଠିଲେ । ଦୁହେଁ ରାସ୍ତା ପାର ହୋଇ ଗୋଟିଏ ଗଳି ଭିତର ଦେଇ ପଶିଲେ । ଖଣ୍ତିଏ ଛୋଟିଆ ଘର । ତା’ ଭିତରକୁ ଦୁହେଁ ସିଧା ସିଧା ଚାଲିଲେ । ଗଳି ଘରଟିଏ ପାର ହେବାବେଳକୁ ହାତରେ ଭ୍ୟାନିଟିବ୍ୟାଗ୍‌ ଖଣ୍ତିଏ ଝୁଲାଇ ଗୋଟିଏ ଯୁବତୀ ଆସି ସେମାନଙ୍କ ସାମନାରେ ପହଞ୍ଚିଲା । ସେ ସେମାନଙ୍କୁ ତା’ର ଶୋଇବା ବଖରାକୁ ନେଇଯାଇ ବହୁତ କଥା ପଚାରିଲା । କଥାବାର୍ତ୍ତା ମଝିରେ ଦାମୋଦର ଉଜିର୍‍ କଥା ମଧ୍ୟ ପକାଇଲେ । ସରଳଭାବରେ ଲଳିତା ସବୁ ପ୍ରଶ୍ନର ଉତ୍ତର ଦେଇ ଚାଲିଲା । କିନ୍ତୁ ଯେତେବେଳେ ଲଳିତା ଜାଣିଲା ଯେ ଏସବୁ ତା’ର ସ୍ୱାମୀ ବିଷୟରେ ଚର୍ଚ୍ଚା ପଡ଼ିଛି ସେ ଚିଡ଼ିଉଠି କହିଲା–‘‘ମୋର ସ୍ୱାମୀକୁ ତ ମିଛରେ ନେଇ ଜେଲ୍‌ରେ ଭର୍ତ୍ତି କରାଗଲା, ଆଉ ପୁଣି କାହିଁକି ?’’

 

ଦାମୋଦର ହସି ହସି କହିଲେ, ‘‘ଆପଣ ଭୁଲ୍‌ ବୁଝିଲେ ଲଳିତାଦେବୀ ।’’ ମୁଁ ତ ମୋର ଚାଚ୍ଚା ବିଷୟରେ କିଛି ଜାଣିବାକୁ ଆସିଥିଲି । କିନ୍ତୁ ଆପଣ ଅର୍ଥକୁ ଅନର୍ଥ କରି ରଖୁଛନ୍ତି ।

 

ଲଳିତା ମୁହଁ ଭଣ ଭଣ କରି କହିଲା, ‘‘ମୋର ସ୍ୱାମୀ ସାଙ୍ଗରେ ଉଜିର୍‍ର କୌଣସି ସମ୍ୱନ୍ଧ ନଥିଲା । ଏକରେ ଉଜିର୍‍ ଥିଲା ମୂର୍ଖ, ଦୁତୀୟରେ ସେ ଅମର ସହିତ ମିଳାମିଶା କରିଥିଲା-।’’ ମୋର ସ୍ୱାମୀ କହିବାର ମୁଁ ଶୁଣିଛି, ଯେ ଅମର ଦିନେ ନା ଦିନେ ଫାଶିରେ ଝୁଲିବ ।

 

ଗୋଟିକ ପରେ ଗୋଟିଏ ନୂଆ ନାଁ ପାଇ ଦାମୋଦର ଅଥୟ ହୋଇପଡ଼ିଲେ । କାମ ନସାରି କିମିତି ଅବା ଯାଉଛି । ଏକେ ତ ବେଳ ଆସି ଗଡ଼ିଯିବା ଉପରେ, କଅଣ ବା କରିବ, ଏଆଡ଼େ ଛାଡ଼ିଗଲେ ଆଉଥରେ ହାତରୁ ଉଡ଼ିଯିବ । ସେ କିନ୍ତୁ ଆଉ କିଛିର ସନ୍ଧାନ ପାଇପାରିନି । ସେ ପଚାରିଲେ, ‘‘ଏ ନୂତନ ଆଗନ୍ତୁକ ଅମରଟି କିଏ ?’’

 

‘‘ମୁଁ ସେ କଥା ଜାଣିନି, ତେବେ ମୁଁ ଏତକ କହିପାରିବି ଯେ ଗରୀବପାଇଁ ଏ ସଂସାରରେ କିଛି ନାହିଁ, ବଡ଼ ଲୋକଙ୍କର ସଂସାର, ସେହିମାନେହିଁ ତାକୁ କେବଳ ପୂର୍ଣ୍ଣପ୍ରାଣରେ ଉପଭୋଗ କରି ପାରିବେ ।’’

 

ସାବୀନାନୀର ପାଟି ଖଲ ଖଲ ହେବାକୁ ଲାଗିଲା, ସେ କହିଲା, ‘‘ତୋ ସ୍ୱାମୀ ପରା ସାଙ୍ଗେ ସାଙ୍ଗେ ଧରାହୋଇ ଯାଇଥିଲା ।’’

 

‘‘ହଁ ଗରିବ ମାଇପ ସମସ୍ତଙ୍କର ଶାଳୀ ।’’ ସେତେବେଳକୁ ଲଳିତା ଆଖିରେ ଲୁହ ଜକେଇ ଆସିଥିଲା । ନିଜକୁ ସମ୍ଭାଳି ନେଇ ସେ କହିଲା, ‘‘ମୁଁ ଏତିକି କହିପାରେ ଯେ, ସହରରେ ସରିତା ନାମକ କୌଣସି ଏକ ବେଶ୍ୟାଳୟରେ ସେ ଥାଏ । ତା’ଛଡ଼ା ମୁଁ ଆଉ କିଛି କହି ପାରିବିନି-।’’ ବର୍ତ୍ତମାନ ଏତେବଡ଼ ସହରରେ ଅମରର ପତ୍ତା ପାଇବା ଖୁବ୍‌ ଅସୁବିଧା ଥିଲା । ତଥାପି ସେ କୌଣସି ଥିରେ ନିରସ୍ତ୍ର ନହୋଇ ସରିତାବାଈଙ୍କ ଘର ଉଦ୍ଦେଶ୍ୟରେ ବାହାରି ପଡ଼ିଲେ ।

 

ଅଳ୍ପ ପରିଶ୍ରମ ଭିତରେ ସେ–ଘରଟି ପାଇଲେ, ଘରର କବାଟ ଦିଆ ଯାଇଥାଏ, ସେ ପ୍ରଥମେ ଯାଇ ଘରର କବାଟରେ ଆବାଜ ଦବାକୁ ଲାଗିଲେ । ଅମର ବାହାରି ପଡ଼ିଲା ଘର ଭିତରୁ, ସେ ପୋଲିସ ଲୋକ ବୋଲି ସନ୍ଦେହ କରି ନିଜକୁ ଗୋଟିଏ ବୁଦୁ ଭଳିଆ ଦେଖାଇ ହେଲା । ସେ କହିଲା, ‘ମୋତେ ବଡ଼ କଷ୍ଟ ହେଉଛି, ତୁମ୍ଭର କାମ ଶିଘ୍ର ସାର ମୁଁ ଯିବି ।’’

ଦାମୋଦର ବ୍ୟସ୍ତ ହୋଇ ପଡ଼ିଲେ । ‘‘ମୋର ଆଖିରେ କିଛି ପଡ଼ି ଯାଇଛି, ବହୁତ ସମୟପର୍ଯ୍ୟନ୍ତ ମୋତେ କିଛି ଦେଖା ଯାଉନି, ମୋତେ ଟିକେନାକୁ ଧର ।’’

ଅମର ଖୁବ୍‌ ଗମ୍ଭୀର ହୋଇ ଯାଇ କହିଲା, ‘‘ମୋର ପଛରେ ଗୋଟିଏ ଲୋକ ଅଛି ।’’

ଦାମୋଦର ସାଙ୍ଗେ ସାଙ୍ଗେ ଉତ୍ତର ଦେଲା, ଏତ କିଛି ନୂଆ କଥା ନୁହେଁ, ଆମ ପଛରେ ହଜାର ହଜାର ଲୋକ ଆସୁ ଅଛନ୍ତି ।’’

ମଝିରେ ସରିତାବାଈ ଚିଡ଼ିଉଠି କହିଲା, ‘‘ମୁଁ ୟାଙ୍କୁ ଚଉଦ୍ୱାରରେ ଥରେ ଭେଟିଥିଲି, ‘‘ଆରେ ଆପଣ ତେବେ ଦାମୋଦରବାବୁ ।’’

ଉଜିର୍‍ର ହତ୍ୟାରେ ପୋଲିସ କର୍ମଚାରୀ ତଥା ସମ୍ବାଦଦାତାମାନେ ବଡ଼ ବିଚଳିତ ହୋଇ ପଡ଼ିଥିଲେ । ସବୁଠାରୁ ମୋହନ ଚିନ୍ତିତ ବହୁତ ଥିଲା । ସେ ସବୁବେଳେ ନିଜକୁ ଦୂରେଇ ଦୂରେଇ ରଖୁଥିଲା । ନଳିନୀ ତା’ର ପିତାଙ୍କର ଏପରି ଅସ୍ଥିରତା ଦେଖି ସେ ନିଜେ ବହୁତ ବିଚଳିତ ହୋଇ ପଡ଼ିଥିଲା । ସବୁ ବିଷୟରେ ସେ ସୁନୀଲ୍‌ଠାରୁ ପରାମର୍ଶ ନେଇ କାମ କରୁଥିଲା ।

ମୋହନ ସବୁବେଳେ ଭାବୁଥିଲା ଯେ, ବେହାରୀ ସମସ୍ତ ସମ୍ପତ୍ତି ଅକାରଣରେ ନଷ୍ଟ କରିଦେଲା, କାହିଁକି ? ଲାଲଭବନ ପରି ଏତେ ସୁନ୍ଦର ସ୍ଥାନକୁ ସେ ଦାନ ସ୍ୱରୂପ ଦେଇଦେଲା କାହିଁକି ?

ତା’ର ମନେ ପଡ଼ିଲା ପୂର୍ବକଥା, ଦିନେ ତାକୁ ନଳିନୀ କହିଥିଲା ଯେ, ବେହାରୀବାବୁ ଖୁବ୍‌ ସୁନ୍ଦର ଲୋକ । ସେ ନିସ୍ୱାର୍ଥପର ଭାବରେ ଏତେ ସବୁ ଦାନ କରି ଦେଉଛନ୍ତି । ତୁମେ କହିଲେ ସେ ନିଶ୍ଚୟ ଆମକୁ କିଛି ଦେବେ ।

 

ମୋହନ କିନ୍ତୁ ସେପାଇଁ ବ୍ୟସ୍ତ ନଥିଲା, ତା’ର ସବୁବେଳେ ମନରେ ଆସୁଥିଲା ଯେ, ଏସବୁ ସମ୍ପତ୍ତିରେ କିଛି ନା କିଛି ଗଣ୍ତଗୋଳ ରହିଛି । ତା’ଛଡ଼ା ତା’ର ପ୍ରଥମ ଦୁଃଖ ଯେ, ଲାଲଭବନରୁ ତା’ର ଚାକିରୀ ଚାଲିଯିବ ।

 

ବହୁତ ସନ୍ଧାନ ପରେ ସୁନୀଲ୍‌ ପ୍ରକୃତ ଘଟଣା ଜାଣି ପାରିଲା । ତା’ର ଭୟ ହେଉଥିଲା ଜଗୁମିସ୍ତ୍ରୀକୁ । ସେତେବେଳକୁ ମୋହନ ମଧ୍ୟ ସବୁ ବିଷୟ ଜାଣି ଯାଇଥିଲା । ସେ ସିନା ସତ୍ୟ ଘଟଣାକୁ ପ୍ରକାଶ କରିବାକୁ ଅନିଚ୍ଛୁକ ହେଉଥିଲା । କିନ୍ତୁ ଯେତେବେଳେ ଜାଣିଲା ଯେ, ଦୁଇଜଣ ଲୋକ ଯେ କି ତା’ର ରହସ୍ୟ ଜାଣନ୍ତି, ସେମାନେ ତା’ର ଖୁବ୍‌ ନିକଟ ସଂପର୍କୀୟ ।

 

ନଳିନୀର ଉଦାସୀନତା ସୁନୀଲ୍‌କୁ ବଡ଼ ବିଚଳିତ କରି ଦେଉଥିଲା । ତା’ର ଭାବି ଶ୍ୱଶୁର ଯେ, କୌଣସି ଗୁପ୍ତ କାମରେ ଲିପ୍ତ ରହୁ, ଏକଥା ସେ ମୋଟରୁ ଚାହୁଁ ନଥିଲା ।

 

ଦିନେ ମୋହନ ଆଉ ସୁନୀଲ୍‌ ଦୁହେଁ ତାଙ୍କର ନିକଟସ୍ଥ ଚାଷଜମିକୁ ଯାଇଥିଲେ । ଶାନ୍ତନୁ ସେହିଠାରେ ସେମାନଙ୍କୁ ଦେଖି ଚିହ୍ନି ପାରିଲା ଏବଂ ସେମାନଙ୍କ ପାଖକୁ ଆସି ଅନେକ ବିଷୟରେ ଗୁପ୍ତ ପରାମର୍ଶ କରିବାର ମନସ୍ଥ କଲା ।

 

ଅମର ତା’ର ସିଗାରେଟ୍‌ରୁ ଧୂଳା ଝାଡ଼ୁ ଝାଡ଼ୁ କହିଲା ‘‘ସରିତା ମୁଁ ତ କିଛି ଡିଟେକ୍‌ଟିଭ୍‌ ନୁହେଁ ।

 

‘‘ମୁଁ କ’ଣ ତୁମ୍ଭକୁ ସେ କଥା କହୁଛି କି ?’’

 

ମୁଁ ଦୀର୍ଘ ତିନିଦିନ ଧରି United Bank, ସାମନାରେ ଅପେକ୍ଷା କରି ରହିଲି, କିନ୍ତୁ ଶାନ୍ତନୁର କୌଣସି ଖବର ପାଇ ପାରିଲି ନାହିଁ ।

 

କିଛିକ୍ଷଣ ନୀରବତା ପରେ ସରିତା କହିଲା, ‘‘ତୁମ୍ଭେ ଜାଣିବା ପୂର୍ବରୁ ସେ ବୋଧେ ଟଙ୍କା ନେଇ ଯାଇଛି ।’’

 

ସରିତାର କଥା ସତ ଭଳି ପ୍ରତୀତ ହେଉଥିଲେ ସୁଦ୍ଧା ଅମର କିନ୍ତୁ ପସନ୍ଦ କରି ପାରି ନଥିଲା । ଅମରର ଏପରି ଭାବାନ୍ତର ଦେଖି ସରିତା ନହସି ରହି ପାରିଲାନି । ସେ କହିଲା, ଶାନ୍ତନୁର ପଚାଶହଜାର ଟଙ୍କା ସହିତ ବେହାରୀର ଦଶହଜାର କଅଣ କମ୍‌ କଥାର କଥା । କିନ୍ତୁ ମୁଁ ଯାହା ଭାବୁଛି; ଏସବୁ ଅନର୍ଥ ଘଟାଇବା ମୁଁ ପସନ୍ଦ କରୁନାହିଁ ।

 

‘‘ମୁଁ ପସନ୍ଦ କରୁନାହିଁ ସତ, କିନ୍ତୁ ସେହି ରାତିରେ ଲାଲଭବନରେ ଶାନ୍ତନୁର ବ୍ୟବହାର ମୋର ସବୁବେଳେ ମନେପଡ଼ି ଯାଉଛି । ତୁ କଅଣ ଭାବୁଛୁ ମୁଁ ଶାନ୍ତନୁକୁ କ୍ଷମା ଦେଇ ସେ ସବୁ ଭୁଲିଯିବି ।’’

 

‘‘ନାଁ ମୁଁ ତ ସେ କଥା କହୁନି ।’’

 

ଯା’ ହେଉନା କାହିଁକି ସରିତା, ତାକୁ ନିଶ୍ଚୟ ମୁଁ ଜୀବନରୁ ଶେଷ କରିଦେବି । ମୋର କୋପ ଦୃଷ୍ଟିରୁ ବଞ୍ଚି ସେ କୌଣସି ସ୍ଥାନରେ ଲୁଚି ପାରିବନି ।

 

କଥାର ସୁଅ ବଦଳାଇ ସରିତା କହିଲା, ‘‘ସେ ଲାଲଭବନକୁ ଯାହା ଖୋଜିବାକୁ ଯାଇଥିଲା ତା’ କଅଣ ପାଇଲାନି ।’’

 

‘‘ସେ କଥା ମୁଁ କେମିତି କହିବି ! ମୋର ନିଜରତ ସେତେବେଳକୁ ଅଠାଠିକ୍‌ ।’’

 

‘‘ଏତ ବଡ଼ କିଟିମିଟିଆ ଜଣା ଯାଉଛି, କଅଣ ସତ ନା ଅମର ?’’

 

‘‘ନାଁ, ଯାହା ଭାବୁଛୁ, ତାହା ପ୍ରକୃତରେ ସତ ନୁହେଁ ।’’ ଯେତେବେଳେ ତୁ ସବୁକଥା ଶୁଣିବୁ, ପରିଣତି ବିଷୟ ଆପେ ଆପେ ଭାବିନେଇ ପାରିବୁ । ଆଚ୍ଛା ସରିତା, ଉଜିର୍‌ର ହତ୍ୟା କଅଣ ରହସ୍ୟଜନକ ନୁହେଁ ?

 

ମୁଁ ତ ସେଇଥିପାଇଁ କହୁଛି ଯେ ସେ ସବୁ ତୁମ୍ଭେ ଛାଡ଼ି ଦିଅ । ଶାନ୍ତନୁର ପଚାଶ ହଜାର ଟଙ୍କା ଆମ ପକ୍ଷେ ଯଥେଷ୍ଟ ।

 

ଉଜିର୍‍କୁ ପ୍ରଥମେ ଧଡ଼ାରେ ପିଟି ପିଟି ମାରିଦିଆ ଯାଇଛି । ତା’ପରେ ତାକୁ ଦଉଡ଼ିରେ ବାନ୍ଧି ଝୁଲାଇ ଦିଆ ଯାଇଛି ।ଏଥିରୁ କ’ଣ ମନେ ହୁଏନି ଯେ ଏଥିରେ ରହସ୍ୟ ଅଛି ବୋଲି । ଆଚ୍ଛା, ମୁଁ ମାନିଲି, ଆମେ ଯେତେବେଳେ ତା’ ଭିତରେ ଥିଲୁ, ସେତେବେଳେ କେହି ନା କେହି ନିଶ୍ଚୟ ଅନୁସରଣ କରୁଥିଲେ । ଯାହାର ପ୍ରମାଣକି ଧଡ଼ାରେ ଲାଗିଥିବା ତଟକା ରକ୍ତରୁ ମିଳେ । ଶାନ୍ତନୁ ଯେ ପଳାଇଲା, ସେଇଥିପାଇଁ ସିନା ଆମେ ଭେଟି ପାରିଲୁ ନାହିଁ । ନଚେତ୍‌ ନିଶ୍ଚୟ ଆମେ ଖୋଜି ବାହାର କରି ପାରି ଥାଆନ୍ତୁ । ତା’ଛଡ଼ା ଶାନ୍ତନୁ ପଳାଇଗଲା ପରେ ଯଦି ସେ ଜିନିଷର ସୁରାକ୍‌ ପାଇଥାନ୍ତା ତେବେ କ’ଣ ତା’ ହାତରୁ ବଞ୍ଚିଯାଇ ପାରି ନଥାନ୍ତା ।

 

ବର୍ତ୍ତମାନ ଯାହା ଶୁଣାଯାଏ ଯେ ବେହାରୀ ସମସ୍ତ ସମ୍ପତ୍ତିର ମାଲିକ୍‌ ଥାଇ ତାକୁ ଭାଙ୍ଗିରୁଜି ଦେବାପାଇଁ ତିଆର ।

 

‘‘ମୁଁ କିନ୍ତୁ, ଏସବୁ ବିଷୟରେ ମନ୍ତବ୍ୟ ଦେଇ ପାରୁନି । ‘‘ନା, ତୋର ମନ୍ତବ୍ୟ ଯେ ମୋତେ ମୋ ପଥରୁ ବିଚ୍ୟୁତ କରାଇବ, ତା’ ମୁଁ ଭାବି ପାରୁ ନାହିଁ । ତେବେ କଥା ହେଉଛି, ଦାୟୀ କିଏ, ଶାନ୍ତନୁ ନା ବେହାରୀ ?’’

 

‘‘କଅଣ ବେହାରୀ ଏଥିରେ ଜଡ଼ିତ ? କଅଣ ସେ ଉଜିର୍‌କୁ ହତ୍ୟା କରିଛି ?’’

 

‘‘ମୁଁ ତ ସେ କଥା କହି ପାରିବିନି, ତେବେ ସେଇ ଦୁଇଟା ଜିନିଷ ବଡ଼ ଆଶ୍ଚର୍ଯ୍ୟର କଥା, ଆଜି ବେହାରୀ ଲକ୍ଷପତି ହୋଇଛି, କିନ୍ତୁ ତା’ର ଇତିହାସ ଜାଣିଲେ ଜଣାଯାଏ ଯେ ବେହାରୀ ମଧ୍ୟ ମଦନବାବୁଙ୍କ ହତ୍ୟା ସଂପର୍କରେ ଜଡ଼ିତ ।’’

 

‘‘ମୋର ବିଶ୍ୱାସ ଶାନ୍ତନୁ ବିନା ଦୋଷରେ ଜେଲ୍‌ ଗଲାସିନା କିନ୍ତୁ ଦ୍ୱିତୀୟ ବ୍ୟକ୍ତି ନିଶ୍ଚୟ ଏଥିରେ ଜଡ଼ିତ ।’’

 

ସରିତାର କୌଣସି ଉତ୍ତରକୁ ଅପେକ୍ଷା ନକରି, ସେ ଘରୁ ବାହାରି ଚାଲିଗଲା ।

 

ଅମର ଚାଲିଗଲା ପରେ ସରିତା ବଡ଼ ଏକୁଟିଆ ବୋଧ କଲା । ସେ ସବୁକଥା ଚିନ୍ତା କରିବାରେ ଲାଗିଲା । ଅମରର ପ୍ରେମ, ତାକୁ ପାଗଳୀ ବନାଇ ଥିଲା । ସେ ତାରି ଚିନ୍ତାରେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ପଡ଼ିଲା । କିଛିକ୍ଷଣ ବସି ନିଗୂଢ଼ ଚିନ୍ତା କଲା ପରେ ସେ ଶେଷ ସମାଧାନରେ ପହଞ୍ଚି ପାରିଲା ଯେ ଚଉଦ୍ୱାର ଯାଇ ସମସ୍ତଙ୍କ ଅଲକ୍ଷରେ ସବୁ ବିଷୟ କିନାରା କରି ପାରିବ । ଆଉ କାଳ ବିଳମ୍ବ ନକରି ଲୁଗାପଟା ବଦଳି ସିଧା ଚଉଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲା ।

 

ପ୍ରାୟ ୫ମିନିଟ୍‌ ପରେ ସେ ଚଉଦ୍ୱାର ଧର୍ମଶାଳାରେ ପହଞ୍ଚିଲା । ସେଠି ବେହାରୀକୁ ନପାଇ ଫେରି ଆସୁଥିଲା ଲାଲଭବନ ଆଡ଼େ । ଲାଲଭବନକୁ ପଡ଼ିଥିବା ରାସ୍ତାର ଗୋଟିଏ ପୋଲ ଉପରେ ଅକସ୍ମାତ୍‌ ଦାମୋଦର ସଙ୍ଗେ ଭେଟ ହେଲା । ସେ ଦାମୋଦରକୁ ଦେଖି ଅମର ବିଷୟରେ ପଚାରିବାକୁ ଆରମ୍ଭ କଲା । କିନ୍ତୁ ସେ ଜାଣିନଥିଲା, ସାରୁ ଭିତରେ ମାରୁ ଅଛି ।

 

ସରିତା, ଦାମୋଦରର ଓଲଟି ପ୍ରଶ୍ନରେ କଅଣ କହିବ ଓ କ’ଣ କରିବ କିଛି ଭାବି ପାରିଲାନି । ନିର୍ଜନିଆଁ ପାହାଡ଼ିଆ ରାସ୍ତା, ସେଥିରେ ବା କାହାକୁ ଭେଟିବ । ତଥାପି ଦାମୋଦର ସରିତାକୁ ଧମକାଇ ଜବରଦସ୍ତ ନିକଟସ୍ଥ ଗୋଟିଏ ଝଙ୍କାଳିଆ ବୁଦା କଡ଼କୁ ଟାଣି ନେଲା, ତାହା ଦୃଷ୍ଟିର ବାହାରେ ଥିଲା, ପକେଟରୁ ପିସ୍ତଲ କାଢ଼ି ଦାମୋଦର ସରିତାର ଛାତିରେ ଲଗାଇ କହିଲା, ତୁ ଏଇ ଛୋଟ ଜିନିଷଟିର ଦରକାରିତ ଖୁବ୍‌ ଭଲ ଭାବରେ ଉପଲବ୍‍ଧି କରିପାରୁଥିବୁ, ମୁଁ ଚାହେଁ ସମସ୍ତ ଘଟଣାର ଆମୂଳ ଚୂଳ ବର୍ଣ୍ଣନା ।

 

ଅନନ୍ୟୋପାୟ ହୋଇ ସରିତା ସବୁକଥା କହିବାରେ ଲାଗିଲା । ଯାହା ବା ସେ ଲୁଚାଇ ଥାଆନ୍ତା, ଅମରର ଫାଶି ସୁନିଶ୍ଚିତ ଜାଣି ସେ ସମସ୍ତଙ୍କର ସଠିକ୍‌ ବିବରଣୀ ଗପିଗଲା ।

 

ଶେଷରେ ସରିତା କହିଲା–ଶାନ୍ତନୁ ନିର୍ଦ୍ଦୋଷ, ମଦନବାବୁଙ୍କ ହତ୍ୟା ଶାନ୍ତନୁଦ୍ୱାରା ହୋଇନି, ବେହାରୀ ତାଙ୍କର ପ୍ରକୃତ ହତ୍ୟାକାରୀ । ହତ୍ୟା ଦିନ ରାତିରେ ବେହାରୀ ଲାଲଭବନରେ ଶାନ୍ତନୁ ସହିତ ମିଳିବାପାଇଁ ଆଗରୁ କଥା କରିଥିଲା, ସେତେବେଳେ ବେହାରୀ ଥିଲା ଗୋଟେ ପକ୍କା ପକେଟ୍‌ମାର । ଖୁବ୍‌ ହୁସିଆରରେ ଶାନ୍ତନୁର ସିଗାରେଟ୍‌ କେଶ୍‌ କାଢ଼ିନେଇ ସେ ଘଟଣା ସ୍ଥଳରେ ଛାଡ଼ିଦେଇ ଚାଲି ଯାଇଥିଲା । ଦିନେ ଅମରକୁ ଶାନ୍ତନୁ କହିଥିଲା ଯେ ବେହାରୀ ଗୋଟିଏ ଚିଠିଦ୍ୱାରା ତାକୁ ଏଠାକୁ ଡକାଇ ଆଣିଥିଲା, ଆଉ ସେହି ଚିଠି ଶାନ୍ତନୁ ଏହି ଲାଲଭବନରେ ଲୁଚାଇ ଦେଇ ଯାଇଥିଲା, ଯେଉଁଦିନ ଅମର ଆଉ ଶାନ୍ତନୁ ଦୁହେଁ ଲାଲଭବନକୁ ଆସିଥିଲେ, ସେତେବେଳେ ସେମାନେ ଉଜିର୍‍ର ମୃତ ଦେହ ସେଇ ଲାଲଭବନରେ ଝୁଲା ହୋଇଥିବାର ଦେଖିବାକୁ ପାଇଲେ । କିନ୍ତୁ ଶାନ୍ତନୁର ଉଦ୍ଦେଶ୍ୟ ଥିଲା, ତା’ର ଲୁଚାଇଥିବା ଚିଠିକୁ ଖୋଜିବା–।

 

ପିସ୍ତଲର ଭୟରେ ସରିତା ସବୁକଥା କହିଗଲା । କଥା ଆଦାୟ କରି ସାରି ଦାମୋଦର ରହସ୍ୟ ଆରମ୍ଭ କରିଦେଲେ । ଦାମୋଦରଙ୍କର ଛଳ ପ୍ରେମରେ ଆତୁରା ସରିତା ସେତେବେଳେ ସବୁକିଛି ଭୁଲିଗଲା । କିନ୍ତୁ ପରମୁହୂର୍ତ୍ତରେ ଯେତେବେଳେ ଦାମୋଦର କହିଲେ ‘‘ତୁ ଥା ସରିତା ସେ ଆଡ଼େ ଭାଇ ମୋର ଅପେକ୍ଷା କରି ରହିଥିବେ; ମୁଁ ବେଶି ସମୟ ଏଠି ରହି ପାରୁନି । ଅନ୍ତତଃ ତୁ ଯେଉଁ ଅମର ଖବର ନେବାରେ ଆସିଛୁ ସେଇଟା ଆଗେ ପୂରଣ କର’’ କହି, ଦୃତ ଗତିରେ ଦାମୋଦର ବୁଦା ମୂଳୁ ବାହାରି ଗାଁ ଆଡ଼େ ଚାଲିଗଲେ ।

 

ସରିତା ପାଖରୁ ସିଧା ଆସି ଜୟନ୍ତବାବୁଙ୍କୁ ରାସ୍ତାରେ ଭେଟିଲେ । ସେ ଘଟଣାଟା ଆମୂଳଚୂଳ କହିବାପାଇଁ ଜୟନ୍ତବାବୁଙ୍କୁ ନିଜର କୋଠରୀକୁ ଆସିବାକୁ କହିଲେ । ସମୟର ଗୁରୁତ୍ୱ ଉପଲବ୍‍ଧି କରି ଜୟନ୍ତବାବୁ ଓ ଦାମୋଦର ଦୁହେଁ ଧର୍ମଶାଳାକୁ ଫେରି ଆସିଲେ ।

 

ନିଜର କୋଠରୀରେ ବସି ଦାମୋଦର ସବୁ ଘଟଣା ବର୍ଣ୍ଣନା କରିଗଲେ । ଘଟଣାଟି ଆମୂଳଚୂଳ ଶୁଣି ଜୟନ୍ତବାବୁ କହିଲେ, ମୁଁ ଠିକ୍‌ ନା ଏଇ କଥା ଦିନେ କହିଥିଲି ।

 

ସତ ଯେ, କିନ୍ତୁ ବେହାରୀ କାହିଁକି ମଦନବାବୁଙ୍କୁ ହତ୍ୟା କଲା ?

 

ତୋର ମନେଥିବ, ଆମେ ଯେଉଁ କାଗଜପତ୍ରରୁ କେତେକ ଘଟଣା ପାଇଥିଲୁ, ଯାହାକୁ କି ମୋହନ ଜାଣିଥିଲା ଓ ବେହାରୀକୁ ସବୁକଥା କହିଥିଲା ସେହି ଆଶାରେ ବେହାରୀ ମୋହନକୁ ଧୋକା ଦେଇ ନିଜେ ସମୁଦାୟ ଅକ୍ତିଆର କରିନେବାପାଇଁ ମଦନବାବୁଙ୍କୁ ହତ୍ୟା କଲା ।

 

କିନ୍ତୁ ସେ ଜିନିଷଟା କ’ଣ ?

 

ସେ କଥା ତ ମୁଁ ବି ଏପର୍ଯ୍ୟନ୍ତ ଜାଣି ପାରୁନାହିଁ । ଆଚ୍ଛା, ସେହି ଜ୍ୟୋତିଷ କାଗଜରୁ କଅଣ ସବୁକଥା ଜଣା ପଡ଼ୁଛି ।

 

ବହୁତ ଭାବି ଭାବି ଦାମୋଦରଙ୍କ ମୁଣ୍ତ ଗରମ ହୋଇ ଆସିଲା ସେ ଆଉ ଭାବି ପାରିଲେନି । ବୁଲିଯିବାପାଇଁ ବାହାରି ପଡ଼ିଲେ ।

 

ଅମର ସରିତା ଘରୁ ବାହାରି ସିଧା ବ୍ୟାଙ୍କରେ ଯାଇ ପହଞ୍ଚିଲା, ସେଠାରେ ସେ ଯେପରି କାହାର ପ୍ରତୀକ୍ଷାରେ ବସି ରହିଛି । କିଛି ସମୟ ବସିବା ପରେ ସେ ଦେଖିଲା ଯେ କ୍ୟାସ୍‌ ଘରକୁ ଜଣେ ଅପରିଷ୍କାର ଭଦ୍ରବ୍ୟକ୍ତି ପଶି ଯାଉଛି । ସେ ତା’ର ପଛେ ପଛେ ଯାଇ ଦେଖିଲା କ୍ୟାସ୍‌ରୁ ଗୋଟିଏ ମୁଦା–ଲଫାପାଧରି ସେ ଫେରି ଆସୁଛି । ଅମର ବହୁତ ଚିନ୍ତା କଲାପରେ ମନେ ପଡ଼ିଲା ଯେ ଚଉଦ୍ୱାରରେ ସେ ଏହିପରି ଜଣେ ଲୋକକୁ ଦେଖିଛି । ସେଠାରେ ସେ ତାକୁ ଚିହ୍ନି ପାରିଲା । ମନେ ମନେ ଭାବିଲା ଏ ବୋଧେ ସେହି ମାଳୀ ‘‘ମୋହନ ।’’

 

ମୋହନର ଅଲକ୍ଷରେ ଅମର ସିଧା ଯାଇ ବସ୍‌ରେ ମୋହନ ପାଖରେ ବସିଲା । ରାସ୍ତାରେ ମୋହନ ଅମରକୁ ଦେଖିଥିଲା କିନ୍ତୁ ତାକୁ ଚିହ୍ନି ପାରିଲା ନାହିଁ ।

 

ବସ୍‌ ଷ୍ଟପେଜଠାରୁ ଗୋଟିଏ ଛୋଟ ରାସ୍ତା ଲାଲଭବନଠାକୁ ପଡ଼ିଥିଲା । ମୋହନ ସେ ରାସ୍ତା ଦେଇ ଚାଲିବାକୁ ଲାଗିଲା । ଗୋଟିଏ ନିକାଞ୍ଚନିଆ ସ୍ଥାନରେ ଅମର ମୋହନକୁ ଭେଟିଥିଲା । ହଠାତ୍‌ ପକେଟରୁ ପିସ୍ତଲ କାଢ଼ି ମୋହନ ଛାତିରେ ଲଗାଇ କହିଲା ‘‘ଯାହା ଅଛି ଦେଇଦେ ନଚେତ୍‌ ଜୀବନର ଆଶା ଭୁଲି ଯା ।

 

‘‘ଏପରି ଅପ୍ରତ୍ୟାଶିତ ଆକ୍ରମଣରେ ମୋହନ କିଛି କରି ପାରିଲା ନାହିଁ । ବହୁତ ସାହସ ସଞ୍ଚୟ କରି ସେ କହିଲା, ‘‘ତୁ କିଏ ?’’

 

ଅମରର କ୍ରୋଧ ବଢ଼ି ଉଠିଲା । ସେ ଆଗ ପଛ ନଭାବି ପିସ୍ତଲର ପଛ ପଟରେ ମୋହନ ମୁଣ୍ତରେ ସଜୋରେ ଏକ ପାହାର ବସାଇ ଦେଲା । ସେଥିରେ ମୋହନ ମୁଣ୍ତ ଫାଟି ରକ୍ତ ଝରିବାକୁ ଲାଗିଲା, ସେଇ ଆଘାତରେ ସେ ବେହୋସ ହୋଇ ପଡ଼ିଗଲା । ଅମର ଏହି ଅବସରରେ ତା’ର ପକେଟରୁ ସମୁଦାୟ ନୋଟ ଓ ପୁଡ଼ିଆ ବାହାର କରି ନେଇ ଚାଲିଗଲା ।

 

ମୋହନର ଚେତା ହେଲାବେଳକୁ ତା’ର ପାଖରେ କେହି ନଥିଲେ । ସେ ଚାରିଆଡ଼କୁ ଚାହିଁଲା କେହି ଦେଖୁଛି କି ନାହିଁ । ଶୀଘ୍ର ଉଠିପଡ଼ି ସେ ଗୃହ ଅଭିମୁଖରେ ଚାଲିଲା । ନଳିନୀ ତାହାର ବାପକୁ ଏ ଅବସ୍ଥାରେ ଦେଖି ବିଚଳିତ ହୋଇ ପଡ଼ିଲା । ସେ କିଛି ପଚାରିବା ପୂର୍ବରୁ ମୋହନ କହିଲା ଯେ ସାଇକେଲ୍ ଧକ୍କା ହୋଇ ଗୋଡ଼ହାତ ଛିଡ଼ି ଯାଇଛି ।

 

ସୁନୀଲ୍‌ ଠିକ୍‌ ସେତିକିବେଳେ ଆସି ମୋହନର ଘରେ ପହଞ୍ଚିଲା । ମୋହନର ଅବସ୍ଥା ଦେଖି ସେ ବଡ଼ ବିବ୍ରତ ହୋଇ ପଡ଼ିଥିଲା । ମୋହନ କିନ୍ତୁ ଧୀର ସ୍ଥିର ଭାବରେ ବସିଥାଏ । ପକେଟରୁ କାଢ଼ି ଖଣ୍ତିଏ ବିଡ଼ି ଲଗାଇଲା । ତା’ପରେ ପରିଷ୍କାର ଲୁଗାପଟା ପିନ୍ଧି ବାହାରକୁ ଯିବାପାଇଁ ବାହାରିଲା ।

 

ମୋହନ ସିଧା ଯାଇ ଲାଲଭବନର ଫାଟକ ପାର ହୋଇ ଭିତରକୁ ପଶିଲା । ସାମନା ଦରଜାର ତାଲା ଖୋଲି ଭିତରୁ ତାଲା ବନ୍ଦ କରି ଦେଲା । ସେ ଏତେ ବିବ୍ରତ ହୋଇ ପଡ଼ିଥିଲା ଯେ, ତାକୁ ଜଣେ ଯେ Follow କରୁଛି, ଏକଥା ସେ ଆଦୌ ଭାବି ନଥିଲା ।

 

ବାହାରେ ସୁନୀଲ୍‌ ଅପେକ୍ଷା କରି ନିକଟସ୍ଥ ଗୋଟିଏ ବୁଦା ମୂଳରେ ଲୁଚି ବସିଥାଏ । ମୋହନର କାର୍ଯ୍ୟକଳାପ ତାକୁ ମୋଟରୁ କିଛି ଜଣାଯାଉ ନଥାଏ ।

 

ମୋହନ ସିଧା ଭିତରେ ଯାଇ ଶାନ୍ତନୁ ସହିତ ଭେଟିଲା । ସେ ଶାନ୍ତନୁକୁ ପୁଙ୍ଖାନୁପୁଙ୍ଖ ସବୁ ବିଷୟ ଏକ ନିଶ୍ୱାସକେ କହିଗଲା । ମୋହନର ଏକଥା ଶୁଣି ଶାନ୍ତନୁ ରାଗରେ ଗର୍ଜି ଉଠି କହିଲା, ନିମକ୍‌ ହାରାମ୍‌ କୁକୁର ଟଙ୍କାର ମୋହ ସମ୍ଭାଳି ନପାରି ମୋତେ ସର୍ବସ୍ୱାନ୍ତ କରିବାକୁ ବସିଛୁ-। କିଛିକ୍ଷଣ ଗର ଗର ହେବା ପରେ ଶାନ୍ତନୁ ଲୋକଟିର ସମସ୍ତ ବିବରଣୀ ଚାହିଁଲା । ମୋହନ ସବୁ ବର୍ଣ୍ଣନା କରିଗଲା । ସେହି ବର୍ଣ୍ଣନାରୁ ସେ ବ୍ୟକ୍ତି ଯେ କିଏ ଏକଥା ଉତ୍ତମ ରୂପେ ଶାନ୍ତନୁ ବୁଝି ପାରିଲା । ସେ ଯେ ଅମର ଛଡ଼ା ଆଉ କେହି ନୁହେଁ, କହି ଗର୍ଜି ଉଠିଲା ।

ଶାନ୍ତନୁର ଏପରି ଅବସ୍ଥା ଦେଖି ମୋହନ ଅମରର ଏ ପରିଚୟ ପଚାରିଲା । ପରିଚୟ ପାଇ ସାରିବା ପରେ ସିଧା ସିଧା ଘର ଭିତରୁ ବାହାରକୁ ଚାଲି ଆସିଲା । ବାହାରର କବାଟ ଖୋଲି ପୁନର୍ବାର ବାହାରୁ ତାଲା ଦେଇ ସେ ଘରକୁ ଫେରିଲା ।

ସୁନୀଲ୍‌ ତା’ର ପିଛା ଧରିଥିଲା । ମୋହନ ଘରକୁ ଫେରିବା ପରେ ସେ ମୋହନର ପଛେ ପଛେ ଫେରି ଆସିଲା । ମୋହନ କିନ୍ତୁ ଘରେ ସ୍ଥିର ହୋଇ ରହି ପାରିଲାନି । ସେ ସାଙ୍ଗେ ସାଙ୍ଗେ ନଳିନୀକୁ ଡାକି କହିଲା, ‘‘ମୁଁ ଟିକେ କଟକ ଯାଉଛି, ଆସୁ ଆସୁ ରାତି କିମ୍ବା କାଲି ହୋଇ ପାରେ । ତୁ ସୁନୀଲ୍‌କୁ ଡକାଇ ଘର ଉପରେ ଟିକେ ନିଘା ରଖିବାକୁ କହି ସିଧା ଚାଲି ଆସିଲା । ସେ ବାହାରି ଆସିବା ପରେ ତା’ ପଛେ ପଛେ ସୁନୀଲ୍‌ ଯାଇ ନଳିନୀକୁ ଭେଟିଲା । ନଳିନୀଠାରୁ ସବୁକଥା ଶୁଣି ତା’ର ମୁଣ୍ତରେ କିଛି ଢୁକିଲା ନାହିଁ । ଦୁହେଁ ଚୁପ୍‌ ହୋଇ କିଛିକ୍ଷଣ ବସି ରହିଲେ ।

ଦାମୋଦର ସହିତ ସରିତାର ଭେଟହେଲା ପରେ ତା’ର ମନରୁ ସବୁ ଦୁଃଚିନ୍ତା ଦୂର ହୋଇଗଲା । ସେ ସହରରୁ ଫେରି ଆସି ସିଧା ଘରକୁ ନଯାଇ ସିନେମା ଦେଖିବା ଉଦ୍ଦେଶ୍ୟରେ ଚାଲିଗଲା । ଫେରିବା ପରେ ଦେଖିଲା ଯେ ଅମର ତା’ର ଘରେ ବସିଛି ।

ଅମରକୁ ଦେଖି ସରିତା ଚମକି ପଡ଼ିଲା ସେ ଲୁଗାପଟା ନ ବଦଳାଇ ଅମରକୁ କହିଲା, ଏସବୁ କ’ଣ ହେଉଛି ? ତୁମ୍ଭର ଏ ଗତି ମୋତେ ଭଲ ଲାଗୁନାହିଁ ।

 

କିଛିନାହିଁ କହି ଅମର ନିଜ ଚିନ୍ତାରେ ମଗ୍ନ ହୋଇ ରହିଲା । ସେ ଶାନ୍ତନୁ ବିଷୟରେ ବହୁତ କିଛି ଭାବିଗଲା । ଶାନ୍ତନୁ ଯେ ଏହାର ପ୍ରତିଶୋଧ ନନେବ, ଏକଥା ସେ ମନେ ମନେ କହିହୋଇ ସିଧା ଉଠି ବାହାରକୁ ଚାଲି ଆସିଲା ।

 

ସରିତା ଅମରର ଏ ଢଙ୍ଗ ଦେଖି ବ୍ୟତିବ୍ୟସ୍ତ ହୋଇ କହିଲା, ‘‘କିଓ କଥା କିଛି ନାହିଁ ଚାଲି ଯାଉଛ କାହିଁକି ?

 

ମୁଁ ବମ୍ବେ ଯାଉଛି ବର୍ତ୍ତମାନ–କହି ସରିତା କିଛି ଭାବିବା ପୂର୍ବରୁ ସେ ଚାଲିଗଲା ।

 

ଅମରର ବ୍ୟବହାରରେ ସରିତା ମ୍ରିୟମାଣ ହୋଇ ପଡ଼ିଲା । ତା’ ପାଖରେ ଅମରର ବ୍ୟବହାର ସମ୍ପୂର୍ଣ୍ଣ ନୂଆ । ସାଙ୍ଗେ ସାଙ୍ଗେ ଲୁଗା ନ ବଦଳାଇ ସିଧା ସିଧା ଅମରକୁ ଖୋଜିବାକୁ ତା’ ପଛେ ପଛେ ଚାଲିଲା ।

 

ବହୁତ ଆଡ଼େ ବୁଲି ବୁଲି ପ୍ରାୟ ଦୁଇ ତିନିଘଣ୍ଟା ବାଦେ ସେ ଘରକୁ ଫେରିଲା । ବାହାରେ ଆସି ଦେଖେ ତ ତା’ର ଘର କବାଟ ଖୋଲାଅଛି । ତା’ର ମୁଣ୍ତ ଘୂରିଗଲା । ସେ ଭାବିଲା ଘର ଖୋଲିଲା କିଏ ? ତା’ ମନରେ ବହୁତ ଚିନ୍ତା ଆସି ଦେଖା ଦେଲା । ଝଡ଼ ବେଗରେ ସେ ଘର ଭିତରକୁ ପଶିଯାଇ ଖୁବ୍‌ ଚିତ୍କାର କରି ଉଠିଲା ଓ ସାଙ୍ଗେ ସାଙ୍ଗେ ବେହୋସ ହୋଇ ପଡ଼ିଗଲା ।

 

ଅମର ଆଉ ସରିତାର କଥା କାହାରିକୁ ଅଛପା ନଥିଲା । ଏସବୁ ଘଟଣା କାହାରି ଦୃଷ୍ଟିରେ ପଡ଼ି ନଥାଏ । କିଛି ସମୟ ବାଦ୍‌ ସରିତା ଆଖି ଖୋଲି ଚାହିଁ ଦେଖିଲା ତା’ର ଶେଯ ଉପରେ ତା’ର ପ୍ରାଣପ୍ରିୟ ଅମର ରକ୍ତାକ୍ତ ଶରୀରରେ ପଡ଼ିଛି । ଆଉ ଜଣେ ଲୋକ ଅମରର ପକେଟ ପ୍ରଭୃତି ଅଣ୍ତାଳିବାରେ ଲାଗିଛି ।

 

ସରିତା ଗର୍ଜିଉଠିଲା, କହିଲା ତୁ ମୋ ଅମରକୁ ମାରିଛୁ, ତୁ ଖୁଣୀ, ମୁଁ ତୋତେ ଭଲକରି ଚିହ୍ନିଛି । ତୁ ସେହି ମୋହନ ନାଁ । ଲାଲଭବନର ମାଳୀ କହି, ସରିତା ଆସ୍ତେ ଆସ୍ତେ ଦରଜା ଆଡ଼େ ଆସୁଥିଲା, ମୋହନ ତାକୁ ଧରିପକାଇ କହିଲା, ସରିତା ମୁଁ ଅମରକୁ ମାରିନି ମୋତେ ବିଶ୍ୱାସ କର-। ମୁଁ ଗୋଟିଏ ବିଷୟରେ ଅମର ନିକଟକୁ ଆସିଥିଲି; କିନ୍ତୁ ଆସି ଦେଖେ ସେ ଏପରି ନିଃସହାୟ ଅବସ୍ଥାରେ ପଡ଼ିଛି ।

 

ସରିତା, ମୋହନର ଏହିପରି ଉକ୍ତିରେ ଚିହିଁକି ପଡ଼ି ବୁଲିପଡ଼ିଲାବେଳେ ମୋହନ ଏକା ଡିଆଁକେ ବାହାରେ ଉଠିଲା । ଦୌଡ଼ି ଦୌଡ଼ି ସେ ସରିତାର ଆଖିର ଅନ୍ତରାଳରୁ ଚାଲିଗଲା । ସେ ସିଧା ଯାଇ ଗୋଟିଏ ଜଙ୍ଗଲିଆ ବୁଦା ମୂଳରେ ଚୁପ୍‌କରି ରହିଲା । ନଳିନୀର କଥା ତା’ ମନରେ ବାରମ୍ବାର ଆଘାତ କରିବାକୁ ଲାଗିଲା ।

 

ସରିତା ବହୁତ ଚିଲ୍ଲାଇଲା, କିନ୍ତୁ କିଛି ଫଳ ହେଲାନି ।

 

ରାତି ପ୍ରାୟ ୧୨ଟା । ନଳିନୀ ଖୁବ୍‌ ଜୋର୍‌ରେ କାନ୍ଦି ଉଠିଲା । ସୁନୀଲ୍‌ ଆଖି ମଳି ମଳି ଘଟଣା କଅଣ ଜାଣିବାପାଇଁ ବାହାରକୁ ଉଠି ଆସିଲା । ବାହାରେ ଦୁଇଜଣ ପୋଲିସକୁ ମୋହନ ସହିତ ଦେଖି ତା’ର ଗୋଡ଼ ଆଡ଼ୁ ଝିମି ଝିମି ହୋଇଗଲା । ସେ ନଳିନୀକୁ ସାନ୍ତ୍ୱନା ଦେବାକୁ ନିଜର ଏ ଅବସ୍ଥାରେ, ନିଜେ ଚମକି ପଡ଼ିଲା ମନରେ ସାହସ ବାନ୍ଧି ନଳିନୀକୁ ସାଙ୍ଗରେ ନେଇ ତା’ ଘରକୁ ଆସିଲା ସେଠାରେ ତା’ର ଦାଦି ବୁଢ଼ା ପାଖରେ ନଳିନୀକୁ ଛାଡ଼ି ନିକଟସ୍ଥ କୁଦ ଉପରକୁ ଆସି ଜହ୍ନରାତିରେ ଚାରିଆଡ଼େ ନିରୀକ୍ଷଣ କରିବାକୁ ଲାଗିଲା । କିଛିକ୍ଷଣ ନିରୀକ୍ଷଣ କଲା ବାଦ୍‌ ସେ ଦେଖିଲା, ପ୍ରାୟ ପଚାଶ ଜଣ ଯାକେ ପୋଲିସ ଗୋଟିଏ ଟ୍ରକରେ ନଦା ହୋଇ ମୋହନ ଘର ଆଡ଼େ ଛୁଟିଛନ୍ତି । ତାକୁ କୌଣସି କଥା ଅଛପା ରହିଲାନି । ପାହାଡ଼ରୁ ଓହ୍ଲାଇ ଧର୍ମଶାଳା ଆଡ଼େ ଦୌଡ଼ିବାକୁ ଲାଗିଲା ।

 

ଧର୍ମଶାଳାର କବାଟ ବନ୍ଦ ଥାଏ । ରାତି ଯେ ଏତେ ହେଲାଣି ସେ କଥା ସୁନୀଲ୍‌ ପୂରା ଭୁଲିଯାଇ ଥାଏ । କୌଣସିଆଡ଼କୁ ନିଘା ନରଖି କବାଟକୁ ଖଟ୍‌ ଖଟ୍‌ କରିବାରେ ଲାଗିଲା । ପ୍ରଥମେ ଦରଓ୍ୟାନ ଉଠି ବଡ଼ ବିରକ୍ତ ହେଲା କିନ୍ତୁ ଯେତେବେଳେ ଜାଣିଲା ଯେ ନିଜେ ସୁନୀଲ୍‌ ଆସିଛି ଓ କିଛି ଗୁରୁତର କାର୍ଯ୍ୟରେ ସେ ଆସିଛି ତା’ର ମନରେ ଦୟା ଆସିଲା । ସେ କବାଟ ଖୋଲି ଭିତରକୁ ଯିବାପାଇଁ ସୁନୀଲ୍‌କୁ ଅନୁମତି ଦେଲା ।

 

କିଛି କଥା ନଶୁଣି ସୁନୀଲ୍‌ ଶୀଘ୍ର ଯାଇ ଦାମୋଦର କୋଠରୀ ନିକଟରେ ପହଞ୍ଚିଲା । ଦେଖିଲା ଜୟନ୍ତବାବୁ ଓ ଦାମୋଦର ଦୁହେଁ ବସି କୌଣସି ବିଷୟରେ ଆଲୋଚନା କରୁଛନ୍ତି । ସୁନୀଲ୍‌କୁ ଦେଖି ଦାମୋଦର ଉଠିପଡ଼ି ତାକୁ ବସାଇବାକୁ ଖଣ୍ତିଏ ଚୌକୀ ଆଣିଦେଲେ । ଜୟନ୍ତବାବୁଙ୍କର ଅନୁରୋଧରେ ଦାମୋଦର ଚାହା ତିଆରି କରିବାରେ ଲାଗିଲେ । ତିନିଜଣ ଯାକ ଚାହାର ସଦ୍‌ବ୍ୟବହାର କରି ସାରି ସୁନୀଲ୍‌କୁ ଏତେ ରାତିରେ ଆସିବାର କାରଣ ପଚାରିଲେ । ସେ ଟିକିନିଖି କରି ସବୁକଥା ବୟାନ କରିଗଲା । ଏମିତି କି ସେହି ଦିନର ଘଟଣା ମୂଳରୁ ଚୂଳପର୍ଯ୍ୟନ୍ତ କହିବାକୁ ବି ଛାଡ଼ିଲା ନାହିଁ । ଜୟନ୍ତବାବୁ ହସି ହସି କହିଲେ, ଏଥିରେ ବୁଝିବାର କଅଣ ଅଛି । ତାଙ୍କର ହସ ଦେଖି ସୁନୀଲ୍‌ ଉଠିପଡ଼ିଲା । ଦାମୋଦର ସୁନୀଲ୍‌କୁ ବସାଇଦେଇ କହିଲେ–ଏମିତି ହେଲେ ଲାଭ ବା କଅଣ ମିଳିବ । ଠିକ୍‌ ଅଛି, ବର୍ତ୍ତମାନପାଇଁ ଧରିନିଆଯାଉ ଯେ ମୋହନ ଦୋଷୀ-। କିନ୍ତୁ ଆମେ ନିଶ୍ଚୟ ତାକୁ ଦୋଷମୁକ୍ତ କରିବୁ । ପୋଲିସ ହାତରୁ ବର୍ତ୍ତମାନ ରକ୍ଷାକରିବାର ତ ଉପାୟ ନାହିଁ । ପ୍ରଥମେ ବିଚାରକୁ ଆସୁ । ତା’ପରେ ଯାହା ହବାର ଦେଖିବା ।

 

ଦାମୋଦର ଓ ଜୟନ୍ତବାବୁଙ୍କର ଏପରି ନିର୍ଭୀକତା ବାଣୀ ଶୁଣି ସୁନୀଲ୍‍ ସେ ରାତି ରାତି ଘରକୁ ଫେରି ଆସିଲା ।

 

ସୁନୀଲ୍‌ର ଆସିବା ବାଟକୁ ନଳିନୀ ଚାହିଁ ବସିଥିଲା । ସେ ବ୍ୟସ୍ତ ହୋଇ ସବୁକଥା ପଚାରିଲା, କଅଣ ବାପା ଆଉ ଫେରିବେନି ? ସେ ଜୟନ୍ତବାବୁଙ୍କର ନିଶ୍ଚିତତା ବାଣୀ ଶୁଣାଇ ନଳିନୀକୁ ସାଥିରେ ଧରି ଘର ଭିତରକୁ ଆସିଲା ।

 

ସୁନୀଲ୍‌ର ଚାଲିଯିବା ପରେ ଦାମୋଦର ଓ ଜୟନ୍ତବାବୁ ଦୁହେଁ ପୂର୍ବପରି ଶେଯରେ ପଡ଼ି ରହିଲେ । ପ୍ରଧାନ ଆଲୋଚ୍ୟ ବିଷୟ ଥିଲା, ‘‘ଅମରର ହତ୍ୟା’’ ଜୟନ୍ତବାବୁ କହିଲେ, ଆମେ ବର୍ତ୍ତମାନ କେତେଗୁଡ଼ିଏ link ପାଇଛେ । ସେଗୁଡ଼ିକୁ ଯଦି ଖୁବ୍‌ ସୂକ୍ଷ୍ମ ବିଚାରଶକ୍ତିଦ୍ୱାରା ଯୋଡ଼ି ଦିଆଯାଇ ପାରେ, ତେବେ ପ୍ରକୃତ ଘଟଣାର ତଥ୍ୟ ପ୍ରକାଶ ପାଇଯିବ । ପ୍ରଥମ ହେଉଛି, ‘‘ଉଜିର୍‌ ଓ ଅମରର ହତ୍ୟା ।’’ ସେ ହତ୍ୟା ସବୁର ଯାହା କାରଣ ଥାଉନା କାହିଁକି, ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ ଏହାପରେ ପାଳି ପଡ଼ିବ ଶାନ୍ତନୁର ।

 

ଦାମୋଦର ଚମକି ଉଠିଲା, ‘‘ତେବେ କଅଣ ହତ୍ୟାକାରୀ ବେହାରୀ ?’’

 

‘‘ହଁ ଦାମୋଦର ଧାରଣା ମଧ୍ୟ ସେଇଆ । ଆଜିଠୁଁ ଚଉଦବର୍ଷ ପୂର୍ବେ ଯେଉଁ ଘଟଣା ଘଟି ଥିଲା, ତା’ର ଫଳ ଆଜି ବାହାରୁଛି । ଉଜିର୍‌ର ହତ୍ୟା ପରେ ପରେ ଅମରକୁ ହତ୍ୟା କରାଗଲା-। ପୁଣି ଯେଉଁମାନଙ୍କୁ ନେଇ ଏ ଘଟଣା ଗଢ଼ି ଉଠିଛି ସେମାନଙ୍କ ମଧ୍ୟରୁ କେବଳ ରହିଲେ ଶାନ୍ତନୁ ଆଉ ବେହାରୀ; ତା’ଛଡ଼ା ସରିତା.....

 

ଆମେ ଯାହା ଦେଖିଲେ ଯେ ଉଜୀର୍‌ର ହତ୍ୟାରେ ପ୍ରଥମେ ବେହୋସ କରାହୋଇ ପରେପରେ ଲଟକାଇ ଦିଆଯାଇ ଥିଲା କିନ୍ତୁ ସେ ଯୁକ୍ତିର ପ୍ରମାଣ କଅଣ ?

 

‘‘ଖୁବ୍‌ ସିଧା’’ କହି ଜୟନ୍ତବାବୁ କିଛି ସମୟ ଭାବିବାକୁ ଲାଗିଲେ, କିଛିକ୍ଷଣ ପରେ କହିଲେ, ‘‘ବେହାରୀ ଯେଉଁପତ୍ର ଶାନ୍ତନୁକୁ ଲେଖିଥିଲା, ସେହିପତ୍ରପାଇଁ ସେ ଲାଲଭବନକୁ ଖୋଜିବାକୁ ଆସିଛି । ଏହା ମଧ୍ୟ ସେ ଭାବିଥିଲା, ଯେ ଶାନ୍ତନୁ ନିଶ୍ଚୟ ଏଇଠି ନିକଟରେ କେଉଁଠି ଅଛି । ପିସ୍ତଲର ଆବାଜ କାହାକୁ ଶୁଣାଯାଇ ପାରେ । ଏହି ଭୟରେ ସେ ଗୋଟିଏ ଧଡ଼ା ନେଇ ସାଙ୍ଗରେ ଯାଇ ଥିଲା । ମୋର କିନ୍ତୁ ଧାରଣା ଉଜିର୍‍ ସେହି ନିକଟରେ କେଉଁଠି ଥିଲା । ସେ ବେହାରୀକୁ ନିଜ ପାଖରେ ପାଇ ତାକୁ ବୋଧେ ଧମକାଇଛି । ତେଣୁ ବେହାରୀ ଧଡ଼ାରେ ପିଟି ତାକୁ ମାରି ଦେଇଛି । ତା’ପରେ ଯାହା ହେବାର ତା’ ହୋଇଛି ।

 

ମୁହଁରେ କ୍ଷୀଣ ହସ ଫୁଟାଇ ଦାମୋଦର କହିଲେ–ବୁଝିଲ ବାବୁ ତୁମେ ଯାହା ଭାବୁଛ ତା’ ତ ହୋଇ ପାରିବନି । ସେତ ଆଜି ବହୁତ ଉପରେ । ସେ ବର୍ତ୍ତମାନ ଜଣେ ଶ୍ରେଷ୍ଠ ନାଗରିକ ତୁମ କହିବା ଅନୁସାରେ ସେ ତା’ର ସମସ୍ତ ପ୍ରତିଦ୍ୱନ୍ଦୀଙ୍କୁ ହଟାଇବାପାଇଁ ଗୋଟିଏ ପରେ ଗୋଟିଏ ହତ୍ୟା କରି ଚାଲିଛି । ତା’ର ପ୍ରମାଣ ତ ଦରକାର ।

 

‘‘ତୋ ମୁଣ୍ତର ଭେଜା ଠିକ୍‌ ଅଛିତ । ମୋର ସହକାରୀ ହୋଇ ଏଇସବୁ ବଦ୍‌ନାମ ମୁଁ ନେବାକୁ ଚାହୁଁନି । ଆଚ୍ଛା, ହେଉ ଶୁଣ । ଏସବୁ ଘଟଣା ଘଟିଗଲା ପରେ ବେହାରୀବାବୁ ଲାଲଭବନର ଧୂଳିସାତ୍‌ ଆଉ ଚାହୁଁନି । ତା’ର ଧାରଣା ଥିଲା ଯେ, ସେଇ ପତ୍ର ଖଣ୍ତିକ ଲାଲଭବନରେ କୋଉଁଠି ହେଲେ ରହିଛି । ସେଥିପାଇଁ କେବଳ ଲାଲଭବନ ଉପରେ ତା’ର ତିକ୍ଷ୍‍ଣ ଦୃଷ୍ଟି ଥିଲା । କିନ୍ତୁ ଯୋଜନା ଯେତେବେଳେ କାର୍ଯ୍ୟକାରୀ ନହେଉଛି ଏଥିରେ ସ୍ପଷ୍ଟ ଜଣା ଯାଉଛି ଯେ ଶାନ୍ତନୁ ବୋଧେ ଚିଠି ପାଇନି କିମ୍ବା ଚିଠିଟି କେଉଁଆଡ଼େ ହଜି ଯାଇଛି ଆଉ ଚିଠି ବିଷୟ ଜାଣିଥିବା ଲୋକ ମୋଟରୁ ୩ ଜଣ । ଯେଉଁଥିରୁ କି ଦୁଇ ଜଣ ମଲେଣି ।’’

 

‘‘ମୁଁ ଦେଖୁଛି ମଦନବାବୁଙ୍କ ହତ୍ୟା ରହସ୍ୟ ରହସ୍ୟରେ ହିଁ ରହିଯାଉଛି ।’’

 

‘‘ବେହାରୀବାବୁ ତ ମୂର୍ଖ ନୁହେଁ, ଦାମ ! ସେ ତା’ର ସାଥିମାନଙ୍କୁ ଏଥିରେ ପକାଇ ନିଜେ ଖସି ଯିବାକୁ ଚେଷ୍ଟା କରିଛି । ସରିତା ଯେଉଁ କଥାମାନ କହିଲା, ଭାବି ଦେଖିଲୁ । ସେତ କହିଥିଲା ନା, ଏଇ କଥାଗୁଡ଼ା ତା’ର ଅନୁମାନ, ମାତ୍ର । ୟା ମଧ୍ୟ ତୁ ଜାଣୁ ଯେ, ମଦନବାବୁ ଜଣେ ପକ୍କା ଜ୍ୟୋତିଷ ଥିଲେ । ଏଇ ଅଚାନକ୍‌ ଝଗଡ଼ା ବିଷୟରେ ସେ ଟିକିନିଖି ସବୁ ପ୍ରକାଶ କରି ଯାଇଛନ୍ତି ତା’ଛଡ଼ା ଏ ଗାଁର ସମୁଦାୟ ଏରିଆ ତ ତାଙ୍କର ଥିଲା, ସେ ଥିଲେ ଏଇ ଖଣ୍ତକର ଜମିଦାର ।

 

‘‘ମୁଁ ତ ଏଥିରୁ କିଛି ବୁଝି ପାରୁନି ।’’

 

‘‘ତୁ ତ ବଡ଼ ଅଜବ ଲୋକ ଦାମ । ଏଇ ଛୋଟ କଥାଟାଇ ବୁଝି ପାରୁନ । ମଦନବାବୁ ଜାଣି ନଥିଲେ ଗୋଟିଏ ଖଣ୍ତ ପ୍ରଳୟ ହେବ ବୋଲି । ସେଇଥିପାଇଁ ସେ ତାଙ୍କର ନିଜର ସମ୍ପତ୍ତି ବଞ୍ଚାଇବାକୁ ପ୍ରଥମେ ଚେଷ୍ଟା କରିଥିଲେ, ଓ ଅର୍ଜିତ ଅନର୍ଜିତ ସମ୍ପତ୍ତି ହୀରା ଳୀଳା କିଣିବାରେ ବ୍ୟୟିତ କରିଥିଲେ ।

 

‘‘କିନ୍ତୁ ଏକଥା ବେହାରୀ ଜାଣିଲା କିପରି ?’’

 

ପ୍ରଥମେ ଶୁଣି ତା’ପରେ ପ୍ରଶ୍ନକଲେ ସିନା ହେବ । ମଝିରୁ ଭାଙ୍ଗି ମାରିଲେ ହେବ କିପରି-। ହଁ ହଁ ଶୁଣୁ, ସେତଥିଲେ ତାଙ୍କ ସଂସାରକୁ ଏକାଟିଆ । ଏଇ ଏତେ ବଡ଼ ଚୌହଦି ଭିତରେ ଶତ୍ରୁ କହ ମିତ୍ର କହ ବିଶ୍ୱାସର ପାତ୍ର ଥିଲା ଏହି ନିକଟରେ କିନ୍ତୁ କଥା ହେଉଛି, ସେ ଯଦିଓ ମୋହନକୁ ନିଜର ଧନ ଦୌଲତ୍‌ ବିଷୟରେ କିଛି କହି ନଥିଲେ, ତଥାପି ଦିନେ ଅକସ୍ମାତ୍‌ ମଦନବାବୁଙ୍କୁ ଖୋଲା ଟ୍ରେଜେରୀ ପାଖରେ ବସି ଥିବାର ଦେଖିଥିଲା, ଯାହାର ପରିଣତିରେ ଏକାଣ୍ତ ଘଟିଛି ।

 

‘‘ଦିନକର ଘଟଣା, ବେହାରୀ କୌଣସି ଗୋଟିଏ କେସରେ ଆସି ଏହି ଚଉଦ୍ୱାରରେ ଲୁଚିଥିଲା । ତା’ର ଲୁଚିବା କାଳ ଭିତରେ ସେ ମୋହନ ସହିତ ପରିଚିତ ହୋଇଥିଲା । କଥା ପ୍ରସଙ୍ଗରେ କହୁ କହୁ ସବୁ ବିଷୟ ମୋହନ ବେହାରୀକୁ କହିଛି । ସେଇ ଲୋଭ ବେହାରୀକୁ ଆଜି ସମ୍ମାନୀତ ଧନୀ ଶ୍ରେଣୀରେ ଭୁକ୍ତ କରିଛି ।

 

ଏଇ ଘଟଣାର କିଛିଦିନ ପରେ ବେହାରୀ, ତାହାର ସାଥି ଶାନ୍ତନୁକୁ ଚିଠିଦ୍ୱାରା ଜଣାଇଛି-। ଏଇପର୍ଯ୍ୟନ୍ତ ସଠିକ୍‌ ଖବର ଅଛି ।

 

ଭାବି ଭାବି ଦାମୋଦର କହିଲେ ‘‘ତେବେ ବେହାରୀ ଆଉ ଶାନ୍ତନୁ ଦୁହେଁ ମଦନବାବୁଙ୍କ ହତ୍ୟାକାରୀ ।’’

 

‘‘ସେ କଥାତ ଠିକ୍‌ କୁହାଯାଇ ପାରୁନି । ତେବେ ଶାନ୍ତନୁର ଯେଉଁ ସିଗାରେଟ୍‌ କେଶ୍‌ ସେଠାରେ ପଡ଼ିଥିଲା ସେଥିଯୋଗୁଁ ସେ ଦୋଷୀ ସାବ୍ୟସ୍ତ ହେଲା ମୋହନ ମଧ୍ୟ ଏକଥା ଭଲ ଭାବରେ ଜାଣେଯେ, ମଦନବାବୁଙ୍କ ପ୍ରକୃତ ହତ୍ୟାକାରୀ କିଏ । ଶାନ୍ତନୁ ଜେଲ୍‌ଗଲା ପରେ ଯେଉଁ ଭୂତ, କୋଠି ଭିତରେ ଘୂରିବାର ଦେଖା ଯାଉଥିଲା ସେ ହେଉଛି ଏ ମୋହନ । ସେ ସେଇ ଚିଠିଟି ପାଇଛି ଓ ତାକୁଇ ନେଇ ସେ ଚାହିଁଚି ଧନ ଅର୍ଜନ କେବଳ ଲାସଥିପାଇଁ କାହାରିକୁ ଏମିତି, ତା’ର ନିଜ ଝିଅକୁ ମଧ୍ୟ ଯୋଜନା ଜଣା, ଏତ ଖୁବ୍ ମଜ୍ଜାର କଥା କିନ୍ତୁ ସହଜ ଉପାୟରେ ତୁମେ ଯାହା, ଏତେ କଥା ଧରି ପାରିଲ । ସେତିକିହିଁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।

 

‘‘ସହଜତ ଠିକ୍‌, କିନ୍ତୁ ଏପର୍ଯ୍ୟନ୍ତ ଠିକ୍‌ ହୋଇନି । ତୁ କାଲି ସକାଳୁ କଟକ ବାହାରି ଯା । ସେଠୁ ଆବଶ୍ୟକିୟ ଘଟଣାମାନ ସରିତାଠାରୁ ବୁଝି, ଦୁଇ ପ୍ରହରକୁ ଫେରି ଆସିବୁ ।

 

ସକାଳୁ ସକାଳୁ ଦାମୋଦର ସରିତାକୁ ଭେଟିବାପାଇଁ କଟକ ବାହାରିଗଲା । ସରିତା ସାଙ୍ଗରେ ଦାମୋଦର ଦେଖା ହେବା ସଙ୍ଗେ ସଙ୍ଗେ ସରିତା ଦାମୋଦରକୁ ବହୁ ମାନ୍ୟ କଲା ଓ ତା’ର ଆସିବାର କାରଣ ପଚାରିଲା ।

 

ଦାମୋଦର କହିଲେ, ‘ଆଚ୍ଛା, ସରିତା ଅମରକୁ ସେଦିନ ଖୋଜିବାକୁ ଯାଇ କେତେ ଘଣ୍ଟାପରେ ଫେରିଲୁ । ଏଇ ଦୁଇ ତିନିଘଣ୍ଟା ପରେ’, ହସି ହସି ସରିତା ଉତ୍ତର ଦେଲା ।

 

ଯେତେବେଳେ ତୁ ଆସିଲୁ ସେତେବେଳେ ତୁ ଗୋଲିର ଆଓ୍ୟାଜ ପାଇଥିଲୁ କି ?

‘‘ନାଁ’’

ତେବେ ତୁ ବୋଧେ ଜାଣିନାହୁଁ ଯେ ମଦନର ହତ୍ୟାକାରୀ ମୋହନ ନୁହେଁ, ହେଉଛି ଅନ୍ୟ ଜଣେ । ତୋର ଘରେ ପହଞ୍ଚିବାରେ ପ୍ରାୟ ୧୫ମନିଟ୍‌ ପୂର୍ବରୁ ଏ ହତ୍ୟା କାଣ୍ତ ଘଟିଛି ଓ ଡାଇରୀ ରିପୋର୍ଟରୁ ଯାହା ଜଣାଯାଏ ଯେ ତୁ ନିଶ୍ଚୟ ଏ ନିକଟରେ କେଉଁଠି ହେଇଥିବୁ ଗୁଳି ଫୁଟିଛି ।

ଗୋଲିର ଆଓ୍ୟାଜ ମୁଁ ମୋଟରୁ ଶୁଣିନି ।

ତୁ ତ ଜାଣିଲୁ ନାହିଁ କି ଲୋକମାନେ ମଧ୍ୟ ଜାଣିଲେ ନାହିଁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ସାଇଲେନସର ଯୁକ୍ତ ପିସ୍ତଲଦ୍ୱାରା ଏ ହତ୍ୟାକାଣ୍ତ ଘଟିଛି । ସେ ନିଶ୍ଚୟ କେହି ବଦ୍‍ମାସ କିମ୍ବା ଗୁଣ୍ତା ଦଳିଆ ଲୋକର କାମ ହୋଇଥିବ ।

କିଛି ସମୟ ଚୁପ୍‌ଚାପ୍‌ ଚିନ୍ତା କରି ସାରିଲା ପରେ ସରିତା କହିଲା, ତେବେ ସେ ନିଶ୍ଚୟ ବେହାରୀ ଛଡ଼ା ଅନ୍ୟ କେହି ନୁହେଁ । ଅମର ବମ୍ବେ ଯିବ ବୋଲି ମୋତେ କହିଯାଇଥିଲା ; କିନ୍ତୁ ସେ ମଧ୍ୟ କହୁଥିଲା ଯେ ସେ କିଛି ଟଙ୍କାପାଇଁ ବେହାରୀ ପାଖକୁ ଯିବ ।

ବିଲ୍‌କୁଲ୍‍ ଠିକ୍‌ କହି ଦାମୋଦର ଡେଇଁପଡ଼ିଲେ । ସେ କହିଲେ ଏହା ହୋଇପାରେ ଯେ, ବେହାରୀ ଟଙ୍କା ଦେବ ବୋଲି କହିଛି, କିନ୍ତୁ ତୁମର ଏଇଠିକା ଠିକଣା ସେ ବୋଧେ ଦେଇଛି । ଯାହାଦ୍ୱାରା କି ଅମର ଏଇଠି ଅପେକ୍ଷା କରିଛି ଓ ମରା ଯାଇଛି ।

ତୁମର କଥା ଠିକ୍‌ ବୋଲି ମୋର ଧାରଣା ହେଉଛି ; କିନ୍ତୁ ମୋହନ ଏଠି କ’ଣ କରୁଥିଲା ।

ସେ ତା’ର ଟଙ୍କା ଖୋଜୁଥିଲା ବୋଧେ । ଆଉ ଅନ୍ୟାନ୍ୟ କିଛି ସାମାନ୍ୟ ପଚରାପଚରି କରି ଦାମୋଦର ଚଉଦ୍ୱାରାକୁ ଫେରି ଆସିଲେ ।

 

ଜଙ୍ଗଲିଆ ରାସ୍ତା ଦେଇ ମୋହନ ପୋଲିସ ଆଖିରେ ଧୂଳି ଦେଇ ପଳାଇବାକୁ ଚେଷ୍ଟା କରିଥିଲା । କ୍ଷୁଧା ଓ ତୃଷାରେ ସେ ଆତୁର ହୋଇ ସହରକୁ ପଳାଇ ଆସିଲା । ସହରର ଗୋଟିଏ ଛୋଟ ହୋଟେଲରେ ଖିଆପିଆ ସାରି ଦେଇ ବହୁତ ଦୂରକୁ ପଳାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ପୋଲିସର ଆଖିକୁ ଠକି ଚାଲିଯିବା ତା’ ପକ୍ଷରେ ବଡ଼ ଦୁରୂହ ବ୍ୟାପାର ହୋଇ ପଡ଼ିଥିଲା । ପୁନର୍ବାର ସେ ଧରାହୋଇ ଜେଲ୍‌କୁ ଚାଲାଣ ହେଲା ।

 

ଜୟନ୍ତବାବୁ ଦାମୋଦରଙ୍କୁ ସରିତା ପାଖକୁ ପଠାଇ ନିଜେ ସୁନୀଲ୍‌ର ଘରକୁ ଗଲେ । ସୁନୀଲ୍‌ ଜୟନ୍ତବାବୁଙ୍କୁ ଖୁବ୍‌ ଗୌରବ କରି ଘରକୁ ନେଇଗଲା । ବାହାର ଘରେ ଦୁଇଟି ଚଉକି ପଡ଼ିଥିଲା । ସେଠି ତାଙ୍କୁ ବସାଇ ସେ ସିଗାରେଟ୍‌ ଓ ଚା’ର ବନ୍ଦୋବସ୍ତରେ ଯିବାକୁ ବାହାରିଲା । ଜୟନ୍ତବାବୁ ସୁନୀଲ୍‌ର ବନ୍ଦୋବସ୍ତ ଦେଖି କହିଲେ, ସେ ବାଜେ କଥାରୁ କ’ଣ ମିଳିବ । ମୋ ସଙ୍ଗରେ ଟିକିଏ ଆସ, ମୁଁ ମୋହନର ଘର ତଲାସ କରିବି । ହଁ ଆଉ ଗୋଟିଏ କଥା, ନଳିନୀ ଦେବୀ ଏଥିରେ ଦୁଃଖିତ ହେବେନାହିଁ ତ ?

 

ନାହିଁ ନାହିଁ, ଜୟନ୍ତବାବୁ, ମୋର ଦୁଃଖିତ ହେବାର କ’ଣ ଅଛି । ଆପଣ ତ ଆମର ଭଲକୁ କରୁଛନ୍ତି । ଘର ଭିତରୁ ନଳିନୀ ଦେବୀ କହି କହି ଦାଣ୍ତ ଘରକୁ ଆସିଲେ ।

 

“ଆପଣ ଦୁହେଁ ମୋ ସଙ୍ଗରେ ଗଲେ ଭଲ ହେବ, କହି ଜୟନ୍ତବାବୁ ସିଧା ସିଧା ଉଠିଲେ । ସେଇ ଅବସ୍ଥାରେ ସୁନୀଲ୍‌ ଓ ନଳିନୀ ତାଙ୍କ ପଛେ ପଛେ ଗଲେ । ଘର ଭିତରକୁ ଯାଇ ଜୟନ୍ତବାବୁ ପ୍ରତ୍ୟେକ ଜିନିଷ ସୁଚାରୁଭାବେ ପରୀକ୍ଷା କରିବାରେ ଲାଗିଲେ । ସେହି ଘର ଭିତରେ ମୋହନର ଗୋଟିଏ ବନ୍ଧୁକ ଥିଲା । ସେଇଟିକୁ ମଦନବାବୁ ତାଙ୍କ ଜୀବିତାବସ୍ଥାରେ ମୋହନକୁ ଦେଇଥିଲେ । ମୋହନ ତାକୁ ଲାଲଭବନରେ ଜଗିଲାବେଳେ ବ୍ୟବହାର କରେ ଓ ନିଜ ପାଖରେ ଆଣି ରଖେ । ଜୟନ୍ତବାବୁ ବନ୍ଧୁକଟି ଆଣି ତା’ର ଗୋଲି ପଶିବା ବ୍ୟାରେଲ୍‌ ଖୋଲି ଦେଖିଲାବେଳକୁ ଖଣ୍ତିଏ ଛୋଟ କାଗଜ ତଳକୁ ଖସିପଡ଼ିଲା” ।

 

ନଳିନୀ ଆଶ୍ଚର୍ଯ୍ୟହୋଇ ପଚାରିଲା, ଏଟା କି କାଗଜ ଜୟନ୍ତବାବୁ ?

 

‘‘ନାଁ କିଛିନୁହେଁ, କିନ୍ତୁ ଦରକାରୀ ନିଶ୍ଚୟ ।’’ ଚାରିଆଡ଼େ ତନ୍ନ ତନ୍ନ କରି ଖୋଜି ଜୟନ୍ତବାବୁ ତାଙ୍କର ଧର୍ମଶାଳାକୁ ଫେରି ଆସିଲେ ।

 

ପୂର୍ବରୁ ଦାମୋଦର ଫେରି ଆସିଥିଲେ । ସେ ଜୟନ୍ତବାବୁଙ୍କ ଅପେକ୍ଷାରେ ବସି ରହିଥିଲେ । ଜୟନ୍ତବାବୁ ଆସିବାପରେ ସେ ସବୁକଥା ଟିକିନିଖି କରି କହିଲେ ।

 

ସେ ସମୟରେ ନଳିନୀ ଓ ସୁନୀଲ୍‌ ଆସି ଜୟନ୍ତବାବୁଙ୍କ ନିକଟରେ ପହଞ୍ଚିଲେ । ନଳିନୀକୁ ସୁଁ ସୁଁ କାନ୍ଦୁଥିବାର ଦେଖି ପଚାରିଲେ, ‘‘କଥା କଅଣ ?’’

 

ସୁନୀଲ୍‌ ନଳିନୀକୁ ସାନ୍ତ୍ୱନା ଦେଇ କହିଲା କାନ୍ଦ ନାହିଁ ନଳିନୀ, ବାପାତ ଧରା ହୋଇଛନ୍ତି, ତାଙ୍କର ଧରା ହେବାରହିଁ କଥା । ଦୁଃଖକରି ଲାଭ କ’ଣ ?

 

ଜୟନ୍ତବାବୁ ଓ ଦାମୋଦର ମଧ୍ୟ ନଳିନୀକୁ ସାନ୍ତ୍ୱନା ଦେଇ କହିଲେ ଯେ–ଆମେ ନିଶ୍ଚୟ ପ୍ରକୃତ ଅପରାଧିକୁ ଧରାଇ ମୋହନକୁ ଖଲାସ କରାଇ ଆଣିବୁ କହି ଦୁହେଁ ଆସି ମଟରରେ ବସିଲେ ।

 

ତା’ ପରଦିନ ଖୁବ୍‌ ଭୋରରୁ ଜୟନ୍ତବାବୁ, ଦାମୋଦର ନଳିନୀ ଓ ସୁନୀଲ୍‌କୁ ସାଙ୍ଗରେ ନେଇ ଜେଲ୍‌ଖାନାରେ ପହଞ୍ଚିଲେ । ସେ ଜେଲରବାବୁଙ୍କ ସଙ୍ଗେ କିଛିକ୍ଷଣ କଥାବାର୍ତ୍ତା ହୋଇ ସାରିବା ପରେ ସମସ୍ତେ କଏଦୀ ମୋହନକୁ ଭେଟିବାପାଇଁ ଗଲେ । ମୋହନ କଏଦୀ ଘରେ ଗୋଟିଏ କଣରେ ଚୁପ୍‌ଚାପ୍ ହୋଇ ବସିଥିଲା । ଏମାନଙ୍କୁ ଦେଖି ମୋହନ ଭେଁ ଭେଁ ହୋଇ କାନ୍ଦିବାକୁ ଲାଗିଲା । ବାପାଙ୍କର ଏତାଦୃଶ ଅବସ୍ଥା ନଳିନୀ ଓ ସୁନୀଲ୍‌ ଦେଖି ମଧ୍ୟ କାନ୍ଦି ପକାଇଲେ-

 

ଜୟନ୍ତବାବୁ କହିଲେ, ‘‘ମୋହନ ତୁମର ସ୍ନେହର ଝିଅ ନଳିନୀ ଓ ଭାବି ଜାମାତା ସୁନୀଲ୍‌ ଦୁହେଁ ଏଇଠି ଅଛନ୍ତି । ସେମାନଙ୍କର ସ୍ନେହ କଦାପି ତୁମେ ଏଡ଼ି ଦେଇ ପାରିବ ନାହିଁ ମୁଁ ଜାଣେ । ତୁମେ ପ୍ରକୃତ ଘଟଣା କୁହ ।’’

 

ଝିଅ ଓ ଭାବି ଜାମାତାକୁ ସମ୍ମୁଖରେ ଦେଖି ମୋହନ ବଡ଼ ଅସ୍ଥିର ହୋଇ ଉଠିଲା । ସେ ଏମାନଙ୍କର ସଜ୍ଜଳ ଛଳ ଛଳ ନୟନ ଯୁଗଳକୁ ଦେଖି ସବୁ କିଛି ଭୁଲିଗଲା । ଗୋଟିଏ ଗୋଟିଏ କରି ସବୁକଥା କହିଗଲା ।

 

ସେଠିକାର କାମ ସାରି ମୋହନକୁ ସାନ୍ତ୍ୱନା ଦେଇ ଜୟନ୍ତବାବୁ ସୁନୀଲ୍‌ ଓ ନଳିନୀକୁ ନିଜ କାର୍‍ରେ ଚଉଦ୍ୱାରକୁ ପଠାଇ ଦେଲେ ଓ ନିଜେ ଦାମୋଦରଙ୍କୁ ସାଥିରେ ନେଇ ଇନିସପେକ୍ଟର ପ୍ରମୋଦବାବୁଙ୍କ ପାଖରେ ପହଞ୍ଚିଲେ । ଦୁଇଜଣ ପ୍ରସିଦ୍ଧ ଡିଟେକ୍‌ଟିଭ୍‌ଙ୍କୁ ଦେଖି ପ୍ରମୋଦବାବୁ ଖୁବ୍‌ ଖୁସିହେଲେ । ପଚାରିଲେ, ‘‘ଅପୂର୍ବ କିମିତି ଏଆଡ଼େ ?’’

 

‘‘ନା ଆସିବି ଆଉ କୁଆଡ଼େ, ଏହି ତୁମ୍ଭମାନଙ୍କର ଅପାରଗତା ଯୋଗୁଁ ସହ ସହ ନିର୍ଦ୍ଦୋଷୀ ଯେ ଜେଲ୍‍ଖାନା ଭୋଗି ପ୍ରାଣାନ୍ତକ ହେଉ ଅଛନ୍ତି । ସେହି ମାନଙ୍କପାଇଁ ତ ଏଠିକୁ ଆସିବାକୁ ପଡ଼ୁଛି । ହସି ହସି ଜୟନ୍ତବାବୁ ପ୍ରମୋଦବାବୁଙ୍କୁ ସବୁକଥା କହିଲେ ।

 

ଦାମୋଦରବାବୁ ଜୟନ୍ତବାବୁଙ୍କ କଥାକୁ ଥଟ୍ଟାରେ ଉଡ଼ାଇ ଦେଇ କହିଲେ, ‘‘ମୁଁ ତ ଏକଥା ସ୍ୱପ୍ନରେ ହିଁ ଭାବି ନଥିଲି । ତେବେ ବର୍ତ୍ତମାନ କଅଣ କରାଯିବ ।

 

‘‘ନାଁ କରାଯିବାର ଆଉ କ’ଣ ଅଛି । ମୋ ସଙ୍ଗରେ କିଛି ସିପାହୀ ଓ ବେହାରୀବାବୁଙ୍କର ଓ୍ୟାରେଣ୍ଟ୍‌ ପରଓ୍ୟାନା ବାହାର କରି ଦେଇ ତୁମେ ନିଜେ ତା’ ଘର ଖାନତଲାସ କରିବାକୁ ଚାଲ । ହଁ ଆଉ ଗୋଟିଏ କଥା, ଶାନ୍ତନୁକୁ ଯେ କୌଣସି ମତେ ଧରିବାକୁ ହେବ । ତା’ର ସାକ୍ଷ ଏସବୁପାଇଁ ବଡ଼ ଜରୁରୀ ।

 

ପ୍ରାୟ ଅଧଘଣ୍ଟାକ ପରେ ଜୟନ୍ତବାବୁ ସବୁ ଠିକ୍‌ କରିଦେଇ ସେମାନଙ୍କୁ ସଙ୍ଗରେ ଧରି ଚଉଦ୍ୱାର, ଅଭିମୁଖେ ଯାତ୍ରା ଆରମ୍ଭ କରି ଦେଲେ । ଶାନ୍ତନୁକୁ ଧରିବାପାଇଁ ମଧ୍ୟ କେତେଜଣ C.I.Dଙ୍କୁ ନିଯୁକ୍ତ କରାଗଲା । ସେମାନେ ସଙ୍ଗେ ସଙ୍ଗେ ବାହାରି ପଡ଼ିଲେ ।

 

ଜୟନ୍ତବାବୁ ଓ ଦାମୋଦର ଦୁହେଁ ୧୦ ଜଣ ବଛା ବଛା କନେଷ୍ଟବଳ ଧରି ଚାଲିଲେ ବକ୍‍ସି ବଜାର ଆଡ଼େ । United Company ହତାର ଚାରି ପଟରେ ପୋଲିସ ଘେରି ରହିଲେ । ଦାମୋଦର ପୋଲିସ୍‍ମାନଙ୍କ ସଙ୍ଗରେ ବାହାରେ ଅପେକ୍ଷା କରି ରହିଲେ ।

 

ଜୟନ୍ତବାବୁ ଏକାଟିଆ ସିଧା ସିଧା ଉପରକୁ ଉଠିଗଲେ । ଅଫିସ ଘରର ବାହାର ପାଖରେ ବସିଥିବା ଚପରାସି ଯୋତାର ମଚ ମଚ ଶବ୍ଦରେ ଧଡ଼ପଡ଼ ହୋଇ ଉଠିପଡ଼ିଲା । ବାବୁଙ୍କୁ ସଲାମଠୁଁକି ଆଦେଶ ଅପେକ୍ଷାରେ ରହିଲା । ଜୟନ୍ତବାବୁ ପକେଟରୁ କାର୍ଡ଼ ଖଣ୍ତିଏ କାଢ଼ି ଚପରାଶି ହାତରେ ଦେଲେ । ପୁଣି ଥରେ ସଲାମଠୁଁକି ସେ ଅଫିସ ଭିତରକୁ ଚାଲିଗଲା ।

 

ପ୍ରାୟ ମିନିଟିକ ମଧ୍ୟରେ ସେ ଘର ଭିତରୁ ବାହାରି ଆସି ସଲାମଠୁଁକି ବାବୁଙ୍କୁ ବାଟ ଦେଖାଇ ଛିଡ଼ା ହୋଇ ରହିଲା । ଜୟନ୍ତବାବୁ ସିଧା ଭିତରକୁ ଚାଲିଲେ ।

 

ଘରଟିର ସାଜ ସଜା ଆଧୁନିକ ଧରଣର । ଜୟନ୍ତବାବୁ ପ୍ରଥମେ ଚାରିଆଡ଼କୁ ଦେଖି ନେଇ ସାରିଲାବେଳକୁ ଟେବୁଲ ନିକଟରେ ଆସି ପହଞ୍ଚି ଯାଇ ଥାନ୍ତି । ଫାଇଲଉପରୁ ଆଖି ଉଠାଇ ବେହାରୀବାବୁ ନମସ୍କାର କରି କହିଲେ, ‘‘ଏ ଗରୀବ କୁଟୀର ଆପଣଙ୍କ ଶୁଭାଗମନ ଯୋଗୁଁ ପବିତ୍ର ହୋଇଛି । କାରଣଟା ଆଜ୍ଞା ଜାଣିପାରେ କି ?’’

 

‘‘ବିନା ଦରକାରରେ ତ ଆମ୍ଭେମାନେ ଆଉ ଆପଣଙ୍କରପରି ଲକ୍ଷପତିଙ୍କ ନିକଟକୁ ଆସନ୍ତୁ ନାହିଁ ।’’

 

‘‘ଆପଣଙ୍କର ଯେ ଏହିସବୁକଥା, ମୁଁ ମୋଟରୁ କିଛି ବୁଝି ପାରେନି ।’’

 

“ବୁଝିବା ଦରକାର ନାହିଁ ବେହାରୀବାବୁ, ତେବେ କଥା ହେଉଛି ମୁଁ ଆପଣଙ୍କ ପାଖକୁ ଆସିଛି କେବଳ ଗୋଟାଏ ଖବର ନେବାପାଇଁ ।“

 

ହଁ, ହଁ, ଗୋଟେ କାହିଁକି ଆଜ୍ଞା, ହଜାରଟା ମଧ୍ୟ ପଚାରିଲେ ମୁଁ ଉତ୍ତର ଦେବାକୁ ପ୍ରସ୍ତୁତ ଅଛି ।

 

ଆପଣ ଲାଲଭବନର ମାଳୀ ମୋହନକୁ ଜାଣନ୍ତି ନିଶ୍ଚୟ–ତୀକ୍ଷ୍ମ ଦୃଷ୍ଟି ପକାଇ କହିଲେ ଜୟନ୍ତବାବୁ ।

 

ଆଶ୍ଚର୍ଯ୍ୟ ହୋଇ ବେହାରୀବାବୁ ଉତ୍ତର ଦେଲେ, ‘‘ମୁଁ ତ ତାକୁ ଜାଣେ ନାହିଁ । “

 

‘‘ଠିକ୍‌ ଅଛି । ମୋହନକୁ ନଜାଣି ପାରିଥାନ୍ତି, କିନ୍ତୁ ଅମର, ଉଜିର୍‌ ଓ ଶାନ୍ତନୁକୁ ତ ଭଲ ଭାବରେ ଜାଣିଛନ୍ତି । ଅମର ଓ ଉଜିର୍‌ର ହତ୍ୟାକାରୀ ଆପଣ ? ସେଥିପାଇଁ ଆପଣଙ୍କ ନାମରେ Police ଓ୍ୟାରେଣ୍ଟ୍‌ ଅଛି । ସେଇ ଅଭିଯୋଗରେ ଆପଣ ଗିରଫ ହେଲେ । ଅମରର ହତ୍ୟାକାରୀ ନିଶ୍ଚୟ କରି ଜାଣେ ଯେ, ମୋହନ ନିର୍ଦ୍ଦୋଷ’’ କହି ଜୟନ୍ତବାବୁ ଉଠିପଡ଼ିଲେ ।

 

ଏତିକି କଥାରେ ବେହାରୀର ହଂସା ଉଡ଼ିଗଲା । ସେ ଜାଣିପାରି ନଥିଲା କି ଏତେ ଦିନର ଘଟଣାକୁ ନେଇ ଏ କାଣ୍ତ ସବୁ ହୋଇଛି ।

 

ବେହାରୀ କିଛି କହିବ କହିବ ବୋଲି ହୋଇ କିଛି କହି ପାରୁ ନଥାଏ । ତା’ର ଦୁଇ ଓଠ ଥରିବାରେ ଲାଗିଥାଏ । ସେ ନିର୍ବାକ ନିଷ୍ପନ୍ଦ ହୋଇ ବସିଥାଏ । କିଛି ସମୟ ଗଡ଼ିଗଲା ପରେ ପୁଣି ଜୟନ୍ତବାବୁ ଆରମ୍ଭ କଲେ, ‘‘ବୁଝିଲେ ବେହାରୀବାବୁ ଆପଣ ଯେଉଁ ଚିଠି ଶାନ୍ତନୁକୁ ଲେଖିଛନ୍ତି ସେ ଚିଠି ମୁଁ ମୋହନର ଘର ତଲାସ କରୁ କରୁ ପାଇଲି । ଗୋୟେନ୍ଦା ଆଖିରେ ଧୂଳି ଦେଇ କେତେଦିନ ବା ମିଥ୍ୟାଟାକୁ ଲୁଚାଇ ରଖିବେ । ଆପଣ ଦୋଷ ମାନିନିଅନ୍ତୁ ଯାହାହେବାର ତ ହେଲାଣି ଆଉ ଲୁଚାଇ ଲାଭ କିଛି ନାହିଁ ।

 

ଏହି ଅବସରରେ ବେହାରୀ ନିଜ ପକେଟରେ ହାତ ପୁରାଇଲା ସେ ସବୁ କାର୍ଯ୍ୟକଳାପ ଜୟନ୍ତବାବୁଙ୍କର ଶିକାରୀ ଆଖିକୁ ଏଡ଼ାଇ ଦେଇ ପାରିଲା ନାହିଁ । ସେ ଗର୍ଜି ଉଠି କହିଲେ–‘‘ବଦ୍‌ମାସ୍‍–ଆଉ ଟିକିଏ ହଲଚଲ ହେବୁତ ତୋର ମୁଣ୍ତ ଏଇ କ୍ଷୁଦ୍ର ପଦାର୍ଥର ଉଦ୍‌ଗିରଣରେ ଉଡ଼ାଇ ଦିଆ ଯିବ ।’’

 

‘‘ଏସବୁ ମିଛ ମନ ଗଢ଼ା, ମୁଁ କାହାରିକୁ ଚିହ୍ନି ନାହିଁ କି ଜାଣି ନାହିଁ । ଆପଣ ଯାଆନ୍ତୁ ଯାହା କରିବାର କଥା ପରେ କରିବେ ।’’ କହି ବେହାରୀ ଉଠିପଡ଼ିଲା ।

 

ଏଇତକ କହୁଁ କହୁଁ କାହୁଁ ଏକ ଲମ୍ବା ତୀକ୍ଷ୍ନ ଛୁରୀ ଆସି ତାଙ୍କ ହାତ ପାଖରେ ପହଞ୍ଚିଲା । ଜୟନ୍ତବାବୁ ଭାବି ପାରିଲେ ନାହିଁ, ଏସବୁ ଆସିଲା କେଉଁଠୁ । ତଥାପି ବେହାରୀ ସେଇ ସୁତୀକ୍ଷ୍ନ ଛୁରୀକାର ବ୍ୟବହାର କରିବା ପୂର୍ବରୁ ଜୟନ୍ତବାବୁ ତା’ର ହାତକୁ ଲକ୍ଷ କରି ଗୁଳି ଚଳାଇଲେ । ଡାହାଣ ହାତର କଚଟିରେ ଯାଇ ଗୁଳି ବସିଲା । ଚିତ୍କାର କରି ତଳେ ପଡ଼ିଗଲା ବେହାରୀ ।

 

ଗୁଳିର ଆବାଜ ପାଇ ଦାମୋଦର ଓ ଦୁଇଜଣ ପୋଲିସ ଘର ଭିତରକୁ ପଶି ଆସିଲେ ଓ ବେହାରୀ ହାତରେ ହାତକଡ଼ି ପିନ୍ଧାଇ ଦେଲେ ।

 

ସନ୍ଧ୍ୟାରେ ଜୟନ୍ତବାବୁଙ୍କର ମଟର ଯାଇ ସୁନୀଲ୍‌ର ଦୁଆର ମୁହଁରେ ଅଟକିଲା । ମଟରର ହର୍ଣ୍ଣ ଓ ଘର୍‌ ଘର୍‌ ଶବ୍ଦରେ ସୁନୀଲ୍‌ ବାହାରି ଆସିଲେ ବାହାରକୁ । ମଟରରେ ଜୟନ୍ତବାବୁ ଓ ଦାମୋଦରଙ୍କୁ ଦେଖି ସେ ଖୁସି ହୋଇଗଲା ତା’ପଛରେ ନଳିନୀ ଆସି କବାଟ ପାଖରେ ଛିଡ଼ାହୋଇ ଥାଏ । ସେ ସେମାନଙ୍କୁ ଘରକୁ ଡାକିଲା ।

 

ଜୟନ୍ତବାବୁ ଓ ଦାମୋଦର ମଟରରୁ ଓହ୍ଲାଇ ଆସି ଘର ଭିତରକୁ ଯାଇ ବସିଲେ । ନଳିନୀ ପଚାରିଲା, ବାପାଙ୍କର କ’ଣ ହେଲା ?

 

‘‘ତୁମର ବାପାଙ୍କର ନିର୍ଦ୍ଦୋଷିତା ସମସ୍ତ ପ୍ରମାଣିତ ହୋଇ ସାରିଛି । କେବଳ ଆସନ୍ତା କାଲି କଚେରୀ ଖୋଲିଲେ ତାଙ୍କୁ ଖଲାସ କରି ଦିଆଯିବ । ବେହାରୀ ତା’ର ସମସ୍ତ ଭୁଲ ସ୍ୱୀକାର କରିଛି ।’’ ହସି ହସି ଜୟନ୍ତବାବୁ ପୁଣି ଆରମ୍ଭ କଲେ । ‘ହଁ ସୁନୀଲ୍‌ । ତୁମର ମଧ୍ୟ ବାହାଘରର ଯୋଗାଡ଼ ହେଉ । ଆମ୍ଭେମାନେ ତୁମର ମିଳନ ଦିନରେ–’

 

‘‘ହଉ ଆପଣଙ୍କ କଥା ତ ଅମାନ୍ୟ କରୁନାହିଁ । ତେବେ ତିଥି ଆସିଲେତ ? କଥା ଛଡ଼ାଇ ନେଇ ସୁନୀଲ୍‌ କହିଲା ।

 

ନଳିନୀର ଗୋରା ତକ୍‌ତକ୍‌ ମୁଖମଣ୍ତଳରେ ରକ୍ତର ଅରୁଣିମା ଦେଖା ଦେଲା । ସେ ଲଜ୍ଜାରେ ସେଠୁ ଉଠି ଘର ଭିତରକୁ ପଳାଇଗଲା । ସମସ୍ତେ ହସି ଉଠିଲେ ଖୁବ୍‌ ଜୋରରେ, ଜୟନ୍ତବାବୁ କହିଲେ–‘‘ଆସନ୍ତା ପ୍ରଥମ ତିଥିରେ ବାହାଘର ପଡ଼ୁଛି, ସେଇଥିରେହିଁ କରି ନିଆଯାଉ-।’’

 

ବାହାଘର ଖୁବ୍‌ ଧୁମ୍‌ଧାମରେ ହେଲା । ମୋହନ ଓ ସୁନୀଲ୍‌ର ଦାଦା ସମସ୍ତେ ସେଠାରେ ଥିଲେ । ବାହାଘର ସରିବା ପରେ ପରେ ଠିକ୍‌ ବାହାରେ ମଟର ହର୍ଣ୍ଣ ଶୁଭିଲା । ମୋହନ ଦୌଡ଼ିଯାଇ ଜୟନ୍ତବାବୁ ଓ ଦାମୋଦରଙ୍କୁ ପାଛୋଟି ଆଣିଲେ । ଦୁହେଁ ନବଦମ୍ପତ୍ତିଙ୍କୁ ଆଶିଷ ଦେଇ ବାହାରିଲେ କଟକ ଅଭିମୁଖେ । ଛୁଟି ସରି ଯାଇଥାଏ । କାର୍‌ ଚାଲିଲା ତିରିଶମାଇଲ୍‌ ଗତିରେ.....

Image